ସ୍କୁଟିରେ ଅପହରଣ କରି ନେଉଥିଲେ ଯୁବତୀ, ପାଟି କରିବାରୁ ଫିଙ୍ଗିଦେଲେ

ବଲାଙ୍ଗୀର: ଖେଳୁଥିବା ବେଳେ ଜଣେ ନାବାଳକକୁ ଅଚେତ୍ କରି ସ୍କୁଟିରେ ଅପହରଣ । ଚେତା ଫେରିପାଇ ରାସ୍ତାରେ ପାଟି କରିବାକୁ ନାବାଳକୁ ଫୋପାଡ଼ି ପଳାଇଲେ ଦୁଇ ଯୁବତୀ । ବଲାଙ୍ଗୀର ଜିଲ୍ଲା ଟିକ୍ରାପଡା ଥାନା ଅନ୍ତର୍ଗତ ଦେଓଗାଁରୁ ଆସିଛି ଏପରି ଅଭିଯୋଗ । ଦେଓଗାଁର ଅନାମ ପୁଟେଲଙ୍କ ପରିବାର ଲୋକେ ଚାଷଜମିରେ କାମ କରୁଥିବା ବେଳେ ତାଙ୍କ 10 ବର୍ଷର ପୁଅ ଦେବଦତ୍ତ ରାସ୍ତାକଡ଼ରେ ଖେଳୁଥିଲା ।

ଏହି ସମୟରେ ଦୁଇଜଣ ଯୁବତୀ ତାକୁ ଅଚେତ କରି ସ୍କୁଟିରେ ଅପହରଣ କରି ନେଇଥିଲେ । ବେଲପଡା ନିକଟରେ ଦେବଦତ୍ତର ଚେତା ଫେରିବାରୁ ସେ ଚିତ୍କାର କରିଥିଲା । ତେଣୁ ଯୁବତୀ ମାନେ ତାକୁ ରାସ୍ତାରେ ଫୋପାଡ଼ି ଦେଇ ଫେରାର ହୋଇଯାଇଥିଲେ । କିଛି ଲୋକ ଦେବଦତ୍ତକୁ ଉଦ୍ଧାର କରି ବେଲପଡା ମେଡିକାଲକୁ ନେଇଥିଲେ ।

ତାର ପରିଚୟ ଜାଣିବା ପରେ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ । ପରିବାର ଲୋକଙ୍କ ଏତଲା ଆଧାରରେ ବେଲପଡା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଅପହରଣକାରୀ ଯୁବତୀ ଦୁଇଜଣ ହିନ୍ଦୀରେ କଥାବାର୍ତ୍ତା କରୁଥିବା ଜଣାପଡିଛି । ସେପଟେ ଏହି ଘଟଣା ପରେ ଅଞ୍ଚଳରେ ପିଲାଚୋର ଆତଙ୍କ ଖେଳିଯାଇଛି ।