୫ ରାଜ୍ୟରୁ ଓଡ଼ିଶାକୁ ଡାଇରେକ୍ଟ ଏଣ୍ଟ୍ରି ମନା, ନେଗେଟିଭ୍‌ ରିପୋର୍ଟ ବାଧ୍ୟତାମୂଳକ

ଭୁବନେଶ୍ୱର: ବିନା ନେଗେଟିଭ୍‌ ରିପୋର୍ଟରେ ଓଡ଼ିଶାକୁ ଏଣ୍ଟ୍ରି ନାହିଁ । ଏଭଳି ଚରମବାଣୀ ଶୁଣାଇଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ସେ ସିଧାସଳଖ କହିଛନ୍ତି ଯେ, ପାଞ୍ଚୋଟି ରାଜ୍ୟରୁ ଓଡ଼ିଶାକୁ ସିଧା ଏଣ୍ଟ୍ରି ଉପରେ ପ୍ରତିବନ୍ଧକ ଲଗାଯାଇଛି । ସେହି ରାଜ୍ୟ ଗୁଡ଼ିକରୁ ଯେଉଁମାନେ ଓଡ଼ିଶା ଆସିବେ ସେମାନେ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ଆଣିବା ବାଧ୍ୟତାମୂଳକ । ଓଡ଼ିଶା ବିମାନବନ୍ଦରରେ ପହଞ୍ଚିବା ପରେ ସେମାନଙ୍କର ଆର୍‌ଟିପିସିଆର୍‌ ଟେଷ୍ଟ କରାଯିବ । ନେଗେଟିଭ୍‌ ରିପୋର୍ଟ ଆସିଲେ ତାଙ୍କ ଛଡ଼ାଯିବ । ମହାରାଷ୍ଟ୍ର କେରଳ ଓ କର୍ଣ୍ଣାଟକ ଭଳି ରାଜ୍ୟରେ ଏବେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ତେଣୁ ଏଥିପ୍ରତି ବିଶେଷ ଗୁରୁତ୍ୱ ଦିଆଯାଇଛି ।

ସେ ଆହୁରି କହିଛନ୍ତି, ଶୁକ୍ରବାର ସାପ୍ତାହିକ ରିଭ୍ୟୁ କରାଯାଇଥିଲା । ତେବେ ରିଭ୍ୟୁ କରିବା ପରେ ସଂକ୍ରମଣର ଯେଉଁ ରିପାେର୍ଟ ଆସିଛି ତାହା ଚିନ୍ତାଜନକ । ସଂକ୍ରମଣ ପାଖାପାଖି ୨୩ ହଜାରରେ ପହଞ୍ଚିଲାଣି । କେରଳ ଓ ମହାରାଷ୍ଟ୍ର ଆମର ପ୍ରତିବନ୍ଧକ ରହିଛି, ଅନ୍ୟ କେଉଁ ରାଜ୍ୟକୁ କରାଯିବ ପରମର୍ଶ ନେବା ପରେ ଜଣାପଡିବ । ବିମାନବନ୍ଦରରେ ପ୍ରତ୍ୟେକ ଯାତ୍ରୀଙ୍କୁ ଟେଷ୍ଟ କରାଯିବାକୁ ଯୋଜନା କରାଯାଇଛି ।

ଅନ୍ୟ ରାଜ୍ୟରୁ ଟ୍ରେନରେ ଆସୁଥିବା ଲୋକଙ୍କୁ ମଧ୍ୟ ଟେଷ୍ଟ କରାଯାଉଛି । ଟ୍ରେନରେ ଯେଉଁମାନେ ଆସିବେ ସେମାନଙ୍କ ଲକ୍ଷଣ ରହିଥିଲେ ତାଙ୍କର ଆରଟିପିସିଆର୍‌ ଟେଷ୍ଟ କରାଯିବ । ଯଦି ପଜିଟିଭ୍‌ ଚିହ୍ନଟ ହୁଏ ତେବେ ଉକ୍ତ ବ୍ୟକ୍ତିଙ୍କୁ ଆଇସୋଲେସନରେ ରଖାଯାଉଛି । କୋଭିଡ୍‌ ହସ୍ପିଟାଲ କିମ୍ବା ହୋମ ଆଇସୋଲେସନ ପାଇଁ ବ୍ୟବସ୍ଥା କରାଯାଉଛି ।

ଓଡ଼ିଶା ଭ୍ୟାକ୍ସିନ ଦେବାରେ ପୁରା ଦେଶରେ ଦ୍ଵିତୀୟ ସ୍ଥାନରେ ରହିଛି । ୯୦ ପ୍ରତିଶତରୁ ଅଧିକ ସ୍ୱାସ୍ଥ୍ୟକର୍ମୀ ଓ ଫ୍ରଣ୍ଟଲାଇନ ୱାର୍କରଙ୍କୁ ଦ୍ଵିତୀୟ ଡୋଜ୍ ଦିଆଯାଉଛି । ବୟସ୍କ ଲୋକଙ୍କୁ ମଧ୍ୟ ଭ୍ୟାକସିନ ଦିଆଯାଉଛି । ଦିନକୁ ଏକ ଲକ୍ଷ ଲୋକଙ୍କୁ ଟିକା ଦେବା ପାଇଁ ସରକାର ଲକ୍ଷ ରଖିଛନ୍ତି । ମେ ମାସ ୧୫ ତାରିଖ ଭିତରେ ବୟସ୍କ ଲୋକଙ୍କ ଟୀକାକରଣ ଶେଷ କରିବା ପାଇଁ ଲକ୍ଷ ରହିଛି ।

Leave a Reply