ଅନ୍ଧବିଶ୍ୱାସରେ ହଜିଲା ମାନବିକତା: ଶୀତ କାକରେ ହ୍ୟୁମ୍ ପାଇପ୍ ଭିତରେ ରହିଲେ ପରିବାର

ବାଲେଶ୍ଵର: ଅନ୍ଧବିଶ୍ୱାସର ଅନ୍ଧ ଗଳିରେ ମଣିଷ । ସବୁ ସୀମା ଟପିଗଲା ଅନ୍ଧବିଶ୍ୱାସ । ଡାହାଣୀ ସନ୍ଦେହରେ ମାଡ଼ମାରି ଗାଁରୁ ତଡ଼ିଲେ ଗ୍ରାମବାସୀ । ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ଶ୍ରୀରାମପୁର ମହିଷାମୁଣ୍ଡା ଗାଁରେ ଅଭାବନୀୟ ଘଟଣା । ଗାଁର ଜଣେ ମହିଳାଙ୍କୁ ଡାହାଣୀ ସନ୍ଦେହ କରି ତାଙ୍କୁ ଓ ତାଙ୍କ ପରିବାରକୁ ମାଡ଼ମାରି ଗାଁରୁ ତଡ଼ି ଦେଇଛନ୍ତି ଗ୍ରାମବାସୀ ।

ଗାଁର ଲୁସ୍କୁ ଟୁଡୁଙ୍କ ସ୍ତ୍ରୀ ରୁକ୍ମିଣୀଙ୍କୁ ଡାହାଣୀ ସନ୍ଦେହ କରି ତାଙ୍କୁ ଓ ତାଙ୍କ ପରିବାରକୁ ଗାଁରୁ ତଡ଼ି ଦେଇଛନ୍ତି ଗ୍ରାମବାସୀ । ସ୍ୱାମୀ ସ୍ତ୍ରୀ ଓ ପିଲାକୁ ଧରି ଅନ୍ୟ ଏକ ଗାଁ ପାଖ ହ୍ୟୁମ୍‌ ପାଇପ୍‌ ଭିତରେ ଆଶ୍ରୟ ନେଇଛନ୍ତି ରୁକ୍ମିଣୀଙ୍କ ପରିବାର । ସୂଚନା ଅନୁସାରେ ଲୁସ୍କୁଙ୍କ ବଡ଼ଭାଇଙ୍କ ଦୁଇପୁଅ ରୋଗରେ ପଡ଼ି ପ୍ରାଣ ହରାଇଥିଲେ । ସେମାନଙ୍କ ମୃତ୍ୟୁର କାରଣ ଲୁସ୍କୁଙ୍କ ସ୍ତ୍ରୀ ରୁକ୍ମିଣୀ ବୋଲି ବଡ଼ଭାଇ ସନ୍ଦେହ କରିଥିଲେ ।

ବଡ଼ଭାଇ ଏକଥା ଗ୍ରାମବାସୀଙ୍କୁ ଜଣାଇବାପରେ ଗ୍ରାମବାସୀ ମାଡ଼ ମାରିବା ସହିତ ଗାଁରୁ ତଡ଼ି ଦେଇଛନ୍ତି । ଏମିତିକି ଘରୁ କୈାଣସି ଜିନିଷ ମଧ୍ୟ ଦେଇ ନାହାଁନ୍ତି । ପାଖରେ ପଇସାପତ୍ର କି ଲୁଗାପଟା କିଛି ନଥିବାରୁ ଶୀତ କାକରରେ ଭୋକ ଉପାସରେ ଦୟନୀୟ ଅବସ୍ଥାରେ ରୁକ୍ମିଣୀ ଓ ତାଙ୍କ ପରିବାର ହ୍ୟୁମ୍ ପାଇପ୍ ଭିତରେ ରହୁଛନ୍ତି । ଏଥିରୁ ସ୍ପଷ୍ଟ ହୋଇଛି ଯେ, ପିଢି  ପରେ ପିଢି ବଦଳୁଛି କିନ୍ତୁ ଅନ୍ଧବିଶ୍ୱାସର ଅନ୍ଧାର ଗଳିରେ ଏବେ ହଜୁଛି ମଣିଷପଣିଆ ।

Leave a Reply