କାଶ୍ମୀରରେ ଶ୍ରଦ୍ଧା ହତ୍ୟାକାଣ୍ଡର ପୁନରାବୃତ୍ତି; ମହିଳାଙ୍କୁ ହତ୍ୟା ପରେ ଖଣ୍ଡ ଖଣ୍ଡ କଲା ସଇତାନ ବ୍ଯକ୍ତି

କାଶ୍ମୀର: ମଧ୍ୟ କାଶ୍ମୀରର ବଡଗାମରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ଦିଲ୍ଲୀ ଶ୍ରଦ୍ଧା ୱାକର ହତ୍ୟାକାଣ୍ଡ ଭଳି ଘଟଣା କାଶ୍ମୀରରେ ଘଟିଛି । ଜଣେ ବ୍ୟକ୍ତି ମହିଳାଙ୍କୁ ହତ୍ୟା ପରେ ଶରୀରକୁ ଖଣ୍ଡଖଣ୍ଡ କରି ଫୋପାଡ଼ି ଦେଇଛି । ପୋଲିସ ଏଠାକାର ଜଣେ ମହିଳାଙ୍କ ହତ୍ୟା କରିବା ଏବଂ ତାଙ୍କ ଶରୀରର ଖଣ୍ଡ ଖଣ୍ଡ ଅଂଶକୁ ଭିନ୍ନ ଭିନ୍ନ ସ୍ଥାନରେ ଫୋପାଡ଼ିଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ପ୍ରାରମ୍ଭିକ ରିପୋର୍ଟରୁ ଜଣାଯାଇଛି ଯେ, ୩୦ ବର୍ଷୀୟା ମହିଳା ଶିକ୍ଷାରେ ସ୍ନାତକର ପାଠ ପଢ଼ୁଥିଲେ ।

୭ ମାର୍ଚ୍ଚରେ ସେ ନିଖୋଜ ହୋଇଯାଇଥିଲେ । ମହିଳାଙ୍କ କଲ ଡିଟେଲ ଆଧାରରେ ପୋଲିସ ୮ ମାର୍ଚ୍ଚରେ ଶବିର ଅହମ୍ମଦକୁ ହେପାଜତକୁ ନେଇଛି । ପୋଲିସ କହିଛି ଯେ, ଅଭିଯୁକ୍ତ ଶନିବାର ନିଜର ଅପରାଧ ନେଇ ସ୍ୱୀକାର କରିଛି । ୪୫ ବର୍ଷୀୟ ଅଭିଯୁକ୍ତ ଶବିର ବିବାହିତ ଅଟେ ଏବଂ ବଡଗାମ ଜିଲ୍ଲାର ଓମପୋରା ଅଞ୍ଚଳରେ ବାସିନ୍ଦା ଅଟେ । ସେ ପେସାରେ ଜଣେ ବଢ଼େଇ ଅଟେ । ଅବଶ୍ୟ ପୋଲିସ ବର୍ତ୍ତମାନ ସୁଦ୍ଧା ହତ୍ୟାର ଉଦ୍ଦେଶ୍ୟ ସମ୍ପର୍କରେ ଖୁଲାସା କରିପାରିନାହିଁ, କିନ୍ତୁ ମହିଳାଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି ଯେ ପୁରୁଷ ଜଣଙ୍କ ପୂର୍ବରୁ ବିବାହ ପାଇଁ ତାଙ୍କ ପରିବାର ସହ ସମ୍ପର୍କ କରିଥିଲା, କିନ୍ତୁ ମହିଳା ଜଣଙ୍କ ତାଙ୍କ ପ୍ରସ୍ତାବକୁ ଆଗ୍ରହ୍ୟ କରିଦେଇଥିଲେ ।

ପୋଲିସ ମୁତାବିକ, ମହିଳା ଗତ ଚାରି ଦିନ ହେବ ନିଜ ଘରୁ ନିଖୋଜ ଥିଲେ । ଅଭିଯୁକ୍ତ ଖୁଲାସା କରିଛି ଯେ ସେ ମହିଳାଙ୍କ ହତ୍ୟା କରି ତାଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି କାଟି ଦେଇଥିଲା । ଏହାପରେ ଖଣ୍ଡଗୁଡିକୁ ରେଲୱେ ବ୍ରିଜ ଓମପୋରା ଏବଂ ସେବଦେନ ସମେତ ଭିନ୍ନ ଭିନ୍ନ ସ୍ଥାନରେ ଫୋପାଡ଼ି ଦେଇଥିଲା । ପୋଲିସ ଶନିବାର ରାତିରେ ପୀଡିତାଙ୍କ ମୁଣ୍ଡ ଏବଂ ଶରୀରର ଅନ୍ୟ ଅଂଶକୁ ଜବତ କରିଛି । ମାମଲାରେ ପୋଲିସର ଆଗାମୀ ତଦନ୍ତ ଜାରି ରହିଛି । ଅନ୍ୟପକ୍ଷରେ ମହିଳାଙ୍କ ପରିବାରର କହିବା ଅନୁଯାୟୀ ଅଭିଯୁକ୍ତ ଅହମ୍ମଦ ଟାଇଲ ସହ ସମ୍ବନ୍ଧିତ କୌଣସି କାର୍ଯ୍ୟ ପାଇଁ ତାଙ୍କ ଘରକୁ ଆସିଥିଲା ।