ପାକ୍ ପ୍ରଧାନମନ୍ତ୍ରୀଙ୍କ ଉପରେ ଇସ୍ତଫା ପାଇଁ ଚାପ, ସେନା ଦେଲା ସମୟସୀମା
1 min readଇସଲାମାବାଦ: ଗାଦିରୁ ହଟିବେ ଇମ୍ରାନ । ଚାପ ପକାଉଛି ସେନା । ପାକିସ୍ତାନରେ ବର୍ଦ୍ଧିତ ଦରଦାମ୍ ସହ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବକୁ ନେଇ ବିବ୍ରତ ଇମ୍ରାନ ଖାନଙ୍କ ପାଇଁ ପୁଣି ବିପଦ ଘନେଇଛି । ଇମ୍ରାନ ଖାନଙ୍କୁ ପ୍ରଧାନମନ୍ତ୍ରୀ ପଦ ଛାଡ଼ିବା ଲାଗି କହିଛନ୍ତି ପାକିସ୍ତାନ ସେନା ପ୍ରମୁଖ ଜାୱେଦ ବାଜୱା । ମିଳିଥିବା ଗୁଇନ୍ଦା ସୂଚନା ଅନୁସାରେ, ଓଆଇସି-ଏଫଏମ୍ ସମ୍ମିଳନୀ ପରେ ପ୍ରଧାନମନ୍ତ୍ରୀ ପଦ ଛାଡ଼ିବାକୁ ଇମ୍ରାନ ଖାନକୁ କହିଛି ପାକିସ୍ତାନୀ ସେନା ।
ଅନ୍ୟପଟେ ଇମ୍ରାନଙ୍କ ଦଳ ପାକିସ୍ତାନ ତେହେରିକ ଇ ଇନସାଫ ଟ୍ରମ୍ପ କାର୍ଡ ଖେଳି ବାଜୱାଙ୍କୁ ମନାଇବାକୁ ପ୍ରୟାସ କରି ବିଫଳ ହୋଇଛି । ସୂଚନା ଅନୁସାରେ, ପୂର୍ବତନ ସେନା ପ୍ରମୁଖ ଜେନେରାଲ୍ ରାହିଲ ଶରିଫ ସେନା ସହ ଇମ୍ରାନଙ୍କ ପକ୍ଷରୁ ମଧ୍ୟସ୍ଥତା ପାଇଁ ପ୍ରୟାସ କରି ଫେଲ୍ ହୋଇଛନ୍ତି । କୁହାଯାଉଛି ଇମ୍ରାନଙ୍କ କହିବା ଅନୁସାରେ ହିଁ, ଜେନେରାଲ୍ ଶରିଫ ଜେନେରାଲ୍ ବାଜୱାଙ୍କୁ ଭେଟିବାକୁ ପାକିସ୍ତାନ ଯାଇଥିଲେ । କିନ୍ତୁ ସେ ସେନା ପ୍ରମୁଖଙ୍କୁ ମନେଇ ପାରି ନାହାନ୍ତି ।
ଆସନ୍ତାକାଲି ପାକିସ୍ତାନ ସଂସଦରେ ବିରୋଧୀ ଏକଜୁଟ୍ ହୋଇ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବେ । ବିରୋଧୀ ଆଶା ରଖିଛନ୍ତି ଇମ୍ରାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ସଂସଦର ଅଧ୍ୟକ୍ଷ ଅନୁମତି ଦେବେ । ଯଦି ଅଧ୍ୟକ୍ଷ ଅନାସ୍ଥା ପ୍ରସ୍ତାବକୁ ଗ୍ରହଣ ନ କରନ୍ତି ତ ବିରୋଧୀ ସଂସଦରେ ରାତି ତମାମ୍ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି । ସୂଚନାଯୋଗ୍ୟ, ମାର୍ଚ୍ଚ ୨୨ ଓ ୨୩ରେ ଓଆଇସି ବିଦେଶ ମନ୍ତ୍ରୀଙ୍କ ସମ୍ମିଳନୀ ରହିଛି । ଯଦି ସୋମବାର ସଂସଦ ଅଧ୍ୟକ୍ଷ ଅନାସ୍ଥାକୁ ଗ୍ରହଣ କରନ୍ତି ତ ମାର୍ଚ୍ଚ ୨୮ ତାରିଖରେ ସଂସଦରେ ଭୋଟିଂ ହେବ ।
ଲଗାତାର ଲାଗି ରହିଥିବା ରାଜନୈତିକ ଅସ୍ଥିରତା ପାକିସ୍ତାନ ପାଇଁ ହିତକର ନୁହେଁ ବୋଲି ସେନା ଭାବୁଛି । ଯେଉଁଥିପାଇଁ ଇମ୍ରାନ ତୁରନ୍ତ ପଦ ଛାଡ଼ିଦେବା ଉଚିତ୍ ବୋଲି ସେନା ଚାହୁଁଛି । ଗମ୍ଭୀର ଆର୍ଥିକ ସଂକଟରେ ପାକିସ୍ତାନ ଡୁବି ରହିଛି । ଅନ୍ୟପଟେ ୟୁକ୍ରେନ୍ ସଂକଟକୁ ନେଇ ଆମେରିକା ଓ ୟୁରୋପୀୟ ସଂଘ ବିପକ୍ଷରେ ଇମ୍ରାନ ଦେଉଥିବା ମନ୍ତବ୍ୟକୁ ପାକିସ୍ତାନୀ ସେନା ହଜମ କରିପାରୁ ନାହିଁ ।
ପାକିସ୍ତାନୀ ସେନା ଦ୍ୱାରା ଆୟୋଜିତ ଓଆଇସି ସମ୍ମିଳନୀ ପରେ ଇମ୍ରାନଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ କୁହାଯିବା ପରେ ବିରୋଧୀ ଶିବିରରେ ରାଜନୈତିକ ଗତିବିଧ ଜୋର୍ ହୋଇଛି । ଅନ୍ୟପଟେ ଇସଲାମାବାଦରେ ଆଲୋଚନା ହେଉଛି ସେନା ପ୍ରମୁଖ ବାଜୱାଙ୍କୁ ବିଦା କରିପାରନ୍ତି ଇମ୍ରାନ୍ ଖାନ । କାରଣ ୧୯୭୨ରେ ତତ୍କାଳୀନ ପାକିସ୍ତାନ ରାଷ୍ଟ୍ରପତି ଜୁଲଫିକାର ଅଲି ଭୁଟ୍ଟୋ କାର୍ଯ୍ୟକାରୀ ସେନା ପ୍ରମୁଖ ଜେନେରାଲ୍ ଗୁଲ୍ ହସନ ଖାନ ଓ ବାୟୁ ସେନା ମୁଖ୍ୟ ଏୟାର ମାର୍ଶଲ ଅବଦୁଲ୍ ରହିମ ଖାନଙ୍କୁ ଚାକିରିରୁ ବିଦା କରିଥିଲେ । ତେବେ ବାଜୱାଙ୍କ କ୍ଷେତ୍ରରେ ଏ ଆଶଙ୍କା କମ୍ । କାରଣ ଏବେର ସେନା ମୁଖ୍ୟ ବାଜୱା ରାଜନୀତି ଠାରୁ ବେଶ୍ ଦୂରତା ରକ୍ଷା କରି ରହିଛନ୍ତି ।