ନବୀନ କ୍ରେଜ୍ ସବୁଠି ଆଗରେ: ସୁଭଦ୍ରା ସଚେତନତା ରାଲିରେ ନବୀନଙ୍କୁ ଝୁରିଲେ ମହିଳା

ଭୁବନେଶ୍ବର: ସୁଭଦ୍ରା ସଚେତନତା ରାଲିରେ ନବୀନ ନବୀନ । ନବୀନଙ୍କ ଯୋଜନା ଭଲ ଥିଲା । ଯାହା କହୁଥିଲେ ତାହା କରିକି ଦେଖାଉଥିଲେ । ଭୁବନେଶ୍ବରରେ ସୁଭଦ୍ରା ଶୋଭାଯାତ୍ରାରେ ଏଭଳି କହି ନବୀନଙ୍କୁ ଝୁରି ହୋଇଛନ୍ତି ମହିଳା । ବିଜେପିର କଥା ଗୋଟେ କାମ ଗୋଟେ କହି ପ୍ରବଳ ବର୍ଷିବା ସହ ୫ ହଜାର ଟଙ୍କାରେ କେମିତି ସ୍ବାବଲମ୍ବୀ ହେବୁ ବୋଲି ପ୍ରଶ୍ନ ପଚାରିଛନ୍ତି । ଅନ୍ଯପଟେ ନବୀନ ସରକାର ବିନା ସୁଧରେ ଦେଉଥିବା ଋଣ ଆଗକୁ ମିଳିବ କି ନାହିଁ ଓ ମହିଳାଙ୍କ ଭବିଷ୍ଯତ କ’ଣ ହେବ ବୋଲି ସରକାରଙ୍କୁ ପଚାରିଛନ୍ତି ଭୁବନେଶ୍ବର ମେୟର । ସେପଟେ ପରୀକ୍ଷାମୂଳକ ଭାବେ ଆଜି ସୁଭଦ୍ରା ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କାଏ ଲେଖାଏଁ ପଠାଇଛନ୍ତି ରାଜ୍ଯ ସରକାର ।

ଶୋଭାଯାତ୍ରା ଥିଲା ସୁଭଦ୍ରା ପାଇଁ । ହେଲେ ମନ ଝୁରୁଥିଲା ନବୀନଙ୍କ ପାଇଁ । ନବୀନଙ୍କ ଯୋଜନା, ନବୀନଙ୍କ କାମ । ନା ଭୁଲି ହେଉଛି, ନା ଭୁଲି ହେବ । ଭୁବନେଶ୍ବର ସୁଭଦ୍ରା ସଚେତନନା ରାଲିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏମିତି ମନେ ପକାଇ ଝୁରି ହୋଇଛନ୍ତି ମହିଳା । ନବୀନଙ୍କ ଯୋଜନା ଥିଲା ୱାନ ପିସ୍ । ଯାହା କହୁଥିଲେ ତାହା କରିକି ଦେଖାଉଥିଲେ । ମାଆଙ୍କୁ ଚୁଲି ମୁଣ୍ଡରୁ ବାହାର କରି ସ୍ବାବଲମ୍ବୀ ହେବାର ସୁଯୋଗ ଦେଇଥିଲେ । ନବୀନ ଯାହା କରିଛନ୍ତି ଜୀବନ ସାରା ଭୁଲି ହେବନି କହି କୃତଜ୍ଞତା ଜଣାଇଛନ୍ତି ମହିଳା । ଏହାଛଡା ବିଜେପିର କଥା ଗୋଟେ କାମ ଗୋଟେ କହି ପ୍ରବଳ ବର୍ଷିଛନ୍ତି । ୨ ବର୍ଷରେ ୫୦ ହଜାର ଟଙ୍କା ଦେବାକୁ ବିଜେପି ପ୍ରତିଶ୍ରୁତି ଦେଇଥିଲା । ହେଲେ ଭୋଟ ସରିବା ପରେ ପ୍ରତିଶ୍ରୁତି ଭୁଲିଗଲେ । ବର୍ଷକୁ ୧୦ ହଜାର ଟଙ୍କାରେ କେମିତି ସ୍ବାବଲମ୍ବୀ ହେବୁ ବୋଲି କ୍ଷୋଭର ସହ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ମହିଳା ।

ଦିନଟିଏ ପରେ ସୁଭଦ୍ରା ସହାୟତା ମିଳିବାକୁ ଘୋଷଣା ହୋଇଥିଲେ ବି ଏଯାଏଁ ଦ୍ବନ୍ଦ୍ବ ଯାଉନି । ଯୋଜନାରେ କୋଟିଏ ମହିଳାଙ୍କୁ ସାମିଲ ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି । ହେଲେ ଏପର୍ଯ୍ୟନ୍ତ  ୫୦ ଲକ୍ଷ ବି ଆବେଦନ କରି ନାହାଁନ୍ତି । ନବୀନ ସରକାର ମିଶନ ଶକ୍ତି ମାଧ୍ଯମରେ ୭୦ ଲକ୍ଷ ମହିଳାଙ୍କୁ ସଶକ୍ତ କରିଥିଲେ । ବିନା ସୁଧରେ ମିଳୁଥିବା ୧୫ ଲକ୍ଷ ଟଙ୍କା ଋଣରେ ମାଆମାନେ ସ୍ବାବଲମ୍ବୀ ହେଉଥିଲେ । ହେଲେ ଏବେ ସେହି ଟଙ୍କା ମିଳିବ କି ନାହିଁ ସନ୍ଦେହ ଘେରରେ । ସୁଭଦ୍ରା ଟଙ୍କା କେମିତି ଖର୍ଚ୍ଚ ହେବ ସେଥିପାଇଁ ଟ୍ରେନିଂ ଦିଆଯାଇନାହିଁ । ୫ ହଜାର ଟଙ୍କାରେ ମହିଳାମାନେ କେମିତି ସ୍ବାବଲମ୍ବୀ ହେବେ ଓ ସେମାନଙ୍କ ଭବିଷ୍ଯତ କ’ଣ ହେବ ବୋଲି ପ୍ରଶ୍ନ କରିଛନ୍ତି ଭୁବନେଶ୍ବର ମେୟର ସୁଲୋଚନା ଦାସ ।

ଆସନ୍ତା ୧୭ ତାରିଖରେ ପଞ୍ଜୀକୃତ ହୋଇଥିବା ମହିଳାଙ୍କୁ ମିଳିବ ପ୍ରଥମ ସୁଭଦ୍ରା କିସ୍ତି । ହେଲେ ଏବେ ବି ଅନେକ ସ୍ଥାନରେ ସୁଭଦ୍ରା ଆବେଦନ ପ୍ରକ୍ରିୟାର ବ୍ଯବସ୍ଥିତ ହୋଇପାରିନି । ଯାହାକୁ ନେଇ ଲୋକଙ୍କ ମଧ୍ଯରେ ଅସନ୍ତୋଷ ବଢିବାରେ ଲାଗିଛି ।