ଆଜିଠୁ ଓ୍ୱିଣ୍ଟର ଅଲିମ୍ପିକ୍ସ, ଉଦଘାଟନୀ ଓ ଉଦଯାପନୀ ଉତ୍ସବକୁ ବର୍ଜନ କରିବ ଭାରତ

ବେଜିଂ: ଆଜିଠୁ ଚୀନର ବେଜିଂରେ ଅନୁଷ୍ଠିତ ହେଉଛି ଓ୍ୱିଣ୍ଟର ଅଲମ୍ପିକ୍ସ । ପ୍ରଥମଥର ପାଇଁ ଚୀନରେ ଏହି କ୍ରୀଡ଼ା ମହାକୁମ୍ଭ ଆୟୋଜିତ ହେଉଛି । ଆସନ୍ତା ୨୦ତାରିଖ ପର୍ଯ୍ୟନ୍ତ ଚାଲିବ ଓ୍ୱିଣ୍ଟର ଅଲମ୍ପିକ୍ସ । ଏଥିରେ ୧୫ଟି ବିଭାଗରେ ଖେଳ ଅନୁଷ୍ଠିତ ହେବ । ବିଶ୍ବର ୯୦ରୁ ଅଧିକ ଦେଶ ଏଥିରେ ଭାଗନେଉଛନ୍ତି । ଆଜି ଏହାର ଉଦଘାଟନୀ ଦିବସ ହୋଇଥିବାବେଳେ ଏହାକୁ ବୟକଟ୍ କରିଛି ଭାରତ । ଓ୍ବିଣ୍ଟର ଅଲିମ୍ପିକ୍ସର ଉଭୟ ଉଦଘାଟନୀ ଓ ଉଦଯାପନୀ ଉତ୍ସବକୁ ବର୍ଜନ କରିବେ ଭାରତୀୟ କୂଟନୀତିଜ୍ଞ ।

ଗଲଓ୍ବାନ ସଂଘର୍ଷରେ ଜଡ଼ିତ ସୈନ୍ୟ ଅଲମ୍ପିକ୍ସର ମଶାଲ ଧରିବା ନିଷ୍ପତ୍ତିକୁ ନେଇ  ପ୍ରତିବାଦ ଜଣାଇଛି ଭାରତ । ୨୦୨୦ ଜୁନରେ ଗଲଓ୍ବାନରେ ଭାରତୀୟ ଯବାନଙ୍କୁ ଆକ୍ରମଣ କରିଥିବା କ୍ୟୁଇ ଫାବାଓ ମଶାଲ ଧରିବେ ବୋଲି ଚୀନ ଘୋଷଣା କରିଥିଲା । ଫାବାଓଙ୍କୁ ଭାରତୀୟ ସୈନ୍ୟ ଧରିବା ପରେ ଛାଡ଼ିଦିଆଯାଇଥିଲା । ଉତ୍ସବ ବର୍ଜନ ନେଇ ସୂଚନା ଦେଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ ବାଗଚୀ । ୨୦୨୦ ଜୁନ ସଂଘର୍ଷରେ ଚୀନ ସୈନ୍ୟଙ୍କ ନେତୃତ୍ବ ନେଇଥିଲେ ଫାବାଓ ଓ ଭାରତୀୟ ସୈନ୍ୟଙ୍କ ଉପରେ ଆକ୍ରମଣ ଲାଗି ଉଦ୍ୟମ କରିଥିଲେ । ଏହି ଘଟଣାରେ ଅପରେସନ ସ୍ନୋ ଲିଓପାର୍ଡରେ ଭାରତର ନେତୃତ୍ବ ନେଉଥିବା କର୍ଣ୍ଣେଲ ବିକ୍କୁମାଲ୍ଲା ସନ୍ତୋଷ ବାବୁଙ୍କ ମୃତ୍ୟୁ ଘଟିଥିଲା ।

Leave a Reply