ମଣିପୁର ଭାଇରାଲ ଭିଡିଓ ମାମଲା, ପୀଡ଼ିତାଙ୍କ ମାଆ କହିଲେ ହିଂସା ପାଇଁ ଦାୟୀ ରାଜ୍ୟ ସରକାର

1 min read

ଇମ୍ଫାଲ: ମଣିପୁର ଭାଇରାଲ ଭିଡିଓ ମାମଲା । ଜଣେ ପୀଡ଼ିତାଙ୍କ ମାଆ ଖୋଲିଲେ ମୁହଁ । କହିଲେ, ମଣିପୁର ହିଂସା ପାଇଁ ଦାୟୀ ରାଜ୍ୟ ସରକାର । ଆଗକୁ ନିଜର ଏବଂ ନିଜ ପରିବାରର ଭବିଷ୍ୟତ କ’ଣ ହେବ, ତାହା ସେ ଜାଣନ୍ତି ନାହିଁ । କିନ୍ତୁ ପରିବାର ସହ  ଆଉ ସେ ନିଜ ଗାଁକୁ ଫେରିପାରିବେ ନାହିଁ  ।

ମଣିପୁର ହିଂସା ପାଇଁ କେବଳ ମଣିପୁର ସରକାର ହିଁ ଦାୟୀ ବୋଲି କାନ୍ଦି କାନ୍ଦି କହିଛନ୍ତି ଜଣେ ପୀଡ଼ିତାଙ୍କ ମା’। ସେଦିନ ଜ୍ବାଇଁ ଓ ନାତୀକୁ ଆଖି ସାମ୍ନାରେ ହତ୍ୟା କରିଥିଲେ ଅଭିଯୁକ୍ତ । ଦାଣ୍ଡରେ ପଡ଼ିଥିଲା ଝିଅର ଇଜ୍ଜତ । ଯାହାକୁ ପୁରା ବିଶ୍ବ ଦେଖିଲା । ଏହା ପରେ ଆଉ ପରିବାର ସହ ଗାଁକୁ ଫେରିବେନି ବୋଲି କହିଛନ୍ତି ପୀଡ଼ିତାଙ୍କ ମା’ । ଗତ ମେ ୪ରେ ପୀଡ଼ିତାଙ୍କ ଉପରେ ହୋଇଥିଲା ଅତ୍ୟାଚାର । ୨ ମହିଳାଙ୍କୁ ଗଣଦୁଷ୍କର୍ମ ପରେ ରାସ୍ତାରେ ଉଲଗ୍ନ କରି ଚଲାଇବାର ଭାଇରାଲ ଭିଡିଓ ପୂରା ଦେଶକୁ ସ୍ତବ୍ଧ କରିଦେଇଛି । ଏହାରି ଭିତରେ ପୀଡ଼ିତା ଓ ତାଙ୍କ ପରିବାର ଭୟରେ ଦିନ କାଟୁଛନ୍ତି । ଭିଡ଼ ଭିତରେ ନିଜ ଘରକୁ ଜାଳି ପୋଡ଼ି ପାଉଁଶ କରି ଦିଆଗଲା । ଜମିବାଡ଼ି ସବୁ ନଷ୍ଟ କରି ଦିଆଗଲା । ଆଖି ଆଗରେ ସ୍ୱାମୀ ଓ ପୁଅକୁ ହତ୍ୟା କରିଦେଲେ । ପୁଣି ଝିଅ ସହ ଯାହା ଘଟିଲା, ତାହା ପୂରା ଦେଶ ଜାଣିଛି । ୩ମାସରେ ବହୁଥର ସରକାରଙ୍କୁ ଜଣାଯାଇଥିଲା । ହେଲେ କାହିଁକି କାର୍ଯ୍ୟାନୁଷ୍ଠାନ ନେଲେନି ବୋଲି ମଣିପୁର ସରକାରଙ୍କୁ ପ୍ରଶ୍ନ କରିଛନ୍ତି ପୀଡ଼ିତାଙ୍କ ମା ।

ଅନ୍ୟପଟେ ମଣିପୁରରେ ଭିଡିଓ ଭାଇରାଲ ଘଟଣାରେ ୪ ଅଭିଯୁକ୍ତଙ୍କୁ ୧୧ ଦିନ ରିମାଣ୍ଡରେ ପୋଲିସ ନେଇଛି । କାହିଁକି ଓ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ତାର ତନାଘନା କରିବେ । ଏହା ପଛରେ ଆଉ କାହାର ହାତ ଅଛି ତାର ମଧ୍ୟ ଅନୁସନ୍ଧାନ କରାଯିବ । ସେପଟେ ଏଭଳି ଅମାନୁଷିକ ଓ ବର୍ବରତା ଘଟଣା ପ୍ରଶାସନ ସହ ମହିଳାଙ୍କୁ ସୁରକ୍ଷା ଗ୍ୟାରେଣ୍ଟି ଦେଉଥିବା ଜାତୀୟ ମହିଳା ଆୟୋଗଙ୍କୁ ମଧ୍ୟ ଜଣାଥିଲା ।

ଜୁନ ୧୨ ତାରିଖରେ ଏନେଇ ତିନୋଟି ମାମଲା ମହିଳା ଆୟୋଗଙ୍କ ନଜରକୁ ଆସିଥିଲା । ଏବେ ତିନି ମାସ ମଧ୍ୟରେ ତିନି ଥର ରାଜ୍ୟ ସରକାରଙ୍କୁ ଅବଗତ କରି କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ପଚାରିଥିଲେ NCW ଅଧ୍ୟକ୍ଷା । ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା । ମଣିପୁର ଏବଂ ଦେଶ ବାହାରୁ ବିଭିନ୍ନ ସଂଗଠନ ଏଭଳି ଖବରକୁ ନେଇ ଜାତୀୟ ମହିଳା ଆୟୋଗଙ୍କ ନିକଟରେ ଅଭିଯୋଗ କରିଥିଲେ ।

ଖୁଲମଖୁଲା ଦୁଇ ମାସ ଧରି ଖୋଲା ଆକାଶ ତଳେ ଘୁରି ବୁଲୁଥିଲେ ଅଭିଯୁକ୍ତ । ଭିଡିଓ ଭାଇରାଲ ହୋଇନଥିଲେ ଘଟଣାକୁ ଚାପିଦେବାକୁ ସକ୍ଷମ ହୋଇଥିଲେ ରାଜ୍ୟ ସରକାର । ଯାହାକୁ ଚାରିଆଡୁ ନିନ୍ଦା କରାଯାଉଛି । ଏପଟେ ଘଟଣାରେ ସଂସଦ ଅଚଳ । ସରକାର ବିରୋଧରେ ନାରାବାଜୀ । ଦୁଇ ଦିନ ଧରି ଗୋଟିଏ ମିନିଟ ବି ଚାଲିପାରିଲାନି ଲୋକସଭା ଗୃହକାର୍ଯ୍ୟ । ସରକାରଙ୍କ ଠାରୁ ଉତ୍ତର ମାଗି ବିରୋଧୀ ସାଂସଦ ସରକାର ବିରୋଧରେ ନାରାବାଜି କରିଥିଲେ । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଉଭୟ ଗୃହକୁ ସୋମବାର ଯାଏଁ ସ୍ଥଗିତ ରଖାଯାଇଛି ।