ଲାସ୍ ପଡ଼ିଛି,ଉଠେଇବ ଯାଅ,ସ୍ୱାମୀ-ଦେଢଶୂରଙ୍କୁ ଗୁଳି ମାରି ପୋଲିସକୁ କହିଲେ ମହିଳା

ଭୋପାଳ: ମଧ୍ୟ ପ୍ରଦେଶର ଉଜୈନରେ ଜମି ବିବାଦକୁ ନେଇ ଜଣେ ମହିଳା ସ୍ବାମୀ ଓ ଦେଢଶୂରଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ହତ୍ୟାକାଣ୍ଡ ଘଟାଇ ପିସ୍ତଲ ଧରି ଥାନାରେ ଆତ୍ମସମର୍ପଣ କରିଛନ୍ତି । ‘ମୁଁ ମୋ ମଥା ସିନ୍ଦୂର ପୋଛି ଦେଇଛି, ମୋ ସ୍ବାମୀ ଆଉ ଦେଢଶୂରଙ୍କ ଶବ ଉଠାଇ ଆଣ ’ । ହାତରେ ପିସ୍ତଲ ଧରିଥିବା ମହିଳାଙ୍କ ମୁହଁରୁ ଏଭଳି ଶୁଣିବା ପରେ ପୋଲିସର ହୋସ୍ ଉଡିଯାଇଛି ।
ଉଜୈନରୁ ୨୫ କିଲୋମିଟର ଦୂର ଇଙ୍ଗୋରିଆ ଗାଁରେ ଏହି ଅଘଟଣ ଘଟିଛି । ଅଭିଯୁକ୍ତ ମହିଳା ସବିତାଙ୍କ ପତି ରାଧେଶ୍ୟାମ ଘଟଣାସ୍ଥଳରେ ପ୍ରାଣ ହରାଇଥିବା ବେଳେ ତାଙ୍କ ଦେଢଶୂର ହସ୍ପିଟାଲରେ ପ୍ରାଣ ହରାଇଛନ୍ତି । ସବିତା ଜଣେ ଅଙ୍ଗନୱାଡି ଦିଦି ହୋଇଥିବାବେଳେ ସମ୍ପତ୍ତି ବିବାଦରୁ ଏଭଳି କାଣ୍ଡ ଘଟାଇଛନ୍ତି ।
୪ ଥାକିଆ ରାଜପଥ କଡରେ ତାଙ୍କର ୫ କୋଟି ମୂଲ୍ୟର ଏକ ଜମି ରହିଛି । ଯାହାକୁ ହଡପ କରିବା ପାଇଁ ଦେଢଶୂର ଦିନେଶ ସବୁବେଳେ ଚାହୁଁଥିଲା । ଏଥିପାଇଁ ସେ ମହିଳାଙ୍କ ସ୍ବାମୀ ରାଧେଶ୍ୟାମକୁ ସବୁବେଳେ ଉସକାଉଥିଲେ । ରାଧେଶ୍ୟାମ ବି ସବୁବେଳେ ନିଶାଗ୍ରସ୍ତ ରହୁଥିବାରୁ ବଡ ଭାଇଙ୍କ ପ୍ରରୋଚନାରେ ସବିତାଙ୍କୁ ପ୍ରତିଦିନ ମାଡ ମାରିବା ସହ ଜମି ଭାଇଙ୍କ ନାଁରେ କରିଦେବା ପାଇଁ ଧମକ ଦେଉଥିଲା ।

ପ୍ରତିଦିନ ମାଡଗାଳିରେ ଅତିଷ୍ଠ ହୋଇ ସ୍ବାମୀ ଓ ଦେଢଶୂରଙ୍କୁ ହତ୍ୟା କରିଥିବା ପୋଲିସ ନିକଟରେ ସ୍ବୀକାର କରିଛି ସ୍ତ୍ରୀ । ଘଟଣା ଦିନ ସେ ପ୍ରଥମେ ଦେଢଶୂର ଓ ପରେ ସ୍ବାମୀଙ୍କୁ ଗୁଳି କରିଥିଲେ । ଦୁଇ ଝିଅ ଓ ଏକମାତ୍ର ପୁଅ ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା ପୋଲିସଙ୍କୁ କହିଛନ୍ତି ।