ଋଷ-ୟୁକ୍ରେନ୍ ମଧ୍ୟରେ ଯଦି ଯୁଦ୍ଧ ହୁଏ ପାକିସ୍ତାନ କାହାକୁ ସମର୍ଥନ କରିବ ?

1 min read

ନୂଆଦିଲ୍ଲୀ: ଋଷ-ୟୁକ୍ରେନ୍ ସୀମାରେ ଯୁଦ୍ଧର କଳାବାଦଲ ଘୋଡାଇ ହୋଇ ରହିଛି । ଯୁଦ୍ଧ ହେବ କି ନାହିଁ ତାହା ଭ୍ଲାଦିମିର ପୁଟିନଙ୍କ ଉପରେ ନିର୍ଭର କରୁଛି । ଆମେରିକା ଓ ନାଟୋକୁ କଡା ସନ୍ଦେଶ ଦେବାକୁ ପୁଟିନ ଯଦି ଯୁଦ୍ଧର ନିର୍ଣ୍ଣୟ ନିଅନ୍ତି ତେବେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ଦୁଇ ପକ୍ଷର ଜିଦ ଏମିତି ଗୋଟିଏ ଯୁଦ୍ଧକୁ ଜନ୍ମ ଦେବାକୁ ଯାଉଛି,ଯେଉଁଥିରେ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର କାହାରି ନା କାହାରି ପକ୍ଷ ନେବାକୁ ବାଧ୍ୟ ହେବେ । ଏମିତିରେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଯେ, କେଉଁ ଦେଶ କେଉଁ ଶିବୀରରେ ଅଛନ୍ତି? କିଏ ଋଷକୁ ସମର୍ଥନ କରୁଛି ଓ କିଏ ଆମେରିକାର ସମର୍ଥକ । ଆସନ୍ତୁ ଜାଣିବା ଯୁଦ୍ଧ ହେଲେ କେଉଁ ସବୁ ଦେଶଙ୍କୁ ଋଷ ପକ୍ଷରେ ଦେଖିବାକୁ ମିଳିବ ଓ କିଏ ସବୁ ଆମେରିକା ସମର୍ଥନରେ ଛିଡା ହେବେ ।


ଭାରତ : ପ୍ରଥମେ ଭାରତ କଥା । ଭାରତର ପୁରୁଣା ବହୁ ପରୀକ୍ଷିତ ଓ ସବୁ ପାଗର ବନ୍ଧୁ ଋଷ । ୧୯୭୧ ମସିହା ଯୁଦ୍ଧରେ ଆମେରିକାର ସପ୍ତମ ନୌଭେଳା ଜବାବରେ ଭାରତ ମହାସାଗରେ ଋଷ ତ’ର ଯୁଦ୍ଧ ଜାହଜଙ୍କୁ ଓହ୍ଲାଇ ଥିଲା । ଫଳରେ ଭାରତକୁ ନାଲି ଆଖି ଦେଖାଉଥିବା ଆମେରିକା ପୂର୍ବ ପାକିସ୍ତାନ ବା ବର୍ତ୍ତମାନର ବାଂଲାଦେଶରେ ପହଂଚି ପାରିନଥିଲା । ପାକିସ୍ତାନର ଆଶା ଥିଲା ଯେ, ଆମେରିକା ନୌସେନାର ଉପସ୍ଥିତି ଶକ୍ତିସନ୍ତୁଳନକୁ ବିଗାଡି ଦେବ । ଭାରତ ଚାପ ଗସ୍ତ ହେବ । ଆଉ ପାକିସ୍ତାନକୁ ସମ୍ଭାଳିବା ପାଇଁ ସମୟ ମିଳିବ । କିନ୍ତୁ ଋଷର ଏଣ୍ଟ୍ରି ସବୁକିଛି ବିଗାଡି ଦେଇଥିଲା । ପାକିସ୍ତାନ ଏହି ଯୁଦ୍ଧ ହାରିଥିଲା ଓ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପ୍ରଥମ ଥର ପାଇଁ ୯୨ ହଜାର ସୈନିକ ଆତ୍ମସମର୍ପଣ କରିଥିଲେ । କେବଳ ୧୯୭୧ ଯୁଦ୍ଦ ନୁହେଁ କାରଗିଲ ହେଉ କି ଜାତିସଂଘରେ କାଶ୍ମୀର ପ୍ରସଙ୍ଗ ହେଉ,ସବୁଥିରେ ଓ ସବୁବେଳେ ଋଷ ଭାରତର ସମର୍ଥନ କରି ଆସିଛି । ଏହାସହିତ ଋଷ ହେଉଛି ଭାରତର ସବୁଠାରୁ ବଡ଼ ସାମରିକା ଉପକରଣ ସପ୍ଲାଏର । ତେଣୁ ଭାରତ ଋଷକୁ ଅସନ୍ତୁଷ୍ଟ କରିବାକୁ ଚାହିଁବ ନାହିଁ । ଅନ୍ୟପକ୍ଷରେ ଆମେରିକା ସହିତ ଗତ ଏକ ଦଶନ୍ଧୀ ମଧ୍ୟରେ ଭାରତର ସମ୍ପର୍କ ସୁଦୃଢ ହୋଇଛି । ଏହା ସହିତ ଆମେରିକା ସହିତ ଭାରତର ବାଣିଜ୍ୟକ ସମ୍ବନ୍ଧ ମଧ୍ୟ ରହିଛି । ଏମିତିରେ ଭାରତ ଆମେରିକାକୁ ମଧ୍ୟ ଅସନ୍ତୁଷ୍ଟ କରିବାକୁ ଚାହିଁବନି । ଯାହାର ଅର୍ଥ ହେଉଛି ଭାରତ ଯଥାସମ୍ଭବ ଏହି ବିବାଦରେ କାହା ପକ୍ଷ ନନେଇ ନିରପକ୍ଷ ରହିବ ।

