ଓଡ଼ିଶା ପ୍ରସଙ୍ଗ ଝାଡ଼ଖଣ୍ଡ ନିର୍ବାଚନରେ ପଡ଼ିବ କି ବିଜେପିକୁ ଭାରି ?

1 min read

ଭୁବନେଶ୍ବର: ଓଡ଼ିଶା ପ୍ରସଙ୍ଗ ନେଇ ଝାଡ଼ଖଣ୍ଡରେ ତେଜିଲା ନିର୍ବାଚନ ପ୍ରଚାର । ବିଧାନସଭା ପ୍ରଚାରରେ ଓଡ଼ିଶା ମୁଦ୍ଦା ଭାରି ପଡିବ ବୋଲି ଦାବି କରିଛନ୍ତି ରାଜ୍ୟର କଂଗ୍ରେସ ନେତା l ହେଲେ ଓଡ଼ିଶା ବିଜେପି କହିଛି ଝାଡ଼ଖଣ୍ଡ ରାଜନୀତିରେ ଏଠାକାର ପ୍ରସଙ୍ଗ କିଛି ପ୍ରଭାବ ପକାଇବ ନାହିଁ । ପଡୋଶୀ ରାଜ୍ୟରେ ଦୁଇ ଜାତୀୟ ଦଳର ନେତା ମୁହାଁମୁହିଁ ହେବା ନେଇ କଟାକ୍ଷ କରିଛି ବିଜେଡି l ଯାହାକୁ ନେଇ ସରଗରମ ହୋଇଛି ରାଜ୍ୟ ରାଜନୀତି ।

କିଛି ଦିନ ମଧ୍ୟରେ ରାଜ୍ୟରେ ସାତ ସାତଟି ଦୁଷ୍କର୍ମ ଓ ଆମ୍ବ ଟାକୁଆ ଖାଇ ମୃତ୍ୟୁ ଖବର  ଓଡ଼ିଶାକୁ ନିନ୍ଦିତ କରିଛି । ବିଜେପି ସରକାର ଆସିବା ପରେ ଅପରାଧିକ କାର୍ଯ୍ୟକଳାପ ସହ ମହିଳାଙ୍କ ଉପରେ ବଢିଛି ଅତ୍ୟାଚାର । ହେଲେ ଓଡ଼ିଶାକୁ ସମ୍ଭାଳି ପାରୁ ନଥିବା ବିଜେପି ନେତା ଓ ମନ୍ତ୍ରୀ ଝାଡ଼ଖଣ୍ଡରେ ଆସି ପ୍ରଚାର କରୁଛନ୍ତି । ଏହାକୁ ନେଇ ବିଜେପି ନେତାଙ୍କୁ ଝାଡ଼ଖଣ୍ଡ ନିର୍ବାଚନ ପ୍ରଚାର ମଇଦାନରେ ଘେରିଛି କଂଗ୍ରେସ । ରାଜ୍ୟ କଂଗ୍ରