ତିରୁପତି ଲଡୁରେ ଗୋଚର୍ବି ପରେ ଏବେ ସିଗାରେଟ, ତେଜୁଛି ଅସନ୍ତୋଷ

1 min read

ନନ୍ଦିଘୋଷ ବ୍ୟୁରୋ: ଦିନକୁ ଦିନ ବଢ଼ିଚାଲିଛି ତିରୁପତି ମନ୍ଦିରର ଲଡୁ ବିବାଦ। ଆନ୍ଧ୍ରପ୍ରଦେଶର ତିରୁପତି ବାଲାଜୀ ମନ୍ଦିରର ଲଡୁରେ ପଶୁ ଚର୍ବି ଏବଂ ଖରାପ ସାମଗ୍ରୀ ମିଶୁଥିବା ତଥ୍ୟ ସାମ୍ନାକୁ ଆସିଥିବା ବେଳେ ପୁଣି ଏକ ଖବର ଭକ୍ତଙ୍କ ଆବେଗକୁ କୁଠାରଘାତ କରିଛି । ଯାହା ସମଗ୍ର ଦେଶରେ ଭକ୍ତଙ୍କ ମନରେ ଅସନ୍ତୋଷ ଖେଳାଇଦେଇଛି । ଲଡୁରେ ଗୋଚର୍ବି ବିବାଦ ମଧ୍ଯରେ ଆଉ ଏକ ବଡ ଅଭିଯୋଗ ଆଣିଛନ୍ତି ଜଣେ ଭକ୍ତ । ଲଡୁ ଭିତରୁ ସିଗାରେଟ ଖଣ୍ଡ ବାହାରିଛି ବୋଲି କହିଛନ୍ତି ତେଲଙ୍ଗାନା ଖମାମ ଜିଲ୍ଲାର ଜଣେ ଭକ୍ତ ।

https://x.com/Bnglrweatherman/status/1838171484067598381/video/1

ଗୋଲାଗୁଦେମ ପଞ୍ଚାୟତର କାର୍ତ୍ତିକେୟ ସହରର ମହିଳା ଭକ୍ତ ଦୋନ୍ଥୁ ପଦ୍ମାବତୀ ଅଭିଯୋଗ କରିଛନ୍ତି ସେ ଗତ ସେପ୍ଟେମ୍ବର ୧୯ ତାରିଖରେ ତିରୁମାଲା ମନ୍ଦିର ଯାଇଥିଲେ । ସେ ମନ୍ଦିରରୁ କିଛି ଲଡୁ କିଣି ଆଣିଥିଲେ । ଘରେ ତାଙ୍କ ପରିବାର ଓ ପଡୋଶୀଙ୍କୁ ଏହି ଲଡୁ ବାଣ୍ଟିବାବେଳେ ସେ ଦେଖିଥିଲେ ଲଡୁ ଭିତରେ କାଗଜରେ ଗୁଡାଯାଇଥିବା ସିଗାରେଟ ଖଣ୍ଡ ରହିଛି । ଏହାକୁ ନେଇ ସମସ୍ତ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଲଡୁ ପ୍ରସ୍ତୁତରେ ବ୍ଯବହୃତ ଘିଅରେ ଗୋଚର୍ବି, ଘୁଷୁରି ଚର୍ବି ଓ ମାଛ ତେଲ ମିଶ୍ରଣ ଅଭିଯୋଗ ସାରା ଦେଶରେ ଚାଞ୍ଚଲ୍ଯ ସୃଷ୍ଟି କରିଥିବାବେଳେ ଏବେ ଲଡୁରୁ ସିଗାରେଟ ଖଣ୍ଡ ବାହାରିବା ଘଟଣା ପୁଣି ଭକ୍ତଙ୍କ ପ୍ରାଣକୁ ଆଘାତ ଦେଇଛି ।

ଏହି ଅପମିଶ୍ରଣ ଲାଗି ତତକାଳୀନ ଆନ୍ଧ୍ର ମୁଖ୍ଯମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଉପରେ ଦୋଷ ଲଦିଥିଲେ ମୁଖ୍ଯମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ । ସେପଟେ ଲଡୁ ପ୍ରସଙ୍ଗକୁ ନେଇ ତିରୁପତିରେ ହିନ୍ଦୁ ସାଧୁ ପରିଷଦ ପକ୍ଷରୁ ଧାରଣା ଦିଆଯାଇଛି। ଗତକାଲି ତିରୁପତି ମନ୍ଦିରକୁ ବିଶୋଧନ କରାଯାଇଥିଲା।