ଆମେରିକା : ଅଙ୍କଲ ସାମ୍ ୟୁକ୍ରେନରେ ସାମରିକ ଘାଟି ପ୍ରତିଷ୍ଠା ଚାହୁଁଛି । ଋଷକୁ ତା’ରି ସୀମାରେ ଘେରିବା ଆମେରିକାର ରଣନୀତି । ଆଉ ଏଇଥିପାଇଁ ହିଁ ଏହି ସଂକଟ ସୃଷ୍ଟି ହୋଇଛି । ଏମିତିରେ ଆମେରିକା ୟୁକ୍ରେନକୁ ହିଁ ସମର୍ଥନ କରିବ । ଠିକ୍ ଭାବେ କହିଲେ ଆମେରିକା ୟୁକ୍ରେନ୍ ସମର୍ଥନରେ ଋଷ ସହ ମୁହାଁମୁହିଁ ପରିସ୍ଥିତିକୁ ଆସିଗଲାଣି । ଦୁଇ ଦିନ ତଳେ ଆମେରିକା ଋଷର ଦୁଇଟି ଆର୍ଥିକ ଅନୁଷ୍ଠାନ ଉପରେ ପ୍ରତିବନ୍ଧକ ଲଗାଇ ନିଜ ମନୋଭାବକୁ ସ୍ପଷ୍ଟ କରିଦେଇଛି ।

ୟୁରୋପିୟ ସଂଘ : ଇୟୁ ୟୁକ୍ରେନ୍ ମାମଲାରେ ଋଷ ବିରୋଧରେ ଛିଡା ହୋଇଛି । ସଂଘ କହି ସାରିଛି ଯେ, ୟୁକ୍ରେନ ପାଇଁ ବିପଦ ପୁରା ୟୁରୋପ ଲାଗି ବିପଦ । ଇୟୁ ଋଷର ବ୍ୟାଙ୍କ ଓ ଇୟୁ ଆର୍ଥିକ ବଜାର ପର୍ଯ୍ୟନ୍ତ ଋଷର ପ୍ରବେଶ ଉପରେ ପ୍ରତିବନ୍ଧକ ଲାଗୁ କରିସାରିଲାଣି । ଯଦି ଯୁଦ୍ଧ ହୁଏ,ଇୟୁ ପ୍ରତିବନ୍ଧକକୁ ଅଧିକ କଠୋର କରିବ ।
ବ୍ରିଟେନ୍ : ଋଷର ୬ଟି ବ୍ୟାଙ୍କ ଉପରେ ପ୍ରତିବନ୍ଧକ ଲଗାଇ ବ୍ରିଟେନ୍ ନିଜ ମନୋଭାବ ସ୍ପଷ୍ଟ କରିଦେଇଛି । ୟୁକ୍ରେନ୍ ଉପରେ ଆକ୍ରମଣକୁ ସେହି ଦେଶର ସାର୍ବଭୌମତ୍ୱ ଉପରେ ଆକ୍ରମଣ ଭାବେ ବର୍ଣ୍ଣନା କରିଛି ଋଷ । ୟୁକ୍ରେନ୍ ସଂକଟରେ ବ୍ରିଟେନ୍ ନାଟୋ ଦେଶଙ୍କୁ ସମର୍ଥନ କରିବ ।


ଚୀନ୍ : ଆମେରିକା ସହିତ ବିବାଦ ଭିତରେ ଚୀନ୍ ଋଷର ନିକଟତର ହୋଇଛି । ୟୁକ୍ରେନ୍ ସଂକଟରେ ଚୀନ୍ ଖୋଲାଖୋଲି ଋଷକୁ ସମର୍ଥନ କରୁଛି । ୟୁକ୍ରେନ୍ ସୀମାରେ ନାଟୋ ସେନା ଉପସ୍ଥିତି ଋଷ ସୁରକ୍ଷା ପାଇଁ ବିପଦ ବୋଲି କହୁଛି । ପରବର୍ତ୍ତି ବିଶ୍ୱ ମହାଶକ୍ତି ହେବାର ସ୍ୱପ୍ନ ଦେଖୁଥିବା ଚୀନ୍ ବର୍ତ୍ତମାନ ପାଇଁ ଋଷକୁ ସମର୍ଥନ କରିବ । ଅବଶ୍ୟ ଏହା ଅଲଗା କଥା ଯେ, ଭବିଷ୍ୟତରେ ଋଷ ଓ ଚୀନ୍ ମୁହାଁମୁହିଁ ହେବେ ଏଥିରେ ସନ୍ଦେହ ନାହିଁ ।

