ଘରକୁ ଫେରିବା ପାଇଁ ଥାନା ଆଗରୁ ମହିଳା ମାଗିଥିଲେ ଲିଫ୍ଟ, କିନ୍ତୁ ଏଯାଏଁ ପହଞ୍ଚି ନାହାନ୍ତି ଘରେ…

ଖୋର୍ଦ୍ଧା: ଖୋର୍ଦ୍ଧାରେ ଚାଞ୍ଚଲ୍ୟ । ଲିଫ୍ଟ ମାଗି କାରରେ ଘରକୁ ଯାଉଥିବା ମହିଳା ଘରେ ପହଞ୍ଚିଲେନି । ଘଟଣାକୁ ତିନି ଦିନ ବିତିଥିଲେ ମଧ୍ୟ ମହିଳାଙ୍କ କୌଣସି ଖୋଜ ଖବର ନଥିବାରୁ ଚିନ୍ତାରେ ପଡିଛନ୍ତି ସ୍ବାମୀ ଓ ମା । ଏ ନେଇ ବେଗୁନିଆ ଥାନାରେ ଏତଲା ଦେବା ପରେ ପୋଲିସ ଆରମ୍ଭ କରିଛି ତନାଘନା । ମହିଳାଙ୍କ ପାଖରେ ମୋବାଇଲ ନଥିବାରୁ ପୋଲିସ ପାଇଁ ତାଙ୍କୁ ଖୋଜିବା ଏକ ବଡ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି ।

ମହିଳାଙ୍କ ବୟସ ଶୁଭଲଷ୍ମୀ ସେଠି । ବୟସ ୩୭ । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗିରେ ସ୍ୱାମୀ ପ୍ରକାଶ ସେଠି ଏବଂ ୧୨ ବର୍ଷର ପୁଅଙ୍କ ସହ ରୁହନ୍ତି । ଗତ ୧୯ ତାରିଖ ଦିନ ଶୁଭଲଷ୍ମୀ ନିଜ ବାପ ଘର ବେଗୁନିଆକୁ ଆସିଥିଲେ । ମାଆ ସହ ରହି ତାଙ୍କର ବ୍ୟକ୍ତିଗତ କାମ ସାରି ୨୦ ତାରିଖ ସକାଳେ ଟାଙ୍ଗି ଯିବା ପାଇଁ ବେଗୁନିଆ ଥାନା ଛକରେ ଅପେକ୍ଷା କରିଥିଲେ । ଏହି ସମୟରେ ଏକ କାର ଯୋଗେ ଲିଫ୍ଟ ନେଇ ଯାଇଥିଲେ ଶୁଭଲକ୍ଷ୍ମୀ । ନିର୍ଦ୍ଧାରିତ ସମୟ ଭିତରେ ଟାଙ୍ଗିରେ ନ ପହଂଚିବାରୁ ସ୍ୱାମୀ ପ୍ରକାଶ ବ୍ୟସ୍ତ ହୋଇ ସବୁଆଡ଼େ ଖୋଜା ଖୋଜାଖୋଜି କରିଥିଲେ । ପତ୍ନୀଙ୍କୁ ନପାଇବାରୁ ବେଗୁନିଆ ଥାନାରେ ସ୍ୱାମୀ ଏତଲା ଦେଲେ । ମହିଳା ଜଣଙ୍କ କାର ଲିଫ୍ଟ ମାଗିବା ପରେ ଘରେ ନ ପହଞ୍ଚିବା ନେଇ ସନ୍ଦେହ ସୃଷ୍ଟି ହୋଇଛି ।

ଘଟଣାକୁ ନେଇ ବେଗୁନିଆ ଥାନାରେ ଏକ ମିସିଂ କେଶ୍‌ ରୁଜୁ ହୋଇଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି । ଆଖପାଖ ସମସ୍ତ ଥାନାକୁ ଉକ୍ତ ମହିଳାଙ୍କ ଫୋଟ ପଠା ଯାଇଥିବା ବେଗୁନିଆ ଥାନା ଅଧିକାରୀ କହିଛନ୍ତି । ମହିଳାଙ୍କ ମାଆ ମଧ୍ୟ ନିଜ ୩୭ ବର୍ଷର ଝିଅର ଫଟୋ ଧରି ତାଙ୍କୁ ଉଦ୍ଧାର କରିବା ପାଇଁ ଆକୁଳ ନିବେଦନ କରୁଛନ୍ତି ।

Leave a Reply