ରାମ୍ପ ଓ୍ବାକ ବେଳେ ମଡେଲଙ୍କ ମୁଣ୍ଡରେ ପଡ଼ିଲା ଲୁହା ପିଲାର୍‌

ନୂଆଦିଲ୍ଲୀ: ରାମ୍ପ ଓ୍ବାକ କରୁଥିବା ମଡେଲଙ୍କ ମୁଣ୍ଡରେ ପଡ଼ିଲା ଲୁହା ପିଲାର୍‌ । ୨୪ବର୍ଷୀୟ ମହିଳା ମଡେଲଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ପୁରୁଷ ମଡେଲ ଗୁରୁତର ହୋଇଛନ୍ତି । ନୂଆ ଦିଲ୍ଲୀ ନୋଏଡ଼ା ଫିଲ୍ମ ସିଟିରେ ଏହି ଅଘଟଣ ଘଟିଛି । ଗତକାଲି ରାତି ପ୍ରାୟ ସାଢ଼େ ୧ଟାରେ ଫ୍ୟାସନ ଶୋ’ ଚାଲିଥିବା ବେଳେ ମଡେଲମାନେ ଭଳି କି ଭଳି ଡ୍ରେସପିନ୍ଧି ରାମ୍ପ ଓ୍ବାକ କରୁଥିଲେ ।

ଷ୍ଟେଜରେ ଲାଇଟ ଲଗାଯାଇଥିବା ଏକ ଲୁହା ପିଲର ଜଣେ ମଡେଲ ବଂଶିକା ଚୋପ୍ରାଙ୍କ ଉପରେ ପଡ଼ିଯାଇଥିଲା । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଗୁରୁତର ମଡେଲଙ୍କୁ ମଧ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି ପୋଲିସ କହିଛି । ଶୋ’ ଆୟୋଜକ ଓ ଷ୍ଟେଜରେ ଲାଇଟ ଲଗାଇଥିବା ବ୍ୟକ୍ତିଙ୍କୁ ଜେରା କରୁଛି ପୋଲିସ ।