ଭରସା ହାରିଲା ବୋହୂ, ଜଙ୍ଗଲରେ ହାଣି ଶାଶୂକୁ ପୋଡ଼ିଦେଲା

କେନ୍ଦୁଝର: ଅନ୍ଧ ବିଶ୍ୱାସର ଅନ୍ଧାର ଗଳିରେ ମଣିଷ । ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧାଙ୍କୁ ନିର୍ମମ ହତ୍ୟା । ଯୋଡ଼ା ବଡବିଲ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଅନ୍ଧବିଶ୍ୱାସର କୁପରିଣତି । ଗୁଣି କରି ଶାଶୂ, ମୋ ଦେହ ଖରାପ କରୁଥିଲେ… । ସେଥିପାଇଁ ମୁଁ ତାଙ୍କୁ କଟୁରିରେ ହାଣି ଦେଲି… । ଏଭଳି ମୁହେଁ ମୁହେଁ ପୋଲିସ ସାମ୍ନାରେ ସ୍ୱୀକାର କରିଛି ବୋହୁ । ଘଟଣାରେ ଅଭିଯୁକ୍ତ ସବିତା ମୁଣ୍ଡାକୁ ପୋଲିସ ଗିରଫ କରିଥିବା ବେଳେ ହତ୍ୟାରେ ବ୍ୟବହୃତ କଟୁରୀ ଜବତ ହୋଇଛି । ଗିରଫ ପରେ ପୋଲିସ ଆଗରେ ସତ ସ୍ୱୀକାର କରିଛି ଅଭିଯୁକ୍ତ ।

ସୂଚନା ଅନୁଯାୟୀ, ଦୀର୍ଘ ଦିନ ଧରି ସବିତାଙ୍କ ଦେହ ଭଲ ରହୁନଥିଲା । ଏନେଇ ସେ ନିଜ ସଂପର୍କୀୟ ଶାଶୂ ବୁଦୁନି ମୁଣ୍ଡାଙ୍କୁ ସନ୍ଦେହ କରୁଥିଲେ । ତେଣୁ ସବୁ ଦିନ ପାଇଁ ବୃଦ୍ଧାଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ଶନିବାର କାଠ ଆଣିବା ପାଇଁ, ସବିତା ନିଜ ସଂପର୍କୀୟ ଶାଶୂ  ଓ ତାଙ୍କର ୩ ନାତି ନାତୁଣୀଙ୍କୁ ନେଇ ସ୍ଥାନୀୟ ବଳିତା ଜଙ୍ଗଲକୁ ଯାଇଥିଲେ । ପୂର୍ବ ଯୋଜନା ମୁତାବକ ସବିତା ବାହାନା କରି ବୃଦ୍ଧାଙ୍କ ୩ ନାତି ନାତୁଣୀଙ୍କୁ ପାଣି ଆଣିବାକୁ ପଠାଇ ଦେଇଥିଲେ । ଏହାପରେ ସେ କଟୁରୀ ସାହାଯ୍ୟରେ ବୃଦ୍ଧାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ । କଟୁରୀ ମାଡ଼ରେ ବୃଦ୍ଧା ଜଣକ ଲହୁ ଲୁହାଣ ହୋଇ ଯାଇଥିଲେ ।

ଏତିକିରେ ସବିତାଙ୍କ ରାଗ ଥମି ନଥିଲା । ଜଙ୍ଗଲରେ ପଡ଼ିଥିବା ଶୁଖିଲା ପତ୍ରକୁ ଏକାଠି କରି ବୃଦ୍ଧାଙ୍କୁ ସେହିଠାରେ ପୋଡ଼ି ଦେଇଥିଲେ । ବୃଦ୍ଧାଙ୍କ ଶରୀର ଅର୍ଦ୍ଧାଧିକ ପୋଡ଼ି ଯିବା ପରେ ପାଖାପାଖି ୫୦ ମିଟର ଘୋଷାଡି ନେଇ ବୁଦା ଭିତରେ ଫୋପାଡି ଦେଇ ଫେରାର ହୋଇ ଯାଇଥିଲେ । ସେପଟେ ଜଙ୍ଗଲରେ ସବିତା ଓ ବୃଦ୍ଧାଙ୍କୁ ନପାଇ ନାତି ନାତୁଣୀମାନେ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ । ବହୁ ଖୋଜାଖୋଜି କରିବା ପରେ ରବିବାର ବୃଦ୍ଧାଙ୍କ ମୃତଦେହ ଠାବ କରାଯାଇଥିଲା । କିନ୍ତୁ ସବିତାଙ୍କ ପତ୍ତା ମିଳିନଥିଲା । ପୋଲିସ ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ତଦନ୍ତ ଆରମ୍ଭ କରିଥିଲା । ଶେଷରେ ପୋଲିସ ହାତରେ ଧରା ପଡିଥିଲେ ଅଭିଯୁକ୍ତ ସବିତା ମୁଣ୍ଡା ।  ଧରାପଡିବା ପରେ ଦୋଷ ସ୍ୱୀକାର କରିଛି ଅଭିଯୁକ୍ତ ।

Leave a Reply