spot_img

Latest Posts

ମିଳିଲା ମହିଳାଙ୍କ କଟାମୁଣ୍ଡ ; ନାମକୋଣ୍ଡା ପୋଟେରୁ ନଦୀରୁ କଟାମୁଣ୍ଡ ଠାବ

ନନ୍ଦିଘୋଷ ବ୍ୟୁରୋ : ମିଳିଲା ମହିଳାଙ୍କ କଟାମୁଣ୍ଡ। ମାଲକାନଗିରିରେ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଦାର ଘଟଣା। ମିଳିଛି ଜଣେ ମହିଳାଙ୍କ କଟାମୁଣ୍ଡ। ନାମକୋଣ୍ଡା ପୋଟେରୁ ନଦୀରୁ କଟାମୁଣ୍ଡ ଠାବ ହୋଇଥିବା ଜଣାପଡିଛି। ଗାଧୋଇବା ବେଳେ ଦେଖିଲେ ଗ୍ରାମବାସୀ। ରାଖାଲଗୁଡାର ମୃତ ମହିଳାଙ୍କ କଟାମୁଣ୍ଡ ହୋଇଥିବା ସନ୍ଦେହ କରାଯାଉଛି। ସେପଟେ ମାଲକାନଗିରିରେ ମହିଳାଙ୍କୁ ହତ୍ୟା ଘଟଣାରେ ଜଣେ ଅଭିଯୁକ୍ତ ଗିରଫ ହୋଇଛି। ଗିରଫ ଅଭିଯୁକ୍ତ ହେଲା ଏମଭି ୨୬ର ସୁଖରଞ୍ଜନ ମଣ୍ଡଳ। ଏନେଇ କୋରୁକୋଣ୍ଡା ଥାନାରେ ଏକ ମାମଲା ରୁଜୁ ହୋଇଛି। ପୂର୍ବରୁ ମହିଳାଙ୍କ ମୁଣ୍ଡ ମିଳିନଥିବାରୁ  ମାଟିରେ ନିର୍ମିତ ମୁଣ୍ଡ ସହ ମହିଳାଙ୍କ ଅନ୍ତିମ ସଂସ୍କାର କରାଯାଇଛି। ଗାଁରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଛି। ସ୍ଥିତି ସାମାନ୍ୟ ଆୟତ୍ତ ହୋଇଥିବା ବେଳେ, ପୋଲିସ ଛାଉଣି ସହ ସିସିଟିଭି ଲଗାଯାଇଛି। ଶାନ୍ତି ବଜାୟ ରଖିବା ସହ ମିଳିମିଶି ରହିବାକୁ ଶାନ୍ତି କମିଟି ବୈଠକରେ ଅପିଲ କରାଯାଇଛି। ପୋଲିସ ପ୍ରଶାସନ, ସ୍ଥାନୀୟ ବିଧାୟକ ଓ  ଅଞ୍ଚଳର ଜନ ପ୍ରତିନିଧି ଉପସ୍ଥିତ ରହି ଉତ୍ତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରିଛନ୍ତି। ଏମଭି-୨୬ ଗାଁର ମୋଟ ୧୮୮ ଘର ମଧ୍ୟରୁ ୧୬୩ଟି ଘର କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି। ନିଜ ଆସବାବପତ୍ରକୁ ଅନ୍ୟତ୍ର ସ୍ଥାନାନ୍ତର କରୁଛନ୍ତି ଗ୍ରାମବାସୀ। ସେହିପରି ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ଷତିଗ୍ରସ୍ତ ପରିବାରକୁ ମୋଟ ୪ ଲକ୍ଷ ୩୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ଜିଲ୍ଲାପାଳ। ଅନ୍ୟପଟେ ଆଦିବାସୀ ମହାସଂଘ ସଭାପତି ବନ୍ଧୁ ମୁଦୁଲି ୭ଟି ଦାବି ରଖିଛନ୍ତି। ମାସକ ମଧ୍ୟରେ ଦୋଷୀକୁ ଗିରଫ କରିବା ସହ ଫାଶୀଦଣ୍ଡରେ ଦଣ୍ଡିତ କରିବା, ମୃତ ମହିଳାଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ ସହ ଜବରଦଖଲ କରିଥିବା ଅଧିକ ଜମିକୁ ଗ୍ରାମସଭାକୁ ହସ୍ତାନ୍ତର କରିବାକୁ ଆଦିବାସୀ ମହାସଂଘ ଦାବି କରିଛି। ସ୍ଥିତିକୁ ନଜରରେ ରଖି ଇଣ୍ଟରନେଟ ସେବାକୁ ବନ୍ଦ ରଖାଯାଇଛି।

 

Latest Posts

Don't Miss