spot_img

Latest Posts

‘ସୁଭଦ୍ରା ଯୋଜନାକୁ ନେଇ ଦ୍ୱନ୍ଦ୍ୱରେ ମହିଳା, ସରକାର ଏହାକୁ ସ୍ପଷ୍ଟ କରନ୍ତୁ’

ଭୁବନେଶ୍ୱର: ସୁଭଦ୍ରା ଯୋଜନାକୁ ନେଇ ଏବେ ବି ଲୋକଙ୍କ ମନରେ ପ୍ରଶ୍ନ। ସରକାରଙ୍କ ପକ୍ଷରୁ ଅଧିକ ସ୍ପଷ୍ଟ କରାଯାଉ। ଏହା ସହ ଅଧିକ ସଚେତନତା କରାଯାଉ ବୋଲି କହିଛନ୍ତି ଭୁବନେଶ୍ବର ମେୟର ସୁଲୋଚନା ଦାସ। ସୁଭଦ୍ରା ସଚେତନତା ପଦଯାତ୍ରା ନେଇ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ସଚେତନତା ପଦଯାତ୍ରା ବିଏମସି ପକ୍ଷରୁ ଆୟୋଜନ କରାଯାଇଛି । ସୁଭଦ୍ରା ଯୋଜନାରେ କୋଟିଏ ମହିଳାଙ୍କୁ ସାମିଲ ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ହେଲେ ଏପର୍ଯ୍ୟନ୍ତ ୫୦ ଲକ୍ଷ ମହିଳା ବି ଆବେଦନ କରି ନାହାଁନ୍ତି । ଏଥିରୁ ଜଣା ପଡ଼ୁଛି ମହିଳାଙ୍କ ମନରେ ଭୟ ରହୁଛି ।

ପୂର୍ବ ସରକାର କଷ୍ଟ ସ୍ବୀକାର କରି ଏସଏଚଜି ମହିଳାଙ୍କୁ ସଶକ୍ତ କରିଥିଲେ । ୭୦ ଲକ୍ଷ ମହିଳା ଓ ତାଙ୍କ ପରିବାର ଉପକୃତ ହୋଇଥିଲେ । ଏବେ ତାଙ୍କ ଭବିଷ୍ୟତ କଣ ହେବ ବୋଲି ମନରେ ଦ୍ବନ୍ଦ୍ବ ରହିଛି । ଏବେ ଯେଉଁ ମାନେ ଟଙ୍କା ପାଇବେ ସେମାନେ ଏ ଟଙ୍କା କେମିତି ଖର୍ଚ୍ଚ କରିବେ ସେଥିପାଇଁ ଟ୍ରେନିଂ ପାଇନାହାନ୍ତି । ତେଣୁ ମହିଳାଙ୍କ ଭିତରେ ଭୟ ଓ ଆଶଙ୍କା ରହିଛି । ୫ ହଜାର ଟଙ୍କାରେ କଣ କରିବେ ଓ ସ୍ବାବଲମ୍ବୀ ହୋଇ ପାରିବେ କି ମହିଳା । ରାଜ୍ୟ ସରକାର ୫ ହଜାର ଟଙ୍କା ଦେଇ ଜଣେଇବା ଦରକାର କିମିତି ଖର୍ଚ୍ଚ କରି ସ୍ବାବଲମ୍ବୀ ହେବେ ମହିଳା। ପୂର୍ବ ସରକାର ମିଶନ ଶକ୍ତି ଯୋଜନା ଭଳି ଅନେକ ଯୋଜନା କରୁଥିଲେ । ୧୫ ଲକ୍ଷ ଋଣ ଦେଉଥିଲେ। ସେଥିରେ ମହିଳା ଲାଭ ପାଉଥିଲେ। ପୂର୍ବ ସରକାରରେ ଏସଏଚଜି ମହିଳା ମାନେ ପାଉଥିବା ଟଙ୍କା ଏବେ ଆଉ ପାଇବେ କି ନାହିଁ ବୋଲି ମଧ୍ୟ ମହିଳାଙ୍କ ମନରେ ପ୍ରଶ୍ନ ରହିଛି । ରାଜ୍ୟ ସରକାରଙ୍କ ଯୋଜନାକୁ ନାପସନ୍ଦ କରିବା ପ୍ରଶ୍ନ ଉଠୁନାହିଁ। ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ କାମ କରୁଛୁ । କିନ୍ତୁ ଯୋଜନାରେ ଥିବା ଅସୁବିଧାକୁ ସୁଧାରିବା ସରକାରଙ୍କ ଦାୟିତ୍ଵ ବୋଲି କହିଛନ୍ତି ମେୟର ସୁଲୋଚନା ଦାସ।

Latest Posts

Don't Miss