ହିତାଧିକାରୀଙ୍କ ସନ୍ତୋଷ ଯୋଜନାର ସବୁଠାରୁ ବଡ଼ ସଫଳତା: ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ‘ମୋ ସରକାର’ କାର୍ଯ୍ୟକ୍ରମରେ ସାମିଲ ହୋଇଛି ଆଉ ଏକ ବିଭାଗ । କିଛି ଦିନ ପୂର୍ବେ କୃଷି ଓ ଉଚ୍ଚଶିକ୍ଷା ବିଭାଗକୁ ସାମିଲ କରାଯାଇଥିବାବେଳେ ଆଜି ମହିଳା, ଶିଶୁବିକାଶ ଓ ମିଶନ ଶକ୍ତି ବିଭାଗକୁ ‘ମୋ ସରକାର’ରେ ସାମିଲ କରାଯାଇଛି। ଏହି ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ହିତାଧିକାରୀମାନଙ୍କ ସହିତ ସିଧାସଳଖ କଥା ହେବେ ସରକାର । ଆଜି ଲୋକସେବା ଭବନରୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମହିଳା, ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗ ଅଧିନରେ ମା’ ଓ ଶିଶୁମାନଙ୍କ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ କଲ୍ୟାଣ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଉଛି । ଏହିସବୁ କାର୍ଯ୍ୟକ୍ରମର ସୁଫଳ ହିତାଧିକାରୀଙ୍କ ପାଖରେ ଠିକ୍‌ଭାବରେ ପହଞ୍ଚିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଶିଶୁମାନଙ୍କ ପୁଷ୍ଟି କାର୍ଯ୍ୟକ୍ରମର ସଫଳତା ସହିତ ମାତୃ ମୃତ୍ୟୁହାର ଓ ଶିଶୁ ମୃତ୍ୟୁହାର ହ୍ରାସ ଦିଗରେ ରାଜ୍ୟ ସରକାରଙ୍କ ସଫଳତାରେ ମହିଳା ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗ କର୍ମଚାରୀମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସେମାନଙ୍କ ନିଷ୍ଠାପର ଉଦ୍ୟମ ଦ୍ୱାରା ‘ମମତା’ କାର୍ଯ୍ୟକ୍ରମ ସାରା ଦେଶରେ ଏକ ମଡେଲ ହୋଇପାରିଛି । ଓଡ଼ିଶାରେ ମିଶନ ଶକ୍ତି କାର୍ଯ୍ୟକ୍ରମ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି । ଏହିସବୁ ଭଲ କାମକୁ ଆଗକୁ ଜାରି ରଖିବା ସହିତ ଦୁର୍ନୀତିକୁ ବରଦାସ୍ତ ନ କରିବା ପାଇଁ ମୁଖ୍ୟମନ୍ତ୍ରୀ ବିଭାଗର କ୍ଷେତ୍ର କର୍ମଚାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ହିତାଧିକାରୀଙ୍କ ସନ୍ତୋଷ ହେଉଛି, ଯୋଜନାର ସବୁଠୁ ବଡ଼ ସଫଳତା । ଲୋକଙ୍କୁ ଉତ୍ତମ ସେବା ଯୋଗାଇଦେବା ହେଉଛି ମୋ ସରକାର କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ । ଲୋକଙ୍କ ମତାମତ ଭିତ୍ତିରେ ସେବା ବ୍ୟବସ୍ଥାକୁ ଅଧିକ ଉନ୍ନତ କରିବା ପାଇଁ ଚେଷ୍ଟା କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିବା ସହିତ ଭଲ କାମ ପାଇଁ  ପ୍ରଶଂସା ଓ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।

ମହିଳା ଓ ଶିଶୁ ବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁ ତାଙ୍କ ଭାଷଣରେ ‘ମୋ ସରକାର’ କାର୍ଯ୍ୟକ୍ରମର ଉପାଦେୟତା ଉପରେ ଆଲୋକପାତ କରିଥିଲେ । ଏହି ଅବସରରରେ ଉଦ୍‌ବୋଧନ ଦେଇ ମୁଖ୍ୟ ଶାସନ ସଚିବ ଅସିତ୍‌ କୁମାର ତ୍ରିପାଠୀ କହିଥିଲେ ଯ, ମୋ ସରକାର କାର୍ଯ୍ୟକ୍ରମ ସାରା ଦେଶରେ ଏକ ଅଭିନବ ପ୍ରୟାସ । ତେଣୁ ଏହାର ସଫଳ କାର୍ଯ୍ୟକାରିତା ଉପରେ ବିଶେଷ ଦୃଷ୍ଟି ଦେବା ପାଇଁ ସେ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଥିଲେ ।

5-T ସଚିବ ଭି. କାର୍ତ୍ତୀକେୟ ପାଣ୍ଡିଆନ୍‌ ମହିଳା, ଶିଶୁ ବିକାଶ ଓ ମିଶନ ଶକ୍ତି ବଭାଗର କ୍ଷେତ୍ର କର୍ମଚାରୀମାନଙ୍କୁ ‘ମୋ ସରକାର’ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ବୁଝାଇବା ସହିତ ଏହାର ବିଭିନ୍ନ ଦିଗ ସମ୍ପର୍କରେ ସେମାନଙ୍କ ସହିତ ଆଲୋଚନା କରିଥିଲେ । ବିଭିନ୍ନ ଅଙ୍ଗନବାଡିକୁ ଯୋଗାଇଦିଆଯାଉଥିବା ଛତୁଆ କାର୍ଯ୍ୟକ୍ରମରେ କେବଳ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ସାମିଲ କରିବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ରହିଛି । ଏହାକୁ କଡ଼ାକଡ଼ି ଭାବରେ ପାଳନ କରିବା ପାଇଁ ସେ ଜିଲ୍ଲପାଳମାନଙ୍କୁ ପରାମର୍ଶ ଦେଇଥିଲେ ।

ସେହିପରି ଶିଶୁମାନଙ୍କ ଯତ୍ନ ନେଉଥିବା ବିଭିନ୍ନ ଅନୁଷ୍ଠାନମାନଙ୍କର ଯାଞ୍ଚ ରିପୋର୍ଟରେ ଗ୍ରାଣ୍ଟ ଇନ୍‌ ଏଡ୍‌ ପ୍ରଦାନ ତଥା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ଅନ୍ୟ ସର୍ଭିସ ପ୍ରୋଭାଇଡର୍‌ମାନଙ୍କ ବିଲ୍‌ ମଞ୍ଜୁର ଏବଂ ମିଶନ ଶକ୍ତିର ରିଭଲଭିଂ ଫଣ୍ଡ ଏବଂ ଇନ୍‌ଫ୍ରାଷ୍ଟ୍ରକଚର୍‌ ଫଣ୍ଡ ଆଦି ପ୍ରଦାନ କ୍ଷେତ୍ରରେ ହିତାଧିକାରୀଙ୍କୁ ହଇରାଣ ହରକତ ନକରିବା ପାଇଁ 5-T ସଚିବ ସତର୍କ କରାଇଦେଇଥିଲେ । ଏହି ସବୁ କାର୍ଯ୍ୟକ୍ରମ ବର୍ତ୍ତମାନ ‘ମୋ ସରକାର’ କାର୍ଯ୍ୟକ୍ରମ ଅଧିନରେ ତଦାରଖ କରାଯିବ ବୋଲି ସେ ସୂଚନା ଦେଇଥିଲେ  ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ଉପଦେଷ୍ଟା, ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave a Reply