ଫ୍ରାନ୍ସ : ସୋମବାର ଦିନ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ୟୁକ୍ରେନର ଦୁଇଟି ବିବାଦୀୟ କ୍ଷେତ୍ରକୁ ସ୍ୱାଧିନ ରାଷ୍ଟ୍ରର ମାନ୍ୟତା ପ୍ରଦାନ କରିଥିଲେ । ଯାହାକୁ ନେଇ ଫ୍ରାନ୍ସ କ୍ଷୁବ୍ଧ ଅଛି । ଫ୍ରାନ୍ସ ଏହି ନିଷ୍ପତ୍ତିକୁ ପୁଟିନଙ୍କ ପାଗଳାମୀ ବୋଲି କହିଛି । ପୁଟିନ୍ ଫରାସୀ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋଙ୍କୁ ପୁଟିନ୍ ଦେଇଥିବା ପ୍ରତିଶ୍ରୁତି ଭଙ୍ଗ କରିଛି ବୋଲି ଫ୍ରାନ୍ସ ଅଭିଯୋଗ କରିଛି । ଫ୍ରାନ୍ସ ଋଷ ବିରୋଧରେ ପ୍ରତିବନ୍ଧକ ଘୋଷଣା କରି ନିଜ ସ୍ଥିତି ସ୍ପଷ୍ଟ କରିଦେଇଛି ।

ଜର୍ମାନୀ : ଜର୍ମାନୀ ଆରମ୍ଭରୁ ୟୁକ୍ରେନ୍ ପକ୍ଷରେ ଅଛି । ମଙ୍ଗଳବାର ଦିନ ଜର୍ମାନୀ ନାର୍ଡ୍ ଷ୍ଟ୍ରିମ୍ ୨ ଗ୍ୟାସ୍ ପାଇପ୍ ଲାଇନକୁ ବନ୍ଦ କରିଦେଇଛି । ଏହି ପାଇପ୍ ଲାଇନ୍ ଜରିଆରେ ଋଷ ଜର୍ମାନୀକୁ ଗ୍ୟାସ୍ ଯୋଗାଉଥିଲା । ଜର୍ମାନୀ ଋଷ ବିରୋଧରେ ଆହୁରି ବଡ ପଦକ୍ଷେପ ନେବାକୁ ପ୍ରସ୍ତୁତ ହେଉଛି ।

ବେଲାରୁଷ : ବେଲାରୁଷ ଋଷ ସମର୍ଥନରେ ଆଗରୁ ବାହାରି ସାରିଛି । ଏପରିକି ଏହାର ରାଷ୍ଟ୍ରପତି ନିଜ ଦେଶରେ ପରମାଣୁ ଅସ୍ତ୍ର ମୁତୟନ କରିବାକୁ ପୁଟିନଙ୍କୁ ଆହ୍ୱାନ କରିଛନ୍ତି ।


ମଧ୍ୟପ୍ରାଚ୍ୟ : ମଧ୍ୟପ୍ରାଚ୍ୟ ଉପରେ ଋଷ-ୟୁକ୍ରେନ୍ ଯୁଦ୍ଧର ପ୍ରଭାବ ପଡିବ । ନାଟୋ ସଦସ୍ୟ ରାଷ୍ଟ୍ର ତୁର୍କୀ ଋଷର ବଡ଼ ସମର୍ଥକ କିନ୍ତୁ ତୁର୍କୀ ମଧ୍ୟ ୟୁକ୍ରେନ୍ ଉପରେ ଆକ୍ରମଣକୁ ବିରୋଧ କରୁଛି ।

ଜାପାନ : ଯଦି ଯୁଦ୍ଧ ହେବ ତେବେ ଜାପାନ ଆମେରିକା ନେତୃତ୍ୱାଧିନ ସେନାକୁ ସମର୍ଥନ କରିବ ବୋଲି ଆଗରୁ ଘୋଷଣା କରିଛି ।


ପାକିସ୍ତାନ : ଦେବାଳିଆ ପାକିସ୍ତାନ ଋଣ ଓ ଅସ୍ତ୍ର ପାଇଁ ଋଷକୁ ସମର୍ଥନ କରିପାରେ । କାରଣ ଏହା ଜେଣତେଣ ଋଷ ସହ ସମ୍ପର୍କ ବୃଦ୍ଧି କରିବାକୁ ଚାହୁଁଛି । ଆହୁରି ମଧ୍ୟ ଚୀନ୍ ଋଷ ପକ୍ଷରେ ଛିଡା ହୋଇଥିବାରୁ ପାକିସ୍ତାନ ମସ୍କୋ ପଛରେ ସମର୍ଥନ ମୁଦ୍ରାରେ ଦଣ୍ଡାୟମାନ ହେବ । ଏଥିରେ ସନ୍ଦେହ ନାହିଁ ।

Leave a Reply