ମହିଳାଙ୍କୁ ଆତ୍ମନିର୍ଭର କରିଛି ଜିଆ ଖତ ଉତ୍ପାଦନ

Women Of Keonjhar Earning From Vermicompost

କେନ୍ଦୁଝର: ବ୍ୟବସାୟୀକ ଭିତ୍ତିରେ ଜିଆ ଖତ ଉତ୍ପାଦନ । କମ୍ପୋଷ୍ଟ ପ୍ରସ୍ତୁତ କରି ଆତ୍ମନିର୍ଭର ହୋଇଛନ୍ତି କେନ୍ଦୁଝର ଜିଲ୍ଲା ମହାଦେଇପୁର ଗାଁର ମହିଳା । ଉଦ୍ୟାନ କୃଷି ବିଭାଗ ଏଥିପାଇଁ ମହିଳାଙ୍କୁ ସହଯୋଗ କରୁଛି । ବର୍ଷକୁ ୭୫ କ୍ୱିଣ୍ଟାଲ ଖତ ବିକ୍ରି କରି ଲାଭବାନ ହେଉଛନ୍ତି କଳ୍ପନା ମହାନ୍ତ ଓ ତାଙ୍କ ସାଥୀ । ସମ୍ପୂର୍ଣ୍ଣ ଜୈବିକ ପ୍ରଣାଳୀରେ ଚାଷ ପାଇଁ ଏହା ବେଶ ଉପଯୋଗୀ ହେଉଛି ।

ମହିଳାଙ୍କୁ ଆତ୍ମନିର୍ଭର କରିଛି ଜିଆ ଖତ । କୁଣ୍ଡରେ ଭାର୍ମି କମ୍ପୋଷ୍ଟ ପ୍ରସ୍ତୁତ । ବର୍ଷକୁ ରୋଜଗାର ହେଉଛି ଲକ୍ଷାଧିକ ଟଙ୍କା । ଛତୁଚାଷ ପରେ ଏବେ ଜିଆଖତ । ଚାଷକୁ ବ୍ୟବସାୟ ଭିତ୍ତିକ କରି ଲାଭବାନ ହେଉଛନ୍ତି କେନ୍ଦୁଝର ଜିଲ୍ଲା ବାଉରୀପଦା ପଞ୍ଚାୟତ ମହାଦେଇପୁରର ମହିଳା । ସଫଳ ଚାଷୀ କଳ୍ପନା ମହାନ୍ତଙ୍କ ଉଦ୍ୟମରେ ଏସଏଚଜି ମହିଳାମାନେ ଭାର୍ମି କମ୍ପୋଷ୍ଟ ପ୍ରସ୍ତୁତ କରୁଛନ୍ତି । ଚାଷରୁ ବାହାରୁଥିବା ପଚା ନଡ଼ା, ଗୋବର, ମାଟି ଓ ପରିବା ଚୋପାକୁ କୁଣ୍ଡରେ ରଖି ଜିଆଖତ ପ୍ରସ୍ତୁତ ହେଉଛି ।

Women Of Keonjhar Earning From Vermicompost

ଜିଆଖତ ପ୍ରସ୍ତୁତ ପାଇଁ ମହିଳାମାନଙ୍କୁ ସହଯୋଗ କରୁଛି ଉଦ୍ୟାନ କୃଷି ବିଭାଗ । ଜାତୀୟ ଉଦ୍ୟାନ କୃଷି ମିଶନ ଯୋଜନାରେ ୫୦ ପ୍ରତିଶତ ରିହାତିରେ ୧ ଲକ୍ଷ ଟଙ୍କା ଋଣ ଯୋଗାଇ ଦିଆଯାଇଛି । ୩ଟି କୁଣ୍ଡ ତିଆରି କରି ବର୍ଷକୁ ପ୍ରାୟ ୭୫ କ୍ୱିଣ୍ଟାଲ ଅଧିକ ଜିଆ ଖତ ଉତ୍ପାଦନ କରି ୧ ଲକ୍ଷ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଛନ୍ତି । ଆଗକୁ ଆହୁରି ଅଧିକ ଲାଭ ହେବ ବୋଲି ଆଶା ରଖିଛନ୍ତି ମହିଳାମାନେ । ସମ୍ପୂର୍ଣ୍ଣ ଜୈବିକ ପ୍ରଣାଳୀରେ ଚାଷ ପାଇଁ ଜିଆ ଖତ ବେଶ ଉପଯୋଗୀ ହେଉଛି । ଜମିର ଉର୍ବରତା ବଢାଇବା ସହିତ ଅଧିକ ଉତ୍ପାଦନ ହେଉଛି । ଫଳରେ ଲାଭବାନ ହେଉଛନ୍ତି ଚାଷୀ ।