ସେକେଣ୍ଡ ହ୍ୟାଣ୍ଡ ଶପିଂ ସେଣ୍ଟରରୁ କିଣିଥିଲେ ବ୍ୟାଗ, ମିଳିଲା ଲକ୍ଷ ଲକ୍ଷ ଟଙ୍କା

ୱାଶିଂଟନ୍‌: ଆଜିର ସମୟରେ ସଚ୍ଚୋଟ ବ୍ୟକ୍ତିଙ୍କ ସଂଖ୍ୟା ହାତଗଣତି। ଏହି ଯେମିତି ହଜିଲା ଜିନିଷକୁ ଖୁବ୍ କମ ଲୋକ ଫେରାଇଥାନ୍ତି। ମାତ୍ର ଆମେରିକାର ସେଣ୍ଟ୍ରାଲ୍‌ ମିଚିଗାନ୍‌ରେ ରହୁଥିବା ୫୦ ବର୍ଷୀୟ ହାଓ୍ବାର୍ଡ କିର୍ବି ସଚ୍ଚୋଟତାର ପରିଚୟ ଦେଇଛନ୍ତି।

କିଛିଦିନ ତଳେ ହାଓ୍ବାର୍ଡ ସେକେଣ୍ଡ୍‌ ହ୍ୟାଣ୍ଡ୍‌ ଶପିଂ ସେଣ୍ଟରରୁ ଏକ ବ୍ୟାଗ୍‌ କିଣି ଘରକୁ ଆଣିଥିଲେ। ଯେତେବେଳେ ତାଙ୍କ ଝିଅ ବ୍ୟାଗ୍‌ଟିକୁ ଖୋଲିଲେ ଏଥିରେ ଟଙ୍କା ଭର୍ତ୍ତି ଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏଥିରେ ୩୦ ଲକ୍ଷ ୫୪ ହଜାର ଟଙ୍କା ଥିବା ଦେଖିବାକୁ ମିଳିଥିଲା।

ଏକ ରିପୋର୍ଟ ଅନୁଯାୟୀ, ପରିବାର ଲୋକେ ଏତେ ପରିମାଣର ଟଙ୍କା ଦେଖି ଏଥିରେ କ’ଣ କରିବେ କିଛି ବୁଝିପାରିଲେ ନାହିଁ। ହାଓ୍ବାର୍ଡ ପ୍ରଥମେ ଭାବିଲେ ଏହି ଟଙ୍କାରେ ଘରର କରଜ ଶୁଝିଦେବେ। ଆଉ କିଛି ଟଙ୍କାରେ ବିଳାସମୟ ଜୀବନ ବିତାଇବେ। ଏଥିପାଇଁ ସେ ତାଙ୍କ ଓକିଲଙ୍କ ପରାମର୍ଶ ନେଲେ। ଓକିଲ କହିଲେ, ଏହି ଟଙ୍କା ତୁମ ପାଖରେ ରଖ। ତୁମେ ତ କେଉଁଠୁ ଚୋରି କରିନା ଯେ,ତୁମକୁ ପୋଲିସ ବାନ୍ଧିବ। କିନ୍ତୁ ହାଓ୍ବାର୍ଡଙ୍କ ହୃଦୟ ବାଧା ଦେଲା। ସେ ଚାହିଁଲେ ବ୍ୟାଗ୍‌ଟି ଯେଉଁଠୁ କିଣିଥିଲେ ସେଠାରେ ଫେରାଇ ଦେବେ। ଶେଷରେ ସେଇୟା ହିଁ କଲେ। ଏହି ବ୍ୟାଗ୍‌ଟି ନ୍ୟୁବେରିର ଏକ ପରିବାରର। ତାଙ୍କ ପିତାଙ୍କ ମୃତ୍ୟୁ ପରେ ବ୍ୟାଗ୍‌ଟିକୁ ଆଣି ସେକେଣ୍ଡ୍‌ ହ୍ୟାଣ୍ଡ୍‌ ଶପିଂ ସେଣ୍ଟରରେ ଦାନ କରିଦେଇଥିଲେ। ତେବେ ଦୋକାନ ମାଲିକ ହାଓ୍ବାର୍ଡଙ୍କ ଏପରି ସଚ୍ଚୋଟତା ଦେଖି ତାଙ୍କୁ ଖୁବ୍‌ ପ୍ରଶଂସା କରିଛନ୍ତି।

Leave a Reply