ବୈବାହିକ ସମ୍ପର୍କ ଭାଙ୍ଗିଲେ ମହିଳାଙ୍କୁ ଦେବାକୁ ପଡ଼ୁଛି ଅର୍ଥ: କ’ଣ ଏହି ପ୍ରଥା…
ଭୋପାଳ: ବିବାହକୁ ନେଇ ଆମ ସମାଜର ବିଭିନ୍ନ ସ୍ଥାନରେ ଅଲଗା ଅଲଗା ପ୍ରଥା ଦେଖିବାକୁ ମିଳିଥାଏ । ସାଧାରଣ ଭାବେ କୌଣସି ଦମ୍ପତିଙ୍କର ବୈବାହିକ ସମ୍ପର୍କ ଭାଙ୍ଗିଗଲେ ସେ କ୍ଷେତ୍ରରେ ପୁରୁଷଙ୍କୁ ତାଙ୍କ ପତ୍ନୀଙ୍କୁ ଭରଣପୋଷଣ ବାବଦରେ ଅର୍ଥ ଦେବାକୁ ପଡ଼ିଥାଏ । ତେବେ ବୈବାହିକ ସମ୍ପର୍କ ଭାଙ୍ଗିଗଲେ ମହିଳାଙ୍କୁ ଅର୍ଥ ଦେବାକୁ ପଡ଼ିଥାଏ ବୋଲି ଯଦି ଆପଣଙ୍କୁ କୁହାଯିବ, ତେବେ ଆପଣମାନେ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ହୋଇଯିବେ । ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟା ସତ । ବିବାହ ପରେ ସମ୍ପର୍କ ଭାଙ୍ଗିଗଲେ ମହିଳାଙ୍କୁ ଅର୍ଥ ଦେବାକୁ ପଡ଼ୁଛି । ବିବାହ ସହ ଜଡ଼ିତ କିଛି ଭିନ୍ନ ପ୍ରଥା ଆଜି ବି ଆମ ସମାଜର କିଛି ସ୍ଥାନରେ ପ୍ରଚଳିତ ରହିଛି ।
ଏଭଳି ଏକ ଭିନ୍ନ ପ୍ରଥା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶରେ । ନିଜ ବୈବାହିକ ସମ୍ପର୍କରୁ ବାହାରିବା ପାଇଁ ତାଙ୍କୁ ୧୮ ଲକ୍ଷ ଟଙ୍କା ମଗା ଯାଇଥିବା କହିଛନ୍ତି ରାଜଗଢ଼ ଜିଲ୍ଲାର ଜଣେ ବିବାହିତା ମହିଳା କୌଶଲ୍ୟା । ସେଠାରେ ପିଲାବେଳୁ ହିଁ ଝିଅମାନଙ୍କର ନିର୍ବନ୍ଧ କରି ଦିଆଯାଇଥାଏ । ବିବାହ ପରେ ଝିଅମାନଙ୍କର ସମସ୍ତ ନିଷ୍ପତ୍ତି ଶାଶୂଘର ଲୋକେ ନେଇଥାନ୍ତି । ଯଦି କୌଣସି ଝିଅ ବୈବାହିକ ସମ୍ପର୍କରୁ ବାହାରିବା ପାଇଁ ଚାହିଁବେ, ସେଥିପାଇଁ ତାଙ୍କୁ ଅର୍ଥ ମଗାଯାଇଥାଏ । ଏହ ପ୍ରଥାକୁ ’ଝଗଡ଼ା ନାତରା’ ପ୍ରଥା କୁହାଯାଇଥାଏ । ପଗାରିୟା ଗାଁରେ ରହୁଥିବା କୌଶଲ୍ୟାଙ୍କର ଦୁଇବର୍ଷ ବୟସରେ ନିର୍ବନ୍ଧ ହୋଇସାରିଥିବା ବେଳେ ୨୦୨୧ ମସିହାରେ ୨୨ ବର୍ଷ ବୟସରେ ତାଙ୍କର ବିବାହ ହୋଇଥିଲା । କୌଶଲ୍ୟାଙ୍କର ପିତା ଜଣେ କୃଷକ । ବିବାହର ୩ ବର୍ଷ ପର୍ଯ୍ୟନ୍ତ କୌଶଲ୍ୟା ହଂସାର ଶିକାର ହୋଇଥିଲେ । ତାଙ୍କୁ ୫ ଲକ୍ଷ ଟଙ୍କା ଓ ଏକ ମୋଟରସାଇକେଲ ମଗାଯାଇଥିଲା । ମାତ୍ର ତାହାକୁ ବରଦାସ୍ତ କରି ନପାରି କୌଶଲ୍ୟା ନିଜ ବାପଘରକୁ ଫେରି ଯାଇଥିଲେ ।
ସାମାଜିକ ଚାପ ଓ ସମ୍ପର୍କ ଭାଙ୍ଗିବାର ଭୟ କାରଣରୁ କୌଶଲ୍ୟାଙ୍କ ଘରଲୋକେ କଥାକୁ ଆଗକୁ ବଢ଼ାଇବାକୁ ଚାହିଁ ନଥିଲେ । ସେମାନେ କୌଶଲ୍ୟାଙ୍କୁ ବୁଝାଇ ସୁଝାଇ ପୁଣି ଥରେ ଶାଶୂଘରକୁ ପଠାଇ ଦେଇଥିଲେ । କୌଶଲ୍ୟା ପାଠ ପଢ଼ି ଚାକିରି କରିବାକୁ ଚାହୁଁଥିଲେ । ତାଙ୍କ ସହ ମାରପିଟ୍ ହେଉଥିଲା । ବିବାହ ବନ୍ଧରୁ ମୁକ୍ତ ହେବାକୁ ତାଙ୍କୁ ୧୮ ଲକ୍ଷ ଟଙ୍କା ମଗାଯାଇଥିଲା । ୨୦୨୩ରେ କୌଶଲ୍ୟା ବାପଘରକୁ ଯିବା ପରେ ମାମଲା ପଞ୍ଚାୟତକୁ ଯାଇଥିଲା । କୌଶଲ୍ୟା ଯଦି ବୈବାହିକ ସମ୍ପର୍କ ଭାଙ୍ଗିବେ, ତେବେ ସେଥିପାଇଁ ତାଙ୍କୁ ୧୮ ଲକ୍ଷ ଟଙ୍କା ଦେବାକୁ ପଡ଼ିବ ବୋଲି ପଞ୍ଚାୟତରେ ନିଷ୍ପତ୍ତି ନିଆଯାଇଥିଲା । କୌଶଲ୍ୟା ସୋନ୍ଦିୟା ସମୁଦାୟର ହୋଇଥିବା ବେଳେ ଏହି ସମୁଦାୟର ଲୋକମାନେ ପୋଲିସ ବା ଆଇନର ସାହାରା ନେବା ବଦଳରେ ପଞ୍ଚାୟତ ମାଧ୍ୟମରେ ନିଜ ମାମଲାର ସମାଧାନ କରିବାକୁ ପ୍ରୟାସ କରିଥାନ୍ତି ।