ମହିଳା ଟି-୨୦ରେ ପ୍ରଥମ ଘଟଣା: ଅନ୍ତିମ ବଲରେ ଛକା ମାରି ଦଳକୁ ଜିତାଇଲେ ଆୟର୍ଲାଣ୍ଡ କ୍ରିକେଟର

1 min read

ଅନ୍ତିମ ବଲରେ ଛକା ମାରି ଦଳକୁ ଜିତାଇବା ଘଟଣା ପୁରୁଷ କ୍ରିକେଟରେ ବହୁତ ଥର ଦେଖାଯାଇଛି । ମାତ୍ର ଏହି ଘଟଣା ଅନ୍ତର୍ଜାତୀୟ ମହିଳା କ୍ରିକେଟରେ ପ୍ରଥମ ଥର ଦେଖିବାକୁ ମିଳିଛି । ଅଗଷ୍ଟ ୮ରେ ପାକିସ୍ତାନ ଓ ଆୟର୍ଲାଣ୍ଡ ମଧ୍ୟରେ ଖେଳାଯାଇଥିବା ଟି-୨୦ରେ ଏହା ଦେଖିବାକୁ ମିଳିଛି । ଦ୍ବିତୀୟ ଟି-୨୦ରେ ଆୟର୍ଲାଣ୍ଡର ମହିଳା କ୍ରିକେଟର ଜେନ ମ୍ୟାଗଓ୍ବାୟର ଶେଷ ବଲରେ ଛକା ମାରି ଦଳକୁ ଜିତାଇ ବିଶ୍ବ ରେକର୍ଡ କରିଛନ୍ତି । ଦ୍ବିତୀୟ ଟି-୨୦ରେ ୧୬୯ ରନର ପିଛା କରୁଥିବା ଆୟର୍ଲାଣ୍ଡକୁ ଅନ୍ତିମ ବଲରେ ୪ ରନର ଆବଶ୍ୟକତା ପଡ଼ୁଥିଲା । ଏପରି ସ୍ଥିତିରେ ଷ୍ଟ୍ରାଇକରେ ଥିବା ଆୟର୍ଲାଣ୍ଡ ମହିଳା କ୍ରିକେଟର ଜେନ ମ୍ୟାଗଓ୍ବାୟର ଏକ ଛକା ମାରିଥିଲେ । ଏହାଫଳରେ ଆୟର୍ଲାଣ୍ଡ ଉକ୍ତ ମ୍ୟାଚରେ ପାକିସ୍ତାନ ବିପକ୍ଷରେ ଶାନଦାର ବିଜୟ ହାସଲ କରିଥିଲା । ଏହି କ୍ରମରରେ ଲକ୍ଷ୍ୟ ପିଛା କରି ଅନ୍ତିମ ବଲରେ ଛକା ମାରି ମ୍ୟାଚକୁ ଜିତାଇବାରେ ଜେନ ପ୍ରଥମ ମହିଳା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ପ୍ରଥମ ଟି-୨୦ରେ ମଧ୍ୟ ଆୟୋଜନ ଦଳ ଆୟର୍ଲାଣ୍ଡ ପାକିସ୍ତାନକୁ ୧୧ ରନରେ ହରାଇଥିଲା ।