ପୁଣି ନରହନ୍ତା ଦନ୍ତା ନେଲା ଜୀବନ, ଦନ୍ତାହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

ମୟୂରଭଞ୍ଜ: ପୁଣି ନରହନ୍ତା ଦନ୍ତା ନେଲା ଜୀବନ। ଘରେ ଶୋଇଥିବା ବେଳେ ଘରୁ ଟାଣି ନେଇ ଦଳିଦେଲା ଦନ୍ତାହାତୀ । ଘଟଣାସ୍ଥଳରେ ମହିଳାଙ୍କର ମୃତ୍ୟୁ ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ବେତନଟୀ ଥାନା ବାରିପଦା ରେଞ୍ଜ ଅଧୀନ ରାଧିକାଶୋଳ ଗ୍ରାମରେ ।

ସୂଚନା ଅନୁଯାୟୀ, ମହିଳା ଜଣଙ୍କ ଘରେ ଶୋଇଥିବା ବେଳେ  ଦନ୍ତାଟି ମହିଳାଙ୍କୁ ଟାଣି ଆଣି ଘର ବାହାରେ କଚାଡି ମାରିଦେଇଥିଲା । ଘଟଣାସ୍ଥଳରେ  ଉତ୍ତେଜନା ଦେଖାଦେଇଥିଲା। ମୃତା ମହିଳା ଜଣକ ହେଉଛନ୍ତି ରାଧିକାଶୋଳ ଗ୍ରାମର ସୀତାରାମ ହାଁସଦାଙ୍କ ସ୍ତ୍ରୀ ମାନକା ହାଁସଦା। ଦନ୍ତା ଗାଁରେ ପଶି ୪ଟି ଘର ଭାଙ୍ଗିବା ସହ ମହିଳାଙ୍କ ଉପରେ ଆକ୍ରମଣ କରିଥିଲା । ପାଖରେ ଶୋଇଥିବା ସ୍ୱାମୀ ସୀତାନାଥ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଗ୍ରାମରେ ଚହଳ ପଡିଯାଇଥିଲା। ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଥିବା ବେଳେ ବନବିଭାଗର ଅପାରଗତାକୁ ନେଇ ଅସନ୍ତୋଷ ବୃଦ୍ଧି ପାଇଛି। ସକାଳେ କୃଷ୍ଣଚନ୍ଦ୍ରପୁର ଫାଣ୍ଡି ଅଧିକାରୀ ଏଏସଆଇ ସୂତାର କୁମାର ମହାନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ବାରିପଦା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଛନ୍ତି ।

ତେବେ ବାରମ୍ବାର ବନବିଭାଗର ଅବହେଳା ଏବଂ ଅପାରଗତା ପାଇଁ ହାତୀ ଜନବସତି ଭିତରେ ପଶି ଧନଜୀବନ ହାନି କରୁଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଲାଗିରହିଛି । ନରହନ୍ତା ଦନ୍ତା ଆକ୍ରମଣରେ ବିଗତ ତିନିଦିନରେ ଚାରିଜଣଙ୍କ ମୃତ୍ୟୁ ଘଟଣା ବନବିଭାଗ ପାଇଁ ମଧ୍ୟ ଅଡୁଆସ୍ଥିତି ସୃଷ୍ଟି କରିଛି ।