ନନ୍ଦିଘୋଷ ବ୍ୟୁରୋ : ମଧ୍ୟପ୍ରାଚ୍ୟରେ ଯୁଦ୍ଧ ସ୍ଥିତି ବିଶ୍ବ ଅର୍ଥନୀତିକୁ ମାନ୍ଦାବସ୍ଥା ଭିତରକୁ ଠେଲିଦେଲାଣି। ଆଗାମୀ ଦିନରେ ଦେଖା ଦେଇପାରେ ଶକ୍ତି ସଂକଟ। ଆସନ୍ତା ଦିନରେ ହୋଇପାରେ ଏନର୍ଜି ଲକ-ଡାଉନ। ଏପରି ଆଶଙ୍କା କଲେଣି ବିରୋଧୀ ଓ ବିଶେଷଜ୍ଞ। ଭାରତ ମଧ୍ୟ ଏହି ସଂକଟର ସାମ୍ନା କରିବାକୁ ଯାଉଛି । ଯଦିଓ ଭାରତ ସରକାର କହୁଛନ୍ତି ଦେଶରେ ପର୍ଯ୍ୟାପ୍ତ ତୈଳ ମହଜୁଦ ଅଛି । ଗ୍ୟାସର ସଂକଟ ସ୍ଥିତି ଥିଲେ ବି ଗ୍ୟାସ ଯୋଗାଣ ଶୃଙ୍ଖଳକୁ ସ୍ବାଭାବିକ କରିବାକୁ ଅହରହ ଉଦ୍ୟମ ଜାରି ରଖିଛନ୍ତି କେନ୍ଦ୍ର ସରକାର। କିନ୍ତୁ ଇରାନ ଉପରେ ଇସ୍ରାଏଲ-ଆମେରିକା ଆକ୍ରମଣ ପରେ ମଧ୍ୟପ୍ରାଚ୍ୟ ଦେଶ ସମୂହ ଯେପରି ଧ୍ବସ୍ତବିଧ୍ବସ୍ତ ହୋଇଛନ୍ତି ସେଠାରେ ସ୍ବାଭାବିକ ଅବସ୍ଥା ଫେରିବା ପାଇଁ ଅନେକ ବର୍ଷ ଲାଗିଯିବ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତି ପ୍ଲାଣ୍ଟ ଉପରେ ଆକ୍ରମଣ କରିବେ ନାହିଁ ସାମୟିତ ଯୁଦ୍ଧ ବିରତି ଘୋଷଣା କଲେ। ଟ୍ରମ୍ପଙ୍କ ଘୋଷଣା ପରେ ଇରାନ ଉପରେ ଇସ୍ରାଏଲର ଆକ୍ରମଣ ଓ ଇରାନର ଇସ୍ରାଏଲ ଉପରେ ପ୍ରତିଆକ୍ରମଣ ମଧ୍ୟପ୍ରାଚ୍ୟରେ ଆହୁରି ଅସ୍ଥିରତା ସୃଷ୍ଟି କରିଛି ।
ଗତକାଲି ଲୋକସଭାରେ ବିବୃତି ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ କୋଭିଡ କାଳକୁ ଯେପରି ଭାରତ ସଫଳତା ସହ ମୁକାବିଲା କରିଥିଲା। ସେହିଭଳି ମଧ୍ୟପ୍ରାଚ୍ୟରେ ଯୁଦ୍ଧ ସ୍ଥିତି ଯୋଗୁ ଯେଉଁ ତୈଳ ସଂକଟ ଦେଖାଦେଇଛି ତାକୁ ମୁକାବିଲା କରିବାରେ ସଫଳ ହେବ। ପ୍ରଧାନମନ୍ତ୍ରୀଙ୍କ ଏପରି ଦାବିକୁ ନେଇ ବିରୋଧୀ ଊିନ୍ନ ଦୃଷ୍ଟିରେ ଦେଖିଛନ୍ତି। ଦେଶରେ ପେଟ୍ରୋଲ, ଡିଜେଲ ଓ ଗ୍ୟାସ ସଙ୍କଟ ଦେଖାଦେଲେ ଅନ୍ଧାର ହୋଇଯିବ। ନା ଶିଳ୍ପ ଚାଲିବ ନାଁ ଗାଡ଼ି ଗଡ଼ିବ। ଠପ ହୋଇଯିବ ଜନଜୀବନ ବୋଲି ଆଶଙ୍କା ପ୍ରକାଶ ପାଇଛି।

