କାନାଡାକୁ ୫୧ ତମ ପ୍ରଜାତନ୍ତ୍ର ଘୋଷଣା କରିବେ କି ଟ୍ରମ୍ପ ?

ନନ୍ଦିଘୋଷ ବ୍ୟୁରୋ: କାନାଡାକୁ ୫୧ତମ ପ୍ରଜାତନ୍ତ୍ର ଭାବେ ଘୋଷଣା କରିବେ କି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ । ଟ୍ରମ୍ପଙ୍କ ଏହି ଲଗାତାର ଘୋଷଣାର ପ୍ରଭାବ ପଡିଛି ଅନେକ କ୍ଷେତ୍ରରେ । ଫଳସ୍ବରୂପ ଦୁଇ ଦେଶ ମଧ୍ୟରେ ବିମାନ ଟିକେଟ ବୁକିଂ ସଂଖ୍ୟା ବ୍ୟାପକ ହ୍ରାସ ପାଇଛି । ଗତବର୍ଷ ମାର୍ଚ୍ଚରେ ଦୁଇ ଦେଶ ମଧ୍ଯରେ ଫ୍ଲାଇଟ ଟିକେଟ ବିକ୍ରୀ ୧୨ ଲକ୍ଷ ଥିଲା । ଚଳିତ ମାର୍ଚ୍ଚରେ ଏହି ସଂଖ୍ୟା ହ୍ରାସ ପାଇ ୩ ଲକ୍ଷରେ ପହଞ୍ଚିଛି ।
ସେପଟେ ଆମେରିକାରେ ହୋଇଥିବା ସର୍ଭେରେ ପ୍ରତି ୫ ଜଣ ନାଗରିକଙ୍କ ମଧ୍ୟରୁ ଜଣେ ଆମେରିକାରେ କାନାଡାକୁ ମିଶାଇବା ସପକ୍ଷରେ ଥିବା ଜଣାଯାଇଛି । ଆସନ୍ତା ମାସରେ କାନାଡା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହି ନିର୍ବାଚନ ପରେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଓ କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ଣ୍ଣିଙ୍କ ମଧ୍ୟରେ ଆଲୋଚନା ହେବ ବୋଲି ସୂଚନା ମିଳିଛି । ଗତ ୨୮ ତାରିଖରେ ଦୁଇ ନେତାଙ୍କ ମଧ୍ୟରେ ସକାରାତ୍ମକ ଆଲୋଚନା ହୋଇଥିଲା । ଆସନ୍ତା ଏପ୍ରିଲ ୨ ତାରିଖରେ ଟ୍ରମ୍ପ ନୂଆ ଟାରିଫ ନୀତି ଘୋଷଣା କରିବାକୁ ଯାଉଥିବାରୁ କାନାଡାର ପ୍ରତିକ୍ରିୟା କ’ଣ ହେବ ତାହାରି ଉପରେ ନଜର ରହିଛି ।
ପୂର୍ବରୁ କାର୍ଣ୍ଣି ଘୋଷଣା କରିଥିଲେ, ଅନ୍ୟ ରାଷ୍ଟ୍ର ଉପରେ ବିଶେଷ ନିର୍ଭରଶୀଳ ନହେବା ଦିଗରେ କାନାଡାକୁ ଗଠନ କରିବା ଲାଗି ସେ ଉଦ୍ୟମ କରିବେ । ସେପଟେ କାନାଡାକୁ ବିଦେଶୀ ଶ୍ରମିକ, ଅନ୍ତରାଷ୍ଟ୍ରୀୟ ଛାତ୍ରଛାତ୍ରୀ ଓ ପର୍ଯ୍ୟଟକଙ୍କ ଆଗମନ ସଂଖ୍ୟା ବ୍ୟାପକ ହ୍ରାସ ପାଉଥିବା ସୂଚନା ମିଳିଛି । ଗତବର୍ଷ ୨.୩୫ ନିୟୁତ ଅସ୍ଥାୟୀ ଆବାସିକ ଆବେଦନପତ୍ରକୁ କାନାଡା ଅଗ୍ରାହ୍ୟ କରିଥିବା ଜଣାଯାଇଛି । ଏହି ଧାରା ବର୍ତ୍ତମାନ ଜାରି ରହିଥିବା କୁହାଯାଇଛି ।