ବିଜେପି ସରକାର ଉପରେ ବର୍ଷିଲେ ମହିଳା କମିଶନ ସଦସ୍ୟା
ଭୁବନେଶ୍ୱର: ରାଜ୍ୟ ମହିଳା କମିଶନ ଭାଙ୍ଗିବା ନେଇ ରାଜ୍ୟ ବିଜେପି ସରକାର ଉପରେ ବର୍ଷିଲେ ମହିଳା କମିଶନ ସଦସ୍ୟା ସ୍ୱର୍ଣ୍ଣଲତା ସାମଲ। ସେ କହିଛନ୍ତି, ସାମ୍ବିଧାନିକ ବିଧି ବ୍ୟବସ୍ଥା ଓ ମହିଳା କମିଶନ ଆକ୍ଟ ଅନୁଯାୟୀ ଯାହା ହେବା କଥା ନୁହେଁ ତାହା କରାଯାଇଛି। ଏକ କ୍ବାସି ଜୁଡିସିଆଲ ଓ ସ୍ବୟଂଶାସିତ କର୍ତ୍ତୃପକ୍ଷ ହିସାବରେ ସ୍ୱାଧୀନ ଭାବେ କାର୍ଯ୍ୟ କରିବାର କ୍ଷମତା ମହିଳା କମିଶନଙ୍କର ରହିଛି। ହାଇକୋର୍ଟ ମଧ୍ୟ ମାତୃ ମୃତ୍ୟୁହାରକୁ ନେଇ କମିଶନଙ୍କୁ ୨୮ ଟି କେସ୍ ଦେଇଥିଲେ ଓ ସେଥିରୁ ବହୁ କେସର ସଠିକ ନିଷ୍ପତ୍ତି ନେଇଥିବାରୁ ହାଇକୋର୍ଟ ପ୍ରଶଂସା କରିଥିଲେ। ଏହି ସରକାର ସମୟରେ ଏଭଳି କଥା ହେଉଛି ଯାହା କି ବିଡମ୍ବନା ବୋଲି କହିଛନ୍ତି ସଦସ୍ୟା।
ପୂର୍ବରୁ ଲୋପମୁଦ୍ରା ମହାନ୍ତି ମହିଳା କମିଶନ ଅଧ୍ୟକ୍ଷା ଥିବାବେଳେ ସେତେବେଳେ ବିଜୁ ପଟ୍ଟନାୟକ ମଧ୍ୟ ଏହାକୁ ଭାଙ୍ଗି ନ ଥିଲେ। ତେଣୁ ଏବେ ଯଦି ଏଭଳି ନିଷ୍ପତ୍ତି ନେବାର ଥିଲା ଓ ନିଜ ଲୋକଙ୍କୁ ଏସବୁ ପଦବୀରେ ନିଯୁକ୍ତି ଦେବାର ଥିଲା ତାହେଲେ ସିଧା କହିପାରି ଥାନ୍ତେ। କମିଶନକୁ ଅଯଥା ବଦନାମ କରି ଏପଟସେପେଟ କରିବାର ମାନେ କଣ ବୋଲି ଉଠାଇଲେ ପ୍ରଶ୍ନ। ନ୍ୟାୟଗତ ବିଧିବ୍ୟବସ୍ଥା ମଧ୍ୟରେ ନ ଯାଇ ଏଭଳି କରାଯାଇଛି। ଜାତୀୟ ମହିଳା କମିଶନ ମଧ୍ୟ ରାଜ୍ୟ ମହିଳା କମିଶନଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ଭାରତରେ ବିଭିନ୍ନ ରାଜ୍ୟରେ ସରକାର ବଦଳିଥିଲେ ମଧ୍ୟ ମହିଳା କମିଶନ ଭାଙ୍ଗିବା ଅନ୍ୟ କେଉଁ ରାଜ୍ୟରେ ହୋଇନାହିଁ ବୋଲି ସେ କହିଛନ୍ତି। ଜଣେ ମହିଳା ଭାବେ ଉପମୁଖ୍ୟମନ୍ତ୍ରୀ ଏ କଥା କେମିତି ଅନୁଭବ କଲେ ନାହିଁ ବୋଲି ଉଠିଛି ପ୍ରଶ୍ନ କରିଥିଲେ। କୌଣସି ଦଳ ଏଭଳି କରିବା କଥା ନୁହେଁ। ଅଧ୍ୟକ୍ଷାଙ୍କର ଆଉ ଏକ ବର୍ଷ ସମୟସୀମା ଥିଲା ଓ ସଦସ୍ୟ ମାନଙ୍କର ଦେଢ଼ ବର୍ଷ ଥିଲା। ବିଜେପି ସରକାରର ଏତେ ଆକ୍ରୋଶ କାହିଁକି ବୋଲି ପ୍ରଶ୍ନ କହିଛନ୍ତି ସଦସ୍ୟା। ମହିଳା କମିଶନଙ୍କୁ ବିଜେପି ସରକାର ଏକ ରାଜନୈତିକ କ୍ଷେତ୍ର କରିଦେଲେ ବୋଲି ସେ ଅଭିଯୋଗ କରିଛନ୍ତି।