ସ୍ୱାମୀକୁ ହସ୍ପିଟାଲ ନେବାପାଇଁ ଗାଡ଼ି ମିଳୁନଥିଲା, କିନ୍ତୁ ପୂରା ଗାଁ ପାଇଁ କିଣିଲେ ଆମ୍ବୁଲାନ୍ସ

ଫତେପୁର: ବେଳେବେଳେ ସମସ୍ୟା ମଣିଷକୁ ସମାଧାନର ରାସ୍ତା ଦେଖାଇଦିଏ । କାରଣ ସଂଘର୍ଷ ହିଁ ଜନ୍ମଦିଏ ଆଉ ଏକ ସଫଳତାକୁ । ରାଜସ୍ଥାନର ଫତେପୁର ଶେଖାବଟୀରେ ମଧ୍ୟ ଦେଖିବାକୁ ମିଳିଛି ସେହିଭଳି ଏକ ଘଟଣା ।  ଯେଉଁଥିରେ ଜଣେ ମହିଳା ନିଜ ପେନସନ୍‌ ଏବଂ ଜମା ରଖିଥିବା କିଛି ଟଙ୍କାରେ ଗାଁ ଲୋକଙ୍କ ପାଇଁ ୧୦ ଲକ୍ଷର ଆମ୍ବୁଲାନ୍ସ କିଣିଛନ୍ତି, କେବଳ ଅନ୍ୟର ସସମ୍ୟାକୁ ସୁଧାରିବା ପାଇଁ ।

ବାସ୍ତବରେ ୪ ବର୍ଷ ପୂର୍ବେ ନିମକାଥାନାରେ ରହୁଥିବା ଧର୍ମା ଦେବୀଙ୍କ ସ୍ୱାମୀଙ୍କୁ ହାର୍ଟ ଆଟାକ୍‌ ଆସିଥିଲା । ଆମ୍ବୁଲାନ୍ସ ନମିଳିବା କାରଣରୁ ତାଙ୍କୁ ଠିକ୍‌ ସମୟରେ ହସ୍ପିଟାଲ ନେଇପାରିନଥିଲେ ଧର୍ମା । ଯାହାଦ୍ୱାରା ସେ ସବୁଦିନ ପାଇଁ ଆଖି ବୁଜିଦେଲେ । ସେହି ଦିନଠାରୁ ଗୋଟି ଗୋଟି କରି ଟଙ୍କା ସଞ୍ଚୟ କରିବା ଆରମ୍ଭ କରିଦେଲେ ଧର୍ମା । ଆଉ ଏବେ ନିଜେ ୧୦ ଲକ୍ଷରେ ଏକ ଆମ୍ବୁଲାନ୍ସ କିଣିଛନ୍ତି ।  ତାହା ମଧ୍ୟ ପୂରା ଗାଁ ଲୋକଙ୍କ ପାଇଁ  । ଏହାର ଏକାମାତ୍ର କାରଣ ହେଉଛି ଆମ୍ବୁଲାନ୍ସ ଅଭାବରୁ କାହାର ଜୀବନ ନ ଯାଉ ।

ଗାଁଟି ସମ୍ପୂର୍ଣ୍ଣ ପାହାଡ଼ିଆ ଅଞ୍ଚଳ । ଗାଁରେ କୌଣସି ହସ୍ପିଟାଲ ନଥିବାରୁ ଲୋକଙ୍କୁ ଦୂର ସ୍ଥାନକୁ ଯିବାକୁ ପଡ଼ୁଛି । ରାସ୍ତା ଏତେ ଭଲ ନଥିବାରୁ ଏବଂ ଦୂର ସ୍ଥାନ ହୋଇଥିବାରୁ ଆମ୍ବୁଲାନ୍ସ ଆସି ପହଞ୍ଚିବାରେ ବିଳମ୍ବ ହେଉଛି । କିନ୍ତୁ ଏବେ ଆଉ ଆମ୍ବୁଲାନ୍ସ ସମସ୍ୟା ହେବ ନାହିଁ । ଏଥିପାଇଁ ରୋଗୀଙ୍କୁ ଟଙ୍କା ମଧ୍ୟ ଦେବାକୁ ପଡ଼ିବ ନାହିଁ ।