ଜବରଦଖଲ ହଟାଇବା ବେଳେ ଅଘଟଣ,ପୋଲିସ ଆଖି ଆଗରେ ଘରେ ଜୀବନ୍ତ ଜଳିଗଲେ ମା’ ଓ ଝିଅ

ଲକ୍ଷ୍ନୌ :  ୟୁପିରେ ବୁଲଡୋଜର ରାଜ୍ । ଜବରଦଖଲ ଉଚ୍ଛେଦ ନାଁରେ ପ୍ରଶାସନର ଗୁଣ୍ଡାଗର୍ଦ୍ଦି । ୟୁପି କାନପୁରରେ ଭୟାବହ ରୂପ ନେଇଛି ଜବରଦଖଲ ବିରୋଧୀ ଅଭିଯାନ । ଦେହାତରେ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ଚାଲିଥିବା ବେଳେ ସାମ୍ନାକୁ ଆସିଛି ଏକ ହୃଦୟ ବିଦାରକ ଚିତ୍ର । ଆଖି ଆଗରେ ସ୍ତ୍ରୀ, ଝିଅ ଜଳିଯାଇଥିବା ବେଳେ ଅସହାୟ ଦର୍ଶକ ପାଲଟିଥିଲେ ସ୍ବାମୀ ଗୋପାଳ ଦୀକ୍ଷିତ । ତାଙ୍କ ଆଖି ଆଗରେ ପୁରା ପରିବାର ଉଜୁଡି ଯାଇଛି ।

ଅବୈଧ ନିର୍ମାଣ ଉଚ୍ଛେଦକୁ ନେଇ ପ୍ରଶାସନ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ମାମଲା କୋର୍ଟରେ ବିଚାରାଧୀନ ରହିଥିଲେ ବି ଗୋପାଳଙ୍କ ଝୁମ୍ପୁଡି ଘର ଉପରେ ବୁଲଡୋଜର ଚଳାଇଥିଲା ପ୍ରଶାସନ । ହଠାତ ଘରେ ନିଆଁ ଲାଗି ଯିବାରୁ ଗୋପାଳଙ୍କ ସ୍ତ୍ରୀ ଓ ଝିଅ ଘର ଭିତରୁ ବାହାରି ପାରି ନଥିଲେ । ନିଆଁ ଭିତରୁ ସେମାନଙ୍କ ଆର୍ତ୍ତ ଚିତ୍କାର ଶୁଣାଯାଉଥିଲା । ହେଲେ ତାଙ୍କୁ ବଞ୍ଚାଇ ପାରିନଥିଲେ ପରିବାର ଲୋକେ । ମାଆ, ଝିଅଙ୍କ ମୃତ୍ୟୁ ପରେ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।

ଉତ୍ତ୍ୟକ୍ତ ଲୋକେ ସେଠାରେ ଥିବା ଗାଡ଼ି ଭଙ୍ଗାରୁଜା କରିଥିବା ବେଳେ ଏହି ଘଟଣାକୁ ନେଇ ରାଜନୀତି ସରଗରମ ହୋଇଛି । ମୃତକଙ୍କ ପୁଅ ପ୍ରଶାସନକୁ ଦୋଷ ଦେଉଥିବା ବେଳେ ପ୍ରଶାସନିକ ଅଧିକାରୀଙ୍କ ନାଁରେ ହତ୍ୟା, ବଟି ଆଦାୟ, ଧମକ ଦେବା ଆଦି ଦଫାରେ ମାମଲା ରୁଜୁ କରିବାକୁ ଦାବି କରିଛି ସମାଜବାଦୀ ପାର୍ଟି । କଂଗ୍ରେସ ମଧ୍ୟ ଗୋପାଳ ଓ ତାଙ୍କ ପୁଅକୁ ଭେଟିଛି । ଜବରଦଖଲ ଅଭିଯାନରେ ସାମିଲ 13ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିଛି ପୋଲିସ ।