ଗ୍ରୁପ ଲୋନ୍ ନାଁରେ ମହିଳାଙ୍କଠାରୁ ୪୦ ଲକ୍ଷ ଠକେଇ

ଗଞ୍ଜାମ: ମହିଳା ଗୋଷ୍ଠୀଙ୍କୁ ଲୋନ୍ କରାଇ ଦେବା ଆଶା ଦେଖାଇ ୪୦ ଲକ୍ଷରୁ ଅଧିକ ଟଙ୍କାର ଠକେଇ । ୩୦ରୁ ଅଧିକ ମହିଳା ହୋଇଛନ୍ତି ଠକେଇର ଶିକାର । ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଖଣ୍ଡରାବଳି ଗାଁରେ । ଗ୍ରୁପ ଲୋନ ନାମରେ ମହିଳାଙ୍କଠାରୁ ଟଙ୍କା ଲୁଟ୍ କରାଯାଇଥିବା ଅଭିଯୋଗ ହୋଇଛି ।

ଗାଁର ଅଶୋକ କୁମାର ସାହୁ ନାମକ ବ୍ୟକ୍ତି ମହିଳାମାନଙ୍କୁ ବିଭିନ୍ନ ଫାଇନାନ୍ସ କମ୍ପାନୀଠାରୁ ଋଣ କରାଇ ଦେଉଥିଲେ । ମହିଳାମାନଙ୍କ ବିଶ୍ଵାସ ଭାଜନ ହେବା ପରେ ୩୦ଜଣ ମହିଳାଙ୍କ ନାମରେ ନକଲି କାଗଜପତ୍ର ପ୍ରସ୍ତୁତ କରି ସେମାନଙ୍କଠାରୁ ଜାଲି ଦସ୍ତଖଲ ନେଇଥିଲେ । ଏହାପରେ ମହିଳାଙ୍କ ନାଁରେ ବିଭିନ୍ନ ଫାଇନାନ୍ସ କମ୍ପାନୀରୁ ପ୍ରାୟ ୪୦ ଲକ୍ଷ ଟଙ୍କା ଋଣ କରି ଫେରାର ହୋଇଯାଇଛନ୍ତି ।

ଫାଇନାନ୍ସ କର୍ମଚାରୀ ଟଙ୍କା ଆଦାୟ ପାଇଁ ମହିଳାଙ୍କ ଘରେ ପହଞ୍ଚିବା ପରେ ଠକେଇ କଥା ପଦାକୁ ଆସିଥିଲା । ଠକାମୀର ଶିକାର ପରେ ମହିଳାମାନେ ଅଭିଯୁକ୍ତ ଘରେ ତାଲା ପକାଇବା ସହିତ ଗାଙ୍ଗପୁର ଥାନାରେ ଅଭିଯୋଗ କରିଛନ୍ତି । ଏହି ଠକେଇରେ ଫାଇନାନ୍ସ କମ୍ପାନୀର କର୍ମଚାରୀଙ୍କ ହାତ ରହିଥିବା ମହିଳାମାନେ ଅଭିଯୋଗ କରିଛନ୍ତି ।