କିଏ ଏହି ଅକ୍ସାନା ମାଲାୟା; ଯାହାଙ୍କୁ କୁକୁର ଶିଖାଇଥିଲା ଜୀବନ ବଞ୍ଚିବା…

1 min read

କିଭ୍: ଆପଣମାନେ ନିଶ୍ଚୟ ଟାରଜନ ଓ ମୋଗଲି କଥା ଶୁଣିଥିବେ। ଜଣେ ମଣିଷ କିପରି ବନ୍ୟଜନ୍ତୁଙ୍କ ଗହଣରେ ବଢି ସେମାନଙ୍କୁ ଅନୁକରଣ କରି କାଳ କାଟିଛି ତାହାର କାହାଣୀ ମନକୁ ଆନ୍ଦୋଳିତ କରିବ। ହେଲେ ବନ୍ୟଜନ୍ତୁଙ୍କ ସହ ନୁହଁ ଖୋଦ କୁକୁର ସହ ବାଲ୍ୟକାଳ କଟାଇବା ଘଟଣା ସମସ୍ତଙ୍କୁ ଚମତ୍କୃତ କରିବ। ୟୁକ୍ରେନର ଏହି ଘଟଣା ଏବେ ଖୁବ୍ ଚର୍ଚ୍ଚାରେ।

ଅକ୍ସାନା ମାଲାୟାଙ୍କ ବାସ୍ତବ ଜୀବନ କାହାଣୀ ସମସ୍ତଙ୍କୁ କରିବ ଆଶ୍ଚର୍ଯ୍ୟ। ମାଲାୟାକୁ ୩ ବର୍ଷ ହୋଇଥିବାବେଳେ ତାକୁ ତାର ମଦ୍ୟପ ବାପା-ମା ଘରୁ ପଦାକୁ ବାହାର କରିଦେଇଥିଲେ। ପ୍ରବଳ ଶୀତରେ ଜୀବନ ରକ୍ଷା ପାଇଁ ମାଲାୟା କୁକୁର ରହୁଥିବା ଘରକୁ ଚାଲିଯାଇଥିଲା। ଆଶ୍ଚର୍ଯ୍ୟର କଥା ସେ ପ୍ରାୟ ୫ ବର୍ଷ ଧରି କୁକୁର ସହ ରହିଥିଲା। କୁକୁରଙ୍କ ସହ ରହୁଥିବାବେଳେ ସେ କୁକୁରଙ୍କ ପରି ଭୁକିଥିଲା, ଦୁଇ ଗୋଡ ବଦଳରେ ସେ ହାତ ଓ ପାଦରେ ଚାଲୁଥିଲା। ୪୦ ବର୍ଷରେ ଉପନୀତ ହୋଇଥିବା ମାଲାୟା ତାଙ୍କ ବାଲ୍ୟଜୀବନ ସମ୍ପର୍କରେ ଏହି କାହାଣୀ କହିଛନ୍ତି।

ସେ କହିଛନ୍ତି- ତାଙ୍କ ବାପାମାଙ୍କର ବହୁ ସନ୍ତାନ ଥିବାରୁ ଘରେ ଶୋଇବାରେ ଅସୁବିଧା ହୋଇଥିଲା। ତେଣେୁ ତାଙ୍କୁ ମା’ ଘରୁ ପଦାକୁ ନେଇଯାଇଥିଲେ। ସେ ବାଧ୍ୟ ହୋଇ ଗୁରୁଣ୍ଡି ଗୁରୁଣ୍ଡି କୁକୁର ରହୁଥିବା ଘରକୁ ଚାଲିଯାଇ ସେଠାରେ ଦୀର୍ଘ ୫ ବର୍ଷ ଯାଏଁ ରହିଥିଲେ। ୯ ବର୍ଷ ବୟସ ବେଳକୁ ତାକୁ ଉଦ୍ଧାର କରାଯାଇଥିଲା। ମାତ୍ର ସେତେବେଳକୁ ସେ ବାକଶକ୍ତି ହରାଇବା ସାହ ଦୁଇହାତ ଓ ପାଦରେ ସେ ଅନ୍ୟପ୍ରାଣୀଙ୍କ ପରି ଚାଲୁଥିଲା। କୁକୁରଙ୍କ ପରି ତାର ବ୍ୟବହାର ପରିଲକ୍ଷିତ ହୋଇଥିଲା।

ସ୍ପେଶାଲ କେୟାର ପ୍ରତିଷ୍ଠାନର ନିର୍ଦ୍ଦେଶକ ଆନ୍ନା ଚାଲୟ କହିଛନ୍ତି- ମାଲାୟା ଏକ କୁକୁର ପରି ଚଲାବୁଲା କରୁଥିଲା ଏବଂ ପାଣି ଦେଖିଲେ ଜିଭ ପଦାକୁ କାଢୁଥିଲା। ସେ ହାତର ବ୍ୟବହାର ନ କରି କୁକୁରଙ୍କ ପରି ଖାଉଥିଲା। ଡଷ୍ଟବିନରୁ ଖାଦ୍ୟପଦାର୍ଥ ବି ଖାଉଥିଲା। ତାକୁ ଉଦ୍ଧାର କରାଯାଇ ଏକ ଶିଶୁଗୃହକୁ ନିଆଯାଇଥିଲା। ମାତ୍ର ସେଠାରେ ବି ସେ ନିଜ ପ୍ରକୃତି ଛାଡିପାରି ନଥିଲା। ଦୀର୍ଘ ବର୍ଷ ପରେ ବି ସେ ଭାଷା ଶିକ୍ଷା କରିବାରେ ବିଫଳ ହୋଇଥିଲା। ବିଗତ ୨୦୦୦ରେ ମାଲାୟ ତାର ପିତାମାତାଙ୍କ ଏକାଠି ରହିବାର ସୁଯୋଗ ପାଇଥିଲା। ଜଣେ ମନସ୍ତତ୍ତ୍ବବିତଙ୍କ ମତରେ ୫ବର୍ଷ ବୟସ ସମୟରେ ଯଦି ମଣିଷ ଭାଷା ଶିକ୍ଷା କରିପାରିବ ନାହିଁ ତେବେ ଜୀବନ କାଳରେ ତାହା ହାସଲ କରିବା କଷ୍ଟକର। ବିଶ୍ବରେ ମାଲାୟାଙ୍କ ପରି ପ୍ରାୟ ୧୦୦ଟି ଘଟଣା ଘଟିଥିବା କୁହାଯାଇଛି।