spot_img

Latest Posts

ଆଫଗାନ ବୈଦେଶିକ ମନ୍ତ୍ରୀ ମୁତାକିଙ୍କ ପ୍ରେସ କନଫରେନ୍ସ ପ୍ରସଙ୍ଗ : ପ୍ରେସ କନଫରେନ୍ସରେ ସାମ୍ବାଦିକାଙ୍କୁ ମିଳିଲାନି ଅନୁମତି

ନନ୍ଦିଘୋଷ ବ୍ୟୁରୋ : ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରୀ ଆମିର ଖାନ ମୁତାକିଙ୍କ ପ୍ରେସ କନଫରେନ୍ସରେ ମହିଳା ସାମ୍ବାଦିକଙ୍କୁ ଅନୁମତି ନଦେବା ପ୍ରସଙ୍ଗ। ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛି ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ। ଆଫଗାନିସ୍ଥାନ ବୈଦେଶିକ ମନ୍ତ୍ରୀ ଆମିର ଖାନ ମୁତାକିଙ୍କ ସାମ୍ବାଦିକ ସମ୍ମିଳନୀ ଆୟୋଜନରେ କୌଣସି ଭୂମିକା ନାହିଁ ବୋଲି କହିଛି ଭାରତୀୟ ବୈଦେଶିକ ବ୍ୟାପାର ବିଭାଗ। ଗତକାଲି ଆୟୋଜନ ହୋଇଥିଲା ଏ ସାମ୍ବାଦିକ ସମ୍ମିଳନୀ। ଏଥିରେ କୌଣସି ମହିଳା ସାମ୍ବାଦିକଙ୍କୁ ବସିବାକୁ ଅନୁମତି ଦିଆଯାଇନଥିଲା। ପ୍ରସଙ୍ଗ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧି। ମୁତାକିଙ୍କ ଦ୍ୱାରା ସମ୍ବୋଧିତ ସାମ୍ବାଦିକ ସମ୍ମିଳନୀରେ କୌଣସି ମହିଳା ସାମ୍ବାଦିକ ଉପସ୍ଥିତ ନଥିଲେ। ଫଳରେ ଭାରତ ମାଟିରେ ତାଲିବାନର ଲିଙ୍ଗଗତ ପକ୍ଷପାତକୁ ନେଇ ବ୍ୟାପକ ସମାଲୋଚନା କରାଯାଇଛି। ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ ମଧ୍ୟ ଘଟଣା ନେଇ କଡ଼ା ସମାଲୋଚନା କରିଛନ୍ତି। ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରା ମଧ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। କଂଗ୍ରେସ ନେତା ଜୟରାମ ରମେଶ ମଧ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଭାରତରେ ମହିଳା ସାମ୍ବାଦିକଙ୍କ ଉପରେ ତାଲିବାନି ଶାସନ ଆଶ୍ଚର୍ଯ୍ୟଜନକ ଏବଂ ଅସ୍ୱୀକାର୍ଯ୍ୟ ବୋଲି କହିଛନ୍ତି ଜୟରାମ ରମେଶ। କଂଗ୍ରେସ ମୁଖପାତ୍ର ଶାମା ମହମ୍ମଦ କହିଛନ୍ତି ଭାରତ ମାଟିରେ ଭାରତକୁ ଏହି ନିର୍ଦ୍ଦେଶ ଦେବାକୁ ସେମାନେ କିଏ? ମହିଳା ବିଦ୍ବେଷୀ ଚିନ୍ତାଧାରାକୁ ଭାରତରେ କାର୍ଯ୍ଯକାରୀ କାହିଁକି କରାଗଲା ? ଏହି କାର୍ଯ୍ୟକ୍ରମରେ ତାଲିବାନ ନେତାମାନେ କେବଳ ପୁରୁଷମାନଙ୍କ ପାଇଁ ଉଦ୍ଦିଷ୍ଟ ଏକ ସାମ୍ବାଦିକ ସମ୍ମିଳନୀକୁ  ସମ୍ବୋଧିତ କରୁଥିବା ଦେଖାଯାଇଥିଲା। ମୁତାକି ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ମଧ୍ୟରେ ଆଲୋଚନା ପରେ ପରେ ଏହି ସାମ୍ବାଦିକ ସମ୍ମିଳନୀ ହୋଇଥିଲା। ସାମ୍ବାଦିକାଙ୍କୁ ଅନୁମତି ନ ମିଳିବା ପ୍ରସଙ୍ଗରେ ତାତିଛନ୍ତି ସାମ୍ବାଦିକ ଓ ସୋସିଆଲ ମିଡିଆ ୟୁଜର। ମୁତାକିଙ୍କ ଏହି ନିଷ୍ପତ୍ତି ମହିଳା ବିଦ୍ବେଷୀ ଚିନ୍ତାଧାରା ପ୍ରତିଫଳନ ବୋଲି ମତ ପ୍ରକାଶ ପାଇଛି। ପ୍ରାୟ ଏକ ସପ୍ତାହ ଲାଗି ଭାରତ ଗସ୍ତରେ ଆସିଥିବା ମୁତାକିଙ୍କୁ ସ୍ବାଗତ କରିଥିଲେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୈସୱାଲ। ଭାରତ ଓ ଆଫଗାନିସ୍ତାନ ମଧ୍ଯରେ ଦ୍ବିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ଆଲୋଚନା ହୋଇଛି। ଜୁଲାଇ ୨୦୨୧ରେ ତାଲିବାନ କ୍ଷମତାସୀନ ହେବା ପରେ ପ୍ରଥମ ଥର ଲାଗି ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଏହା ହେଉଛି ଶୀର୍ଷସ୍ତରୀୟ ବୈଠକ।

Latest Posts

Don't Miss