ରାଜ୍ୟରେ ମହିଳା ସୁରକ୍ଷା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ, ରାଜରାସ୍ତାକୁ ଓହ୍ଲାଇଲା ମହିଳା ବିଜେଡି

ନନ୍ଦିଘୋଷ ବ୍ୟୁରୋ : ବିଜେପି ସରକାର ଆସିବାର ୧୪ ମାସ ବିତିଗଲାଣି । ହେଲେ ଏହି ସମୟ ଭିତରେ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ଅଭିଯୋଗ ବାରମ୍ବାର ହେଉଛି । ଗୋପାଳପୁର ବେଳାଭୂମି ପରେ ବାଲିହରଚଣ୍ଡୀ ବେଳାଭୂମିରେ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ପ୍ରତିଷ୍ଠିତ ପର୍ଯ୍ୟଟନସ୍ଥଳୀକୁ ସୁରକ୍ଷା ପ୍ରଦାନ କ୍ଷେତ୍ରରେ ରାଜ୍ୟ ସରକାର ବିଫଳ ହୋଇଥିବା ବିଜୁ ଜନତା ଦଳ ଅଭିଯୋଗ କରିଛି । ୧୪ ମାସ ବିଜେପି ଶାସନରେ, ମହିଳାମାନେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ଅଭିଯୋଗ କରି ଆଜି ସାରା ରାଜ୍ୟରେ ପ୍ରତିବାଦ କରିଛି ମହିଳା ବିଜେଡି । ଦଳ ପକ୍ଷରୁ ସମସ୍ତ ଜିଲ୍ଲା ଏସପି ଅଫିସ ଆଗରେ ଧାରଣା ଦିଆଯାଇଥିଲା । ରାଜ୍ୟର ବିଭିନ୍ନ ସ୍ଥାନରେ ମହିଳା ବିଜେଡି ବିରାଟ ପଟୁଆରରେ ଆସି ଏସପି ଓ ଡିସିପିଙ୍କ ଅଫିସ ଆଗରେ ଧାରଣା ଦେଇଥିଲେ । ଏହା ପରେ ପୋଲିସ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଗୋପାଳପୁର ପରି ବ୍ରହ୍ମଗିରିର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ବାଲିହରଚଣ୍ଡୀ ପୀଠ ନିକଟ ଜଙ୍ଗଲରେ ପ୍ରେମିକକୁ ଗଛରେ ବାନ୍ଧି ତା ସମ୍ମୁଖରେ ପ୍ରେମିକାକୁ ଗଣଦୁଷ୍କର୍ମ ଘଟଣା ଲୋକଲୋଚନକୁ ଆସିଲା । ହେଲେ ପୋଲିସ ଘଟଣାକୁ ଚପାଇବାକୁ ଚେଷ୍ଟା କରୁଥିଲା ବୋଲି ବିଜେଡି ଅଭିଯୋଗ କରିଛି । ଉପମୁଖ୍ୟମନ୍ତ୍ରୀ ଯେଉଁ ଲଭର୍ସ ପଏଣ୍ଟ କଥା ଉଠାଇଥିଲେ, ସେଠି ସୁରକ୍ଷା ପାଇଁ କେତେ ପୋଲିସ ମୁତୟନ ହୋଇଥିବା ନେଇ ପ୍ରଶ୍ନ କରିଛି ବିଜେଡି । ଓଡ଼ିଶା ସୁରକ୍ଷିତ ନୁହେଁ ବୋଲି ଆମେରିକା ରିପୋର୍ଟ କରିବା ପରେ ବିଜେପିର ଓଡ଼ିଆ ଅସ୍ମିତାକୁ ନେଇ ବିଜେଡି ପୁଣି କଟାକ୍ଷ କରିଛି ।

ରାଜ୍ୟରେ ଦୁଷ୍କର୍ମ, ଗଣଦୁଷ୍କର୍ମ, ଅସଦାଚରଣ ଓ ମହିଳାଙ୍କୁ ନିର୍ଯାତନା ଦିନକୁ ଦିନ ବୃଦ୍ଧି ପାଉଛି । ରାଜ୍ୟ ସରକାର ଏହାକୁ ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ବିଜେଡି ବାରମ୍ବାର ଅଭିଯୋଗ କରି ଆସୁଛି । ହେଲେ ଏହା ଥମିବାର ନାଁ ନେଉନାହିଁ । ଦୁଷ୍କର୍ମ ଓ ନାରୀ ନିର୍ଯାତନା ଉଦବେଗଜନକ ଭାବେ ବୃଦ୍ଧି ପାଉଥିବାରୁ, ଓଡ଼ିଶା ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ନିନ୍ଦିତ ହେଉଛି । ଏଫଏମ କଲେଜରେ ଛାତ୍ରୀ ଆତ୍ମାହୁତି ଓ ବଳଙ୍ଗା ଛାତ୍ରୀ ପୋଡି ଘଟଣାରେ ସର୍ବୋଚ୍ଚ ନ୍ୟାୟାଳୟ ଲଜ୍ଜାଜନକ ବୋଲି ଦେଇଥିବା ମନ୍ତବ୍ୟ ପାଇଁ ଓଡିଶା ଜାତୀୟ ସ୍ତରରେ ନିନ୍ଦିତ ହୋଇଥିଲା । ହେଲେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଉନାହାଁନ୍ତି ।

ତଥ୍ୟ ଅନୁସାରେ, ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ପ୍ରତିଦିନ ୧୫ ଜଣ ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି । ରାଜ୍ୟ ପୋଲିସ କର୍ତ୍ତୃପକ୍ଷ କର୍ମଚାରୀ ଅଭାବ ରହିଛି ବୋଲି ସଫେଇ ଦେଉଛନ୍ତି । ରାଜ୍ୟର ନେତା ମନ୍ତ୍ରୀ ମାନଙ୍କୁ ସୁରକ୍ଷା ଦେବା ପାଇଁ ପୋଲିସ ବ୍ୟସ୍ତ ଅଛି, ହେଲେ ମହିଳାଙ୍କୁ ସୁରକ୍ଷା ପ୍ରଦାନ ପାଇଁ କର୍ମଚାରୀଙ୍କ ଅଭାବ ରହିଥିବା ଆପତ୍ତି ଉଠାଇଛି ବିଜୁ ଜନତା ଦଳ । ହେଲେ ରାଜ୍ୟ ସରକାରଙ୍କ ଏଥିପ୍ରତି ନିଘା ନାହିଁ । ଏହା ବିରୋଧରେ ବିଜୁ ମହିଳା ଜନତା ଦଳ ରାଜ୍ୟର ମହିଳାଙ୍କ ସୁରକ୍ଷା ପାଇଁ ଲଢେଇ ଜାରି ରଖିବାକୁ ନିଷ୍ପତ୍ତି ନେଇଛି ।