ଫୋନରେ ଏଇ ଗୋଟିଏ ଜିନିଷ ଥିଲେ ଏୟାରପୋର୍ଟରେ ଏଣ୍ଟ୍ରି ସହଜ

1 min read

ନନ୍ଦିଘୋଷ ବ୍ୟୁରୋ: ଏଣିକି ବିମାନ ଯାତ୍ରା ହେବ ସହଜ  । ଚେକ ଇନ ବୋଡିଂର ଲମ୍ବା ଲାଇନରୁ ମିଳିବ ମୁକ୍ତି  । ଯଦି ଆପଣଙ୍କ ପାଖରେ ଡିଜି ଯାତ୍ରା ଅଛି ଆଉ କରିବାକୁ ପଡିବନି କାଗଜପତ୍ର ଯାଞ୍ଚ  । ବିମାନ ବନ୍ଦରରେ କେବଳ ଚେହେରା ସ୍କାନ କରି ଆପଣ ଟର୍ମିନାଲରେ ପ୍ରବେଶ କରିପାରିବେ  । ନା ବୋଡିଂ ପାସ୍‌ ନା ଆଧାର କାର୍ଡ କିଛି ଆଉ ଦେଖାଇବାକୁ ପଡିବନି  । ଏୟାରପୋର୍ଟରେ ଏଣ୍ଟ୍ରି, ସିକ୍ୟୁରିଟି ଚେକ୍‌, ବୋଡିଂ ଆଉ ଲଗେଜ୍‌ ଡ୍ରପ୍‌ ସବୁଠି କେବଳ ଆପଣ ଚେହେରା ସ୍କାନ କରି ପ୍ରବେଶ କରିପାରିବେ  ।

 

ଡିଜି ଯାତ୍ରା ପାଇଁ କେବଳ ନାମ, ଇମେଲ ଆଇଡି, ମୋବାଇଲ ନମ୍ବର ଓ ପରିଚୟ ପତ୍ର ଆବଶ୍ୟକ ହେବ  । ପ୍ଲେ ଷ୍ଟୋର ବା IOS ରେ ଡିଜି ଯାତ୍ରା ଆପଲିକେସନ ଡାଉନଲୋଡ କରିବେ  । ଏହି ଆପ୍ଲିକେସନରେ ମୋବାଇଲ ନମ୍ବର ଓ OTP ଜରିଆରେ ରେଜିଷ୍ଟ୍ରେସନ କରିପାରିବେ  । ଏହାପରେ ଡିଜିଲକର୍ ବା ଅଫଲାଇନ ମୋଡ୍‌ରେ ନିଜ ପରିଚୟ ପତ୍ର ଅପଲୋଡ କରିପାରିବେ  । ନିଜର ଏକ ସେଲଫି ଅପଲୋଡ କରିବା ପରେ ଆପଣଙ୍କର ଡିଜି ଯାତ୍ରା ଆଇଡି ତିଆରି ହୋଇଯିବ  ।

 

india.gov.inରେ ଦିଆଯାଇଥିବା ସୂଚନା ମୁତାବକ ଟିକେଟ ବୁକ୍ କରିବା ସମୟରେ ଯାତ୍ରୀ ନିଜର ଡିଜି ଯାତ୍ରା ଆଇଡି ନମ୍ବର ଦେଇପାରିବେ  । ଡିଜି ଯାତ୍ରାରେ ରେଜିଷ୍ଟେସନ ପରେ ଯଦି ପ୍ରଥମ ଥର ବିମାନ ଯାତ୍ରା କରିବାକୁ ଯାଉଛନ୍ତି ତେବେ ବିମାନ ବନ୍ଦରରେ ଥିବା ଡିଜି ଯାତ୍ରା କିଓସ୍କରେ ଯାଇ ଭେରିଫିକେସନ କରିବାକୁ ହେବ  ।

 

ଯେଉଁ ବିମାନ ବନ୍ଦରରେ ଡିଜି ଯାତ୍ରା ସୁବିଧା ଆରମ୍ଭ ହୋଇଛି ସେହି ସବୁ ଏୟାରପୋର୍ଟରେ ପାସେଞ୍ଜରଙ୍କ ପାଇଁ ଅଲଗା ଗେଟ୍ ରହିଛି  । ଏହି ଗେଟ୍ରେ ଯାତ୍ରୀଙ୍କୁ ବୋଡିଂ ପାସ୍ ବା ଇ ଟିକେଟ ସ୍କାନ କରିବାକୁ ପଡିଥାଏ  । ଦେଶର ୧୩ଟି ବିମାନ ବନ୍ଦରରେ ଡିଜି ଯାତ୍ରା ସୁବିଧା ଉପଲବ୍ଧ ରହିଛି  । ଦିଲ୍ଲୀ, ବାରଣାସୀ, ବେଙ୍ଗାଲୁରୁ, ପୁଣେ, ହାଇଦ୍ରାବାଦ, ବିଦୟୱାଡା, ମୁମ୍ବାଇ, କୋଚି, ଅହମ୍ମଦାବାଦ, ଲକ୍ଷ୍ନୌ, ଜୟପୁର, ଗୌହାଟୀ ଓ ଚେନ୍ନାଇ ଏୟାରପୋର୍ଟରେ ଡିଜି ଯାତ୍ରା ସୁବିଧା ରହିଛି  । ଏବର୍ଷ ମାର୍ଚ୍ଚ ମାସ ସୁଦ୍ଧା ଦେଶର ଆଉ ୧୪ଟି ବିମାନ ବନ୍ଦରରେ ଏହି ସୁବିଧା ଉପଲବ୍ଧ ହେବ  ।