ପ୍ରଦୂଷଣ ସାର୍ଟିଫିକେଟ ନ ଥିଲେ ମିଳିବନି ତେଲ, ପର୍ଯ୍ୟାପ୍ତ ଭିତ୍ତିଭୂମି ଓ ବ୍ୟବସ୍ଥା ନ ଥାଇ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା ପରେ ଉଠିଲା ପ୍ରଶ୍ନ
ନନ୍ଦିଘୋଷ ବ୍ୟୁରୋ: ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (PUCC) ନଥିଲେ ପେଟ୍ରୋଲ ପମ୍ପରେ ମିଳିବ ନାହିଁ ତେଲ କି ଗ୍ୟାସ । ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ତେଲ କମ୍ପାନୀଗୁଡ଼ିକୁ ଚିଠି ଲେଖିଛି ବାଣିଜ୍ୟ ଓ ପରିବହନ ବିଭାଗ । ସରକାରଙ୍କ ଏହି ନିଷ୍ପତ୍ତିକୁ ସମସ୍ତେ ସ୍ବାଗତ କରିଥିବା ବେଳେ ଏହାର କାର୍ଯ୍ୟକାରିତାକୁ ନେଇ ଉଠିଛି ପ୍ରଶ୍ନ । ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର କେମିତି ପରଖିବେ ପେଟ୍ରାଲ ପମ୍ପ ? ପ୍ରମାଣପତ୍ର ନଥିଲେ ତୁରନ୍ତ ଏହା କରି ହେବ କି ? ଭିତ୍ତିଭୂମି ସେତିକି ସୁଦୃଢ ଅଛି କି ? ଟେକ୍ନୋଲୋଜି ବ୍ୟବହାର କରି ଗାଡ଼ି ଚାଳକ ବା ମାଲିକଙ୍କୁ ଆଗୁଆ ଜଣାଇ ହେବ କି ? ଆକ୍ସନ ପୂର୍ବରୁ ସଚେତନତା ଜରୁରୀ ନୁହେଁ କି ? ଏମିତି ଅନେକ ପ୍ରଶ୍ନ ଉଠିଛି ସରକାରଙ୍କ ନୂଆ ନିର୍ଦ୍ଦେଶନାମାକୁ ନେଇ ।
ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ନ ଥିଲେ ତେଲ, ଗ୍ୟାସ ଦେବେନି ପେଟ୍ରୋଲ ପମ୍ପ କି ଗ୍ୟାସ ଫିଲିଂ ଷ୍ଟେସନ । ସରକାର ଜାରି କରିଛନ୍ତି ନୂଆ ନିର୍ଦ୍ଦେଶନାମା । ଏନେଇ ସମସ୍ତ ତେଲ କମ୍ପାନୀକୁ ଚିଠି ଲେଖିଛି ଷ୍ଟେଟ ଟ୍ରାନ୍ସପୋର୍ଟ ଅଥରିଟି । ପ୍ରଦୂଷଣ ଏବେ ଚିନ୍ତାଜନକ ସ୍ଥିତିରେ ଥିବାରୁ ସରକାର ବଳ କଷୁଛନ୍ତି । ମୋଟର ଯାନ ନିୟମ ଉଲ୍ଲଙ୍ଘନ କରି ପ୍ରଦୂଷଣ ସୃଷ୍ଟି କରୁଥିବା ଯାନ ଉପରେ ଲାଗିବ ଅଙ୍କୁଶ । ଯେଉଁ ମଟର ଯାନର ବୈଧ ପ୍ରଦୂଷଣ ପ୍ରମାଣପତ୍ର ନ ଥିବ, କୌଣସି ପେଟ୍ରୋଲ ପମ୍ପରେ ତେଲ ନଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି । ମଟର ଯାନ ଆଇନ ଅନୁଯାୟୀ ବୈଧ ପ୍ରଦୂଷଣ ପ୍ରମାଣପତ୍ର ରଖିବା ବାଧ୍ୟତାମୂଳକ । ସରକାରଙ୍କ ଏହି ନିର୍ଦ୍ଦେଶନାମା ପେଟ୍ରୋଲ ପମ୍ପରେ କିଭଳି କାର୍ଯ୍ୟକାରୀ ହେବ, ତାକୁ ନେଇ ସୃଷ୍ଟି ହୋଇଛି ଦ୍ଵନ୍ଦ୍ଵ । ଏହାକୁ କିପରି କାର୍ଯ୍ୟକାରୀ କରାଯିବ, ତାକୁ ନେଇ ସୋମବାର ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ । ବିଭାଗୀୟ ଅଧିକାରୀଙ୍କ ସହ ପେଟ୍ରୋଲ ଡିଲର୍ସ ସଂଘ ଓ ତୈଳ କମ୍ପାନୀ ପ୍ରତିନିଧି ଆଲୋଚନା କରିବେ ।
ରାସ୍ତାରେ ଚାଲୁଥିବା ସମସ୍ତ ପ୍ରକାର ମଟର ଯାନ ନିୟମିତ ବ୍ୟବଧାନରେ ପଞ୍ଜିକୃତ ପ୍ରଦୂଷଣ ପରୀକ୍ଷା କେନ୍ଦ୍ରରେ ପ୍ରଦୂଷଣ ଯାଞ୍ଚ କରାଇବାର ନିୟମ ଅଛି । ଗାଡ଼ିରୁ ବାହାରୁଥିବା ଧୂଆଁରେ ବିଭିନ୍ନ ବିଷାକ୍ତ ଉପାଦାନ ନିର୍ଦ୍ଦିଷ୍ଟ ସୀମା ଭିତରେ ରହିବା କଥା ।
ପ୍ରଦୂଷଣ ପ୍ରମାଣପତ୍ର ଯାଞ୍ଚକୁ ଗୁରୁତ୍ୱ ଦେଇ ସମସ୍ତ ଟୋଲଗେଟରେ ଇ-ଡିଟେକ୍ସନ ବ୍ୟବସ୍ଥାରେ ଏହାକୁ ଅନ୍ତର୍ଭୁକ୍ତ କରାଯାଇଛି । ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ମୋଟର ଯାନ ବ୍ୟବହାରକାରୀଙ୍କୁ ନିବେଦନ କରାଯାଇଛି ଯେ, ସର୍ବଦା ଗାଡ଼ିର ବୈଧ ପ୍ରଦୂଷଣ ପ୍ରମାଣପତ୍ର ରଖନ୍ତୁ । ପ୍ରଦୂଷଣ ସୃଷ୍ଟି କରୁଥିବା ଯାନକୁ ବ୍ୟବହାର କରନ୍ତୁ ନାହିଁ । ପରିବେଶ ସୁରକ୍ଷାରେ ସହଭାଗୀ ହୁଅନ୍ତୁ । ପରିବହନ ବିଭାଗର ନିର୍ଦ୍ଦେଶନାମାକୁ ସ୍ବାଗତ କରାଯାଇଥିବା ବେଳେ ଏହାର କାର୍ଯ୍ୟକାରିତାକୁ ନେଇ ଉଠିଛି ପ୍ରଶ୍ନ । ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା ପୂର୍ବରୁ ପର୍ଯ୍ୟାପ୍ତ ଭିତ୍ତିଭୂମି ଓ ଟେକ୍ନୋଲୋଜି ବ୍ୟବହାର କରାଯିବା ଉଚିତ ବୋଲି ଓଡ଼ିଆ ଅସ୍ମିତା ପରିଷଦ କହିଛି ।
ନୋ ହେଲମେଟ, ନୋ ପେଟ୍ରୋଲ ଅଭିଯାନ କିଛି ଦିନ ଚାଲିବା ପରେ ଏବେ ଠପ୍ । ସାରା ଦେଶରେ ପ୍ରଦୂଷଣ ମାତ୍ରା ବଢି ଚାଲିଥିବାରୁ ଏହାକୁ କମାଇବା ପାଇଁ ନୂଆ ଉପାୟ ବାଛିଛନ୍ତି ସରକାର । ହେଲେ କଟକଣା ଜାରି କରିବା ପୂର୍ବରୁ ପର୍ଯ୍ୟାପ୍ତ ସୁଯୋଗ ଓ ସଚେତନତା ଉପରେ ଗୁରୁତ୍ଵ ଦେବା ଜରୁରୀ ।
ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା କହିଛନ୍ତି, ଏହି ନିୟମକୁ କଡ଼ାକଡ଼ି ପାଳନ କରାଯିବ । ପଲ୍ୟୁସନ ସାର୍ଟିଫିକେଟ ନଥିଲେ ତେଲ କି ଗ୍ୟାସ ମିଳିବ ନାହିଁ । ପ୍ରଦୂଷଣ ସାର୍ଟିଫିକେଟ ନିହାତି ଦରକାର । ଏୟାର କ୍ଵାଲିଟି ଇଣ୍ଡେକ୍ସରେ ଓଡ଼ିଶା ପ୍ରଦୂଷିତ ହେଲାଣି । ତେଣୁ ଯେଉଁ ଗାଡ଼ିର ପଲ୍ୟୁସନ ସାର୍ଟିଫିକେଟ ନଥିବ ସେହି ଗାଡ଼ିକୁ ପେଟ୍ରୋଲ ପମ୍ପରେ ତେଲ ମିଳିବ ନାହିଁ । ଏଥିପାଇଁ ତେଲ କମ୍ପାନୀଗୁଡ଼ିକୁ ରାଜ୍ୟ ସରକାରଙ୍କ ପରିବହନ କର୍ତ୍ତୃପକ୍ଷ ଚିଠି ଲେଖିଛନ୍ତି ।

