ବେକରେ ଶାଢୀ ଦେଇ ମା ଓ ପୁଅଙ୍କ ଆତ୍ମହତ୍ୟା ଅଭିଯୋଗ

ରାୟଗଡା: ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ଜେକେପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ବେକରେ ଶାଢୀ ଦେଇ ମା ଓ ପୁଅ ଆତ୍ମହତ୍ୟା କରିଥିବା ନଜରକୁ ଆସିଛି। ଆତ୍ମହତ୍ୟା କରିଥିବା ମା ଓ ପୁଅ ହେଲେ ପି. ଦିବ୍ୟା(୨୯) ଓ ପି. ସାଇ(୪)। ଆର୍ଥିକ ଅନଟନରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।

ଘଟଣାରୁ ପ୍ରକାଶ ଯେ, ଦିବ୍ୟାଙ୍କ ସ୍ବାମୀ ପି. ଶ୍ରୀନୁଙ୍କ ଗତ ୫ ମାସ ପୂର୍ବରୁ ମୃତ୍ୟୁ ଘଟିଥିଲା। ସ୍ବାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀ ଦିବ୍ୟା ଆର୍ଥିକ ଅନଟନ ଦେଇ ଗତି କରୁଥିଲେ। ନିଜର ଏକମାତ୍ର ପୁଅ ଓ ଶାଶୁଙ୍କ ସହ ସେ ଜେକେ କାଗଜ କଳ ଏସପିଟି କଲୋନୀରେ ରହି ଆସୁଥିଲେ। ତେବେ ଆଜି ମଧ୍ୟାହ୍ନ ସମୟରେ ଘରେ ଶାଶୁ ନଥିଲା ବେଳେ ଉଭୟ ମା ଓ ପୁଅ ଘରେ ଥିବା ଶାଢୀକୁ ବେକରେ ଗୁଡେଇ ଆତ୍ମହତ୍ୟା କରିଥିଲେ।

ଶାଶୁ ୫ଟା ସମୟରେ ପହଞ୍ଚି ଦେଖିବା ବେଳକୁ ଉଭୟ ଝୁଲନ୍ତା ଅବସ୍ଥାରେ ରହିଥିଲେ। ଏହା ଦେଖି ସେ ପାଟି କରିଥିଲେ। ପାଟି ଶୁଣି ପଡୋଶୀ ପହଞ୍ଚି ପୋଲିସକୁ ଖବର ଦେଇଥିଲେ। ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।

ତେବେ ଘଟଣାର ତଦନ୍ତ ଜାରି ରହିଛି । ତଦନ୍ତ ଶେଷ ପରେ ଆତ୍ମହତ୍ୟା ପଛର କାରଣ ଜଣାପଡିବ ବୋଲି ଆଇଆଇସି ରଶ୍ମି ରଞ୍ଜନ ପ୍ରଧାନ କହିଛନ୍ତି। ଏହି ଘଟଣା ସମଗ୍ର ଜେକେପୁର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

Leave a Reply