ପ୍ରେମ ପାଇଁ ବାଂଲାଦେଶରୁ ପହଁରି ଭାରତ ଆସିଲେ ପ୍ରେମିକା

ନୂଆଦିଲ୍ଲୀ: ପ୍ରେମ ପାଇଁ ବାଂଲାଦେଶରୁ ପହଁରି ପହଁରି ଭାରତ ଆସିଲେ ପ୍ରେମିକା । ବାଂଲାଦେଶର କ୍ରିଷ୍ଣା ମଣ୍ଡଳ ଓ ଭାରତର ଅବିକ ମଣ୍ଡଳଙ୍କ ମଧ୍ୟରେ ଫେସବୁକରୁ ପ୍ରେମ ସଂପର୍କ ସୃଷ୍ଟି ହୋଇଥିଲା । ହେଲେ ଭାରତ ଆସିବା ପାଇଁ କ୍ରିଷ୍ଣାଙ୍କ ପାଖରେ ପାସପୋର୍ଟ ନଥିଲା । ତେଣୁ ବେଆଇନ୍ ଭାବେ ସେ ଭାରତ ଆସିବା ପାଇଁ ଯୋଜନା କରିଥିଲେ ।

ପୋଲିସ ସୂଚନା ଅନୁସାରେ, କ୍ରିଷ୍ଣା ପ୍ରଥମେ ମହାବଳ ବାଘ ପାଇଁ ଜଣାଶୁଣା ସୁନ୍ଦରବନରେ ପହଞ୍ଚିଥିଲେ । ସେଠାରୁ ନଦୀରେ ପ୍ରାୟ ଏକ ଘଣ୍ଟା ପହଁରି ପ୍ରେମିକଙ୍କ ପାଖରେ ପହଞ୍ଚିଥିଲେ । ସୁନ୍ଦରବନର ଘନ ଜଙ୍ଗଲ କି ଅଥଳ ସାଗରର ଗଭୀରତା ତାଙ୍କୁ ଭୟଭୀତ କରି ପାରିନଥିଲା । ଗତ ତିନି ଦିନ ତଳେ ପ୍ରେମିକ ଅବିକଙ୍କୁ କୋଲକାତାର କାଳୀଘାଟ ମନ୍ଦିରରେ ବିବାହ କରିଛନ୍ତି କ୍ରିଷ୍ଣା । ତେବେ ବେଆଇନ୍ ଭାବେ ଭାରତରେ ପ୍ରବେଶ କରିବା ନେଇ ତାଙ୍କୁ ଗତକାଲି ଗିରଫ କରାଯାଇଛି । କ୍ରିଷ୍ଣାଙ୍କୁ ବାଂଲାଦେଶ ହାଇ କମିଶନଙ୍କୁ ହସ୍ତାନ୍ତର କରାଯିବ । କ୍ରିଷ୍ଣାଙ୍କ ପୂର୍ବରୁ ଜଣେ ବାଂଲାଦେଶୀ କିଶୋର ଚକୋଲେଟ୍ ପାଇଁ ଭାରତକୁ ପହଁରି ଆସିଥିବା ଖବର ଚର୍ଚ୍ଚାରେ ରହିଥିଲା ।