ମହିଳା ଦିନିକିଆ ବିଶ୍ବକପର ପ୍ରାଇଜ୍ ମନି ବୃଦ୍ଧି କଲା ICC: ଚାମ୍ପିୟନ ଟିମକୁ ମିଳିବ ପାଖାପାଖି ୪୦ କୋଟି
1 min read
ମହିଳା କ୍ରିକେଟର ଲୋକପ୍ରିୟତାକୁ ବୃଦ୍ଧି କରିବା ଓ ପୁରୁଷ କ୍ରିକେଟରଙ୍କ ସମକକ୍ଷ କରିବା ଲକ୍ଷ୍ୟରେ ICC ଏକ ବଡ଼ ନିଷ୍ପତ୍ତି ଗ୍ରହଣ କରିଛି । ୨୦୨୫ ମହିଳା ଦିନିକିଆ ବିଶ୍ବକପର ପ୍ରାଇଜ୍ ମନି ବୃଦ୍ଧି କରାଯାଇଛି । ଏବେ ଚାମ୍ପିୟନ ଟିମକୁ ପାଖାପାଖି ୪୦ କୋଟି ଟଙ୍କା ଦିଆଯିବ । ସେପ୍ଟେମ୍ବର ୩୦ ଠାରୁ ମହିଳା ଦିନିକିଆ ବିଶ୍ବକପ୍ ଆରମ୍ଭ ହେବ । ଏଥର ଭାରତ ଓ ଶ୍ରୀଲଙ୍କା ମିଳିତ ଭାବେ ଏହି ବିଶ୍ବସ୍ତରୀୟ ଟୁର୍ଣ୍ଣାମେଣ୍ଟର ଆୟୋଜନ କରୁଛନ୍ତି । ବିଜେତା ଟିମକୁ ପାଖାପାଖି ୩୯.୫୫ କୋଟି ଟଙ୍କା ଦିଆଯିବ ।
ବିଶ୍ବକପରେ ମୋଟ ୮ଟି ଟିମ୍ ଅଂଶଗ୍ରହଣ କରିବେ । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ପାଖାପାଖି ୧୨୨.୫ କୋଟି ଟଙ୍କା ଘୋଷିତ କରାଯାଇଛି । ମହିଳା କ୍ରିକେଟ ପାଇଁ ଏକ ନୂଆ ମାନଦଣ୍ଡ ସ୍ଥିର କରାଯାଇଥିବା ଆଇସିସି ପକ୍ଷରୁ କୁହାଯାଇଛି । ଉପବିଜେତା ଟିମକୁ ପାଖାପାଖି ୧୯.୭୭ କୋଟି, ସେମିଫାଇନାଲରେ ପରାଜିତ ଟିମକୁ ପାଖାପାଖି ୯.୮୯ କୋଟି ଟଙ୍କା, ଗ୍ରୁପ ପର୍ଯ୍ୟାୟରେ ବିଜୟୀ ଟିମକୁ ପାଖାପାଖି ୩୦.୨୯ ଲକ୍ଷ ଟଙ୍କା ମିଳିବ । ୫ମ ଓ ୬ଷ୍ଠ ସ୍ଥାନରେ ରହୁଥିବା ଟିମକୁ ପାଖାପାଖି ୬୨ ଲକ୍ଷ ଟଙ୍କା ମିଳିବ । ସପ୍ତମ ଓ ଅଷ୍ଟମ ସ୍ଥାନର ଟିମକୁ ପାଖାପାଖି ୨୪.୭୧ ଟଙ୍କା ମିଳିବ । ଗତ ଥର ମହିଳା ଦିନିକିଆ ବିଶ୍ବକପ ଚାମ୍ପିୟନ ଟିମକୁ ପାଖାପାଖି ୩୧ କୋଟି ମିଳିଥିଲା । ଏଥର ଉକ୍ତ ରାଶିରେ ପାଖାପାଖି ୨୯୭ ପ୍ରତିଶତ ବୃଦ୍ଧି କରାଯାଇଛି ।