ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ସୁବାଷ ଚୌହାନଙ୍କ ପରଲୋକ

1 min read

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ବରିଷ୍ଠ ବିଜେଡି ନେତା ସୁବାଷ ଚୌହାନଙ୍କର ଆଜି ହୃଦ୍‌ଘାତରେ ପରଲୋକ ହୋଇଛି । ସେ ୫୪ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଛନ୍ତି । ଦୀର୍ଘ ଦିନ ଧରି ଅସୁସ୍ଥତା କାରଣରୁ ସେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ । ମାତ୍ର ଆଜି ସେଠାରେ ତାଙ୍କର ଦେହାନ୍ତ ହୋଇଛି । ସେ ଉଭୟ ଲିଭର କ୍ୟାନ୍ସର ଓ ହୃଦଘାତରେ ପୀଡିତ ଥିଲେ ।

୨୦୧୯ ମାର୍ଚ୍ଚ ୨୬ ତାରିଖରେ ସୁବାସ ବିଜେଡିରେ ଯୋଗ ଦେଇଥିଲେ । ଏହା ପୂର୍ବରୁ ସେ ବିଜେପିର ଜଣେ ଟାଣୁଆ ନେତା ଭାବେ ମଧ୍ୟ ପରିଚିତ ଥିଲେ । ୨୦୧୪ ସାଧାରଣ ନିର୍ବାଚନରେ ସେ ବିଜେପି ଟିକଟରେ ବରଗଡ଼ ଲୋକସଭା ଆସନରୁ ପ୍ରତିଦ୍ୱନ୍ଦିତା କରିଥିଲେ । ବିଜେଡିରେ ଯୋଗ ଦେବା ପରେ ସେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ଗୁରୁ ଦାୟିତ୍ୱ ତୁଲାଉଥିଲେ, ଏହାସହ କଳାହାଣ୍ଡି, ବରଗଡ, ବଲାଙ୍ଗିର ପର୍ଯ୍ୟବେକ୍ଷକ ଭାବେ ମଧ୍ୟ ଦାୟିତ୍ୱ ସମ୍ଭାଳିଥିଲେ ।

ସୁବାସଙ୍କର ଏକ ଲମ୍ବା ରାଜନୈତିକ କ୍ୟାରିୟର ରହିଛି । ସେ ବିଶ୍ୱ ହିନ୍ଦୁ ପରିଷଦର ସଦସ୍ୟ ରହିବା ସହ ବଜରଙ୍ଗ ଦଳର ଜାତୀୟ ସଭାପତି ମଧ୍ୟ ରହିସାରିଛନ୍ତି । ୧୯୯୫ରୁ ୨୦୦୦ ମାସିହା ପର୍ଯ୍ୟନ୍ତ ସେ ହିନ୍ଦୁ ଜାଗରଣ ମଞ୍ଜର ରାଜ୍ୟ ସଭାପତି ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି । ୨୦୦୦ ରୁ ୨୦୦୩ ପର୍ଯ୍ୟନ୍ତ ଆର୍‌ଏସ୍‌ଏସ୍‌ର ସହ-ରାଷ୍ଟ୍ରୀୟ ପ୍ରଚାରକ ଭାବେ କାର୍ଯ୍ୟ କରିଛନ୍ତି । ୨୦୦୧ରେ ହିନ୍ଦୁ ଜାଗରଣ ମଞ୍ଚର କନ୍‌ଭେନର ମଧ୍ୟ ରହିସାରିଛନ୍ତି ସ୍ୱର୍ଗତ ସୁବାସ ।

ଏହା ପରେ ୨୦୦୩ ରୁ ୨୦୦୬ ପର୍ଯ୍ୟନ୍ତ ବଜରଙ୍ଗ  ଦଳର ରାଜ୍ୟ କନ୍‌ଭେନର୍‌ ମଧ୍ୟ ରହି ସାରିଛନ୍ତି । ୨୦୦୬ ରୁ ୨୦୦୭ ପର୍ଯ୍ୟନ୍ତ ସେ ବଜରଙ୍ଗଦଳର ଜୋନାଲ କନ୍‌ଭେନର ଭାବେ କାର୍ଯ୍ୟ ଦାୟିତ୍ୱ ତୁଲାଇଛନ୍ତି । ଖାଲି ସେତିକି ନୁହେଁ ସେ ଜାତୀୟ ସ୍ତରରେ ୨୦୦୮ରେ ବଜରଙ୍ଗଦଳର କୋ-କନ୍‌ଭେନର୍‌ ଭାବେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି । ୨୦୧୦ରେ ସେ ବଜରଙ୍ଗ ଦଳର ନାସନାଲ କନ୍‌ଭେନର ଭାବେ କାର୍ଯ୍ୟ ଭାର ସମ୍ଭାଳିଲେ ଏବଂ ୨୦୧୨ ପର୍ଯ୍ୟନ୍ତ ତୁଲାଇଲେ ।

Leave a Reply