ମାସକର ପିଲାକୁ ବଞ୍ଚାଇବାକୁ ଋଷ ଗୁଳି ଆଗରେ ଛିଡା ହୋଇଗଲେ ୟୁକ୍ରେନ ମାଆ

1 min read

କିଭ୍: ମାଆ ମମତାମୟୀ । ମାଆର ପଣତ ସ୍ବର୍ଗପୁର । ମାଆ ପାଖରେ ଥିଲେ ପିଲା ପାଖକୁ କୌଣସି ବିପଦ ଆସିପାରିବ ନାହିଁ । କାରଣ ବିପଦ ଆଗରେ ଅଭେଦ୍ୟ ପାଚେରୀ ପରି ଛିଡ଼ା ହୋଇଥାଏ ମାଆ । ସ୍ବୟଂ ଯମରାଜଙ୍କ ପାଖରୁ ପୁଅକୁ ଫେରାଇ ଆଣିବାର ଶକ୍ତି ଥାଏ ମାଆ ପାଖରେ । ଆମେ ଏମିତି କହିବାର ଅର୍ଥ ହେଉଛି, ଋଷ-ୟୁକ୍ରେନ୍ ଯୁଦ୍ଧ ମଧ୍ୟରୁ ଆସିଛି ଏମିତି କିଛି ଖବର । ନିଜ ମାସକର ପିଲାକୁ ବଞ୍ଚାଇବାକୁ ଋଷ ସେନାର ଗୁଳି ଆଗରେ ପିଠି କରି ଛିଡା ହୋଇଯାଇଛନ୍ତି ଜଣେ ମାଆ ।

ଖବର ଅନୁସାରେ ରାଜଧାନୀ କିଭ୍ ଦଖଲ ପାଇଁ ପୂରା ଦମ ଲଗାଇ ଦେଇଛି ଋଷ । ଆକାଶରୁ ବର୍ଷୁଛି ଘନ ଘନ ମିଜାଇଲ । ନାଁ ସ୍କୁଲ, ନା ହସ୍ପିଟାଲ, ନା ନିରୀହ ଲୋକଙ୍କ ଘର ଦେଖୁଛି ଋଷ ସେନା । ଯେଉଁଠି ଚାହୁଁଛି ସେଠି ମିଜାଇଲ ଓ ବୋମା ବର୍ଷା କରୁଛି । ଏମିତି ଗୁଳି ମାଡ କିଭର ଜଣେ ମହିଳାଙ୍କ ଘର ଉପରେ ହୋଇଥିଲା । ଋଷ ସେନା ପକ୍ଷରୁ ଚାଲୁଥିଲା ଆଖିବୁଜା ଗୁଳି । ଘରେ ମହିଳାଙ୍କ ସହ ଏକ ମାସର ପିଲା ଓ ପତି ଥିଲେ । ମହିଳା ଜଣଙ୍କ ପିଲାକୁ କୋଳରେ ଜାବୁଡି ଧରି ଋଷ ସେନାର ଗୁଳି ଆଗକୁ ପିଠି କରି ଦେଇଥିଲେ । ତାଙ୍କ ଶରୀରରେ ବାଜିଥିଲା ଏକାଧିକ ଗୁଳି । ହେଲେ ପିଲାକୁ ସାମାନ୍ୟ ଆଘାତ ହେବାକୁ ବି ଦେଇ ନଥିଲେ । ପିଲା ସମେତ ପୂରା ପରିବାରକୁ ମେଡିକାଲରେ ଭର୍ତ୍ତି କରାଯାଇଛି । ମହିଳା ଓ ତାଙ୍କ ପତିଙ୍କ ଅପରେସନ କରାଯାଇ ଗୁଳି ବାହାର କରାଯାଇଛି । ଏବେ ବି ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି ।

ଯୁଦ୍ଧ ବଳୟ ଭିତରେ ଫସିଛନ୍ତି ଦେଢ ଲକ୍ଷ ଲୋକ

ଋଷର ଆକ୍ରମଣ ପରଠାରୁ ୟୁକ୍ରେନରୁ ପଳାୟନ ଜାରି ରହିଛି । ଲକ୍ଷ ଲକ୍ଷ ୟୁକ୍ରେନ ଛାଡ଼ି ପଡୋଶୀ ଦେଶକୁ ଶରଣାର୍ଥୀ ଭାବେ ଚାଲି ଯାଉଛନ୍ତି । ୟୁଏନ ମାଇଗ୍ରେସନ ଏଜେନ୍ସି ଅନୁସରେ ୟୁକ୍ରେନରେ ପ୍ରାୟ ୬୫ ଲକ୍ଷ ଲୋକ ବିସ୍ଥାପିତ ହୋଇଛନ୍ତି । ଦେଢ ଲକ୍ଷରୁ ଅଧିକ ଲୋକ ଏବେ ବି ଯୁଦ୍ଧ ଚାଲିଥିବା ଅଞ୍ଚଳରେ ଫସି ରହିଛନ୍ତି ।