ଦୁର୍ଘଟଣାରେ ଯୁବତୀ ମୃତ, ୧୩ କିମି ଘୋଷାଡି ନେଇଥିଲା କାର

ନୂଆଦିଲ୍ଲୀ: ନୂଆ ବର୍ଷରେ ଛାତିଥରାଇଲା ଭଳି ଘଟଣା ସାମ୍ନାକୁ ଆସିଛି । ଏକ ସ୍କୁଟିରେ ଆସୁଥିବା ଯୁବତୀଙ୍କୁ କାରଟି ଧକ୍କା ଦେବା ସହ ପ୍ରାୟ ୧୩ କିଲୋମିଟର ଘୋଷାଡି ନେଇଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି। କାରରେ ଥିବା ୫ଜଣ ନିଶାସକ୍ତ ଯୁବକ ଏଭଳି କାଣ୍ଡ ଭିଆଇ ଥିବା ଘଟଣା ସାମ୍ନାକୁ ଆସିଛି। ଏଭଳି ଘଟଣା ଘଟିଛି ଦିଲ୍ଲୀ ନିକଟ କାଞ୍ଜୱାଲା ଅଞ୍ଚଳରେ। ପୋଲିସ ଘଟଣା ସ୍ଥଳରୁ ଯୁବତୀର ଉଲଗ୍ନ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ପଠାଇଛି। ଘଟଣାରେ ପୋଲିସ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

ସୂଚନା ଅନୁଯାୟୀ, ଡିସେମ୍ବର ୩୧ ତାରିଖ ରାତିରେ ୫ ଜଣ ଯୁବକ ନୂଆବର୍ଷ ସେଲିବ୍ରେସନ କରି ନିସାଶକ୍ତ ଅବସ୍ଥାରେ ଫେରୁଥିବା ବେଳେ ସ୍କୁଟିରେ ଯାଉଥିବା ଯୁବତୀକୁ ଧକ୍କା ଦେବା ସହ ପ୍ରାୟ ୧୩ କିଲୋମିଟର କାରରେ ଘୋଷାଡି ନେଇଥିଲେ । ଘଟଣା ସ୍ଥଳରେ ଯୁବତୀର ମୃତ୍ୟୁ ହୋଇଥିବା ବେଳେ ଯୁବତୀ ଶରୀରର ସମସ୍ତ ହାଡ ଭାଙ୍ଗିଯିବା ସହ ଅନେକ କ୍ଷତ ଚିହ୍ନ ହୋଇଛି । ଏହାସହ ମୃତ ଯୁବତୀ ଦେହରେ କୌଣସି କପଡା ନଥିବା ମଧ୍ୟ ସୂଚନା ମିଳିଛି। ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ସହ ସ୍କୁଟି ଜବତ କରି ତଦନ୍ତ ଜାରି ରଖିଛି। ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ, ସମସ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।  ଏହି ଘଟଣାରେ ପୋଲିସ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି ।