ଆସନ୍ତା ୨୮ ତାରିଖରେ ପୋଲାଭରମ ନେଇ ବୈଠକ କରିବେ ମୋଦୀ

ନନ୍ଦିଘୋଷ ବ୍ୟୁରୋ: ବାହାରିବ କି ପୋଲାଭରମ ବିବାଦର ସମାଧାନ । ଏନେଇ ଆସନ୍ତା ୨୮ ତାରିଖରେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରଥମ ବୈଠକ ବସିବ । ଏଥିରେ ୪ ରାଜ୍ୟ ଓଡି଼ଶା, ଆନ୍ଧ୍ର, ଛତିଶଗଡ଼ ଓ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀମାନେ ଯୋଗଦେବେ । ମୁଖ୍ୟମନ୍ତ୍ରୀଙ୍କ ସହ ସଂପୃକ୍ତ ରାଜ୍ୟର ଜଳସମ୍ପଦ ମନ୍ତ୍ରୀମାନେ ମଧ୍ୟ ବୈଠକରେ ଉପସ୍ଥିତ ରହିବେ । ସେହିପରି କେନ୍ଦ୍ର ଜଳସଂପଦ ମନ୍ତ୍ରୀ ଓ ଅଧିକାରୀମାନେ ଯୋଗଦେବେ ।
ପୋଲାଭରମ ପ୍ରକଳ୍ପକୁ ନେଇ ଓଡ଼ିଶା ପ୍ରତିବାଦ କରିଆସୁଛି । ପ୍ରକଳ୍ପ କାମ ଏବେ ସରିବାକୁ ବସିଲାଣି । ପ୍ରକଳ୍ପ ସଂପୂର୍ଣ୍ଣ ହୋଇଗଲେ ମାଲକାନଗିରିର ମୋଟୁ ଅଞ୍ଚଳ ବିଶେଷଭାବେ ପ୍ରଭାବିତ ହେବ । ଓଡ଼ିଶାର ୭୦ ପ୍ରତିଶତ ଆଦିବାସୀ ପ୍ରଭାବିତ ହେବେ । ପୋଲାଭରମ ଯୋଗୁଁ ଓଡିଶାର ଯେପରି କିଛି କ୍ଷତି ନହେବ ସେନେଇ ବିରୋଧୀ ବିଜେଡି ଓ କଂଗ୍ରେସ ସ୍ବର ଉଠାଇ ଆସିଛନ୍ତି । ସ୍ବତନ୍ତ୍ର ଟିମ ଗଠନ କରି ଦଳ କ୍ଷତିଗ୍ରସ୍ତ ଅଂଚଳ ବୁଲି ଦେଖିଛନ୍ତି । ୨୦୨୭ ଶେଷ ସୁଦ୍ଧା ଏହା କାର୍ଯ୍ୟକ୍ଷମ ହେବ ବୋଲି ଡେଡଲାଇନ ଅଛି ।