ଲିଙ୍ଗରାଜ ମନ୍ଦିର ସମ୍ପର୍କିତ ବାଇ ଲ’ ପ୍ରତ୍ୟାହାର ପାଇଁ ଚିଠି ଲେଖିଲେ ମନ୍ଦିର ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ

1 min read

ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିର ସମ୍ପର୍କିତ ଏନଏମଏର ବିଜ୍ଞପ୍ତି ପ୍ରତ୍ୟାହାର ପାଇଁ ଚିଠି ଲେଖିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ । ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡର ଅଧ୍ୟକ୍ଷଙ୍କ ବିନା ପରାମର୍ଶରେ ଏଭଳି ନିଷ୍ପତ୍ତି ନ ନେବାକୁ ଚିଠିରେ ଉଲ୍ଲେଖ କରାଯାଇଛି । ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡର ମୁଖ୍ୟ ଭାବେ ଚିଠି ଲେଖିଛନ୍ତି ଜିଲ୍ଲାପାଳ ସନତ କୁମାର ମହାନ୍ତି । ଲିଙ୍ଗରାଜ ମନ୍ଦିରର ମହତ୍ୱ, ଗୁରୁତ୍ୱ ଓ ବିଶେଷତ୍ୱ  ଏସବୁ ବିଷୟରେ ବ୍ୟାଖ୍ୟା କରିଛନ୍ତି । ଭୁବନ-ଇଶ୍ୱର ଜାହାଙ୍କ ନାଁରେ ରାଜଧାନୀର ନାଁ ଭୁବନେଶ୍ୱର ରଖାଯାଇଛି । ସାରା ବିଶ୍ୱର ଠାକୁର ଭାବରେ ପରିଗଣିତ ହୁଅନ୍ତି ପ୍ରଭୁ ଲିଙ୍ଗରାଜ । ଏହାସହ ପ୍ରଭୁ ଲିଙ୍ଗରାଜଙ୍କ ରୀତିନୀତି ଓ ଯେଉଁ ପର୍ବପର୍ବାଣୀ ଅଛି । ସେ ମହା ଶିବରାତ୍ରୀ କଥା ହେଉ କି ସେବାୟତ ଏବଂ ଭକ୍ତଙ୍କ କଥା ସବୁ ବିଷୟରେ ଚିଠିରେ ଉଲ୍ଲେଖ କରିଛନ୍ତି ଜିଲ୍ଲାପାଳ ।

ସେହିପରି ଏନଏମଏର ବିଜ୍ଞପ୍ତି ପ୍ରତ୍ୟାହାର ନହେଲେ ଏହା କିପରି ସୌନ୍ଦର୍ଯ୍ୟକରଣ ଓ ପ୍ରଭୁଙ୍କ ନୀତିକାନ୍ତି ତଥା ସେବା ଏବଂ ସେବାୟତଙ୍କୁ ପ୍ରଭାବିତ କରିବ ସେ ବିଷୟରେ ମଧ୍ୟ ଆଲୋକପାତ କରିଛନ୍ତି  । ତେଣୁ ଏହି ବିଜ୍ଞପ୍ତି ଶିଘ୍ର ପ୍ରତ୍ୟାହାର କରିବାକୁ ଅନୁରୋଧ କରିଛନ୍ତି ଟ୍ରଷ୍ଟ ବୋର୍ଡର ଅଧ୍ୟକ୍ଷ । ସେହିପରି ଯଦି ଏନଏମଏ ଆଗକୁ ଏମିତି କୌଣସି ନିଷ୍ପତ୍ତି ନେଉଛି ତେବେ ପ୍ରଥମେ ସମସ୍ତଙ୍କ ସହ ଆଲୋଚନା କରିବାକୁ ଚିଠିରେ  ଅନୁରୋଧ କରିଛନ୍ତି ଜିଲ୍ଲାପାଳ ।

ଲିଙ୍ଗରାଜ ମନ୍ଦିର ସହ ଯୋଡ଼ିହୋଇଛି ରାଜ୍ୟବାସୀଙ୍କ ଭକ୍ତି ଓ ଭାବାବେଗର ସଂପର୍କ । ଲିଙ୍ଗରାଜ ମନ୍ଦିର ହେଉଛି ଏକ ଶୈବପୀଠ ଏଠାରେ କୋଟି କୋଟି ଭକ୍ତଙ୍କ ଭାବବେଗ ଜୋଡ଼ି ହୋଇ ରହିଛି । ଏହାସହ ୧୯୫୮ ମସିହାରେ ଟ୍ରଷ୍ଟ ତିଆରି ଏବଂ ASIର ଭୂମିକା କିଭଳି ସୀମିତ ରହିଛି ସେ ବିଷୟରେ ଉଲ୍ଲେଖ କରାଯାଇଛି । ଏହାସହ ଏକାମ୍ର କ୍ଷେତ୍ରର ସମସ୍ତ ସମ୍ପତ୍ତି ଶ୍ରୀଲିଙ୍ଗରାଜଙ୍କର ହୋଇଥିବାରୁ ପ୍ରାଧିକରଣର ବାଇ ଲ ଲିଙ୍ଗରାଜ ମନ୍ଦିର ଓ ଏହାର ସେବାୟତଙ୍କୁ ମଧ୍ୟ ପ୍ରଭାବିତ କରିବ ବୋଲି ପ୍ରକାଶ କରାଯାଇଛି।

ସେହିପରି ରାଜ୍ୟ ସରାକାରଙ୍କ ଉଦ୍ୟମରେ ଲିଙ୍ଗରାଜ ମନ୍ଦିର ଓ ଆଖପାଖର ସୌନ୍ଦର୍ଯ୍ୟକରଣ ପାଇଁ ଆରମ୍ଭ ହୋଇଛି ଏକାମ୍ର ବିକାଶ ପ୍ରକଳ୍ପ । ଯାହା ଏବେ ମନ୍ଦିର ମାଳିନୀ ଭୁବନେଶ୍ୱରର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଛି । ଆଉ ଏହି ସୌନ୍ଦର୍ଯ୍ୟକରଣ ଲାଗି ସ୍ୱଇଚ୍ଛାରେ ଜମି ଯୋଗାଇ ଦେଇଛନ୍ତି ସେବାୟତ ପରିବାର ଓ ଅଞ୍ଚଳବାସୀ । ବାଇ ଲ’ ଲାଗୁହେଲେ ପ୍ରକଳ୍ପର ଉନ୍ନତି କରଣରେ ବାଧାପ୍ରାପ୍ତ ହେବ । ତେବେ ବାଇ ଲ’ ଲାଗୁ ପୂର୍ବରୁ ମନ୍ଦିର ପରିଚାଳନା କମିଟି ଓ ସେବାୟତଙ୍କ ସହ ଆଲୋଚନା କରାଯାଉ ବୋଲି ଚିଠିରେ ଉଲ୍ଲେଖ ରହିଛି ।

ସୂଚନା ଯୋଗ୍ୟ ଯେ, ଏହି ବାଇ ଲ’ରେ ଶ୍ରୀମନ୍ଦିରକୁ ମଧ୍ୟ ସାମିଲ କରାଯାଇଥିଲା । ଏହାକୁ ନେଇ ଯେତେବେଳେ ବିଭିନ୍ନ ମହଲରୁ ପ୍ରତିବାଦର ସ୍ୱର ଉଠିଲା ସେତେବେଳେ NMA ସଚିବ ଏହି ବାଇ ଲକୁ ଶ୍ରୀମନ୍ଦିରରୁ ପ୍ରତ୍ୟାହାର କରିଥିଲେ ।

Leave a Reply