ମାଛ ତରକାରୀ ପାଇଁ ସ୍ବାମୀକୁ ହତ୍ୟା କରିବା ପରେ ଆତ୍ମହତ୍ୟା ରୂପ ଦେଇଥିଲା ସ୍ତ୍ରୀ, ବାନ୍ଧିଲା ପୋଲିସ

ନନ୍ଦିଘୋଷ ବ୍ୟୁରୋ: ଘରୋଇ କଳହକୁ କେନ୍ଦ୍ର କରି ସ୍ୱାମୀଙ୍କୁ ହତ୍ୟା । ହତ୍ୟା କରିବା ପରେ ଗିରଫ ଭୟରେ ସ୍ତ୍ରୀ ରଚିଥିଲା ଷଡ଼ଯନ୍ତ୍ର । ଜଣେ ପୁରୁଷ ସହଯୋଗୀ ସହ ମିଶି ଆତ୍ମହତ୍ୟାର ରୂପ ଦେବାକୁ କରିଥିଲା ପ୍ଲାନ । ତଦନ୍ତ ପରେ ସ୍ତ୍ରୀର ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ କଲା ପୋଲିସ । ଏଭଳି ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଢେଙ୍ଗୁରପାଣି ଗ୍ରାମ ତୁରୀଟୋଲି ଅଞ୍ଚଳରେ ।
ଗତ ରାକ୍ଷୀ ପୂର୍ଣ୍ଣିମାରେ ମାଛ ତରକାରୀକୁ ନେଇ ସ୍ୱାମୀ ବାବୁଲାଲ ଲାକ୍ରା ଏବଂ ସ୍ତ୍ରୀ ସିଂଘିଙ୍କ ମଧ୍ୟରେ ଝଗଡା ହୋଇଥିଲା । ସ୍ୱାମୀ ମଦ ପିଇ ଖାଇବା ଥାଳିକୁ ଲାତ ମାରିବା ସହ ସିଂଘିଙ୍କୁ ଏକ ବାଡ଼ିରେ ପିଟିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ସିଂଘି ଘରେ ପଡିଥିବା ଏକ ଫାର୍ସାର ପଛ ପଟୁ ସ୍ୱାମୀଙ୍କ ମୁଣ୍ଡକୁ ଆଘାତ କରିଥିଲେ । ଫଳରେ ବାବୁଲାଲ ଅଚେତ ହୋଇ ପଡି ଯାଇଥିଲେ । ସ୍ୱାମୀ ମରି ଯାଇଥିବା ଭାବି ସିଂଘି ଅନ୍ୟ ଜଣେ ପୁରୁଷ ସହଯୋଗୀ କୁନ୍ଦ ସହ ମିଶି ସ୍ୱାମୀଙ୍କ ବେକରେ ରଶି ଲଗାଇ ରାତିରେ ଘର ବାହାରେ ଥିବା ଏକ ଆମ୍ବ ଗଛରେ ଟାଙ୍ଗି ଦେଇ ଆତ୍ମହତ୍ୟାର ରୂପ ଦେଇଥିଲେ ।
ପରବର୍ତ୍ତୀ ସମୟରେ ମୃତ ବାବୁଲାଲଙ୍କ ଝିଅ ଓ ଜ୍ୱାଇଁଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରିବା ବେଳେ ଅଭିଯୁକ୍ତ ସିଂଘି ନିଜ ଦୋଷ ସ୍ୱୀକାର କରିଥିଲା । ଘଟଣା ସ୍ଥଳରେ ପୋଲିସ ସିନ୍ ରିକ୍ରିଏସନ କରିବା ପରେ ଅପମୃତ୍ୟୁ ମାମଲାକୁ ହତ୍ୟା ମାମଲାକୁ ରୂପାନ୍ତରିତ କରି ସିଂଘିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ହତ୍ୟାକାଣ୍ଡରେ ସମ୍ପୃକ୍ତ ଦିବ୍ୟାଙ୍ଗ ସହଯୋଗୀ କୁନ୍ଦ ଫେରାର ଥିବା ବେଳେ ପୋଲିସ ତାଙ୍କୁ ଗିରଫ କରିବାକୁ ପ୍ରୟାସ ଜାରି ରଖିଛି ।