ଏକତରଫା ପ୍ରେମରୁ ମହିଳାଙ୍କୁ ଛୁରୀ ଭୂଷି ହତ୍ୟା

ଭୁବନେଶ୍ୱର : ଏକତରଫା ପ୍ରେମରୁ ମହିଳାଙ୍କୁ ଛୁରୀ ଭୂଷି ହତ୍ୟା। କ୍ୟାପିଟାଲ ଥାନା ବାପୁଜିନଗର ଠାରେ ଘଟିଛି ଏଭଳି ଘଟଣା । ମୃତକ ଜଣଙ୍କ ହେଲେ ଗୀତାଞ୍ଜଳି ରଞ୍ଜିତ ଓରଫ ଦୀପିକା । ତାଙ୍କ ଘର ବାଲେଶ୍ଵର ଜଳେଶ୍ବର ରେ ବୋଲି ଜଣାପଡିଛି। ଶିଶୁଭବନ ଛକ ନିକଟରେ ସେ ଭଡାରେ ରହୁଥିଲେ । ମୃତକଙ୍କ ସ୍ୱାମୀ କୁଞ୍ଜବିହାରି ଦତ୍ତ ଏ ନେଇ ଗତକାଲି ରାତିରେ ଥାନାରେ ଅଭିଯୋଗ କରିଥିଲେ । କୁଞ୍ଜବିହାରି ଙ୍କର ବାପୁଜିନଗର ରେ ଏକ ମୋବାଇଲ ମରାମତି ଦୋକାନ ରହିଛି । ଗତକାଲି ସନ୍ଧ୍ୟା ୭ ଟା ରେ ସ୍ୱାମୀଙ୍କ ଦୋକାନ କୁ ଯାଇଥିଲେ। ଫେରିବା ବେଳେ ଜଣେ ଦୁର୍ବୁର୍ତ୍ତ ତାଙ୍କୁ ପିଛା କରି ଅଟକାଇଥିଲେ । କୌଣସି କଥାକୁ କେନ୍ଦ୍ର କରି ଦୁହିଁଙ୍କ ଭିତରେ ଯୁକ୍ତିତର୍କ ହୋଇଥିଲା।

ଏହାପରେ ଅତର୍କିତ ଭାବେ ଯୁବକ ଜଣଙ୍କ ଛୁରାମାଡ଼ କରିଥିବା ଜଣାପଡ଼ିଛି । ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ବଡ଼ ମେଡ଼ିକାଲ ମହିଳା ଜଣଙ୍କୁ ନିଆଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି । ପ୍ରେମ ପାଇଁ ଏଭଳି ଚରମ ନିଷ୍ପତ୍ତି ନିଆଯାଇଥିବା ପୋଲିସ ଜାଣିବାକୁ ପାଇଛି । ସିସିଟିଭି ଆଧାର ରେ ପୋଲିସ ଅଭିଯୁକ୍ତକୁ ଧରିବା ପାଇଁ ଚେଷ୍ଟା ଚଳାଇଛି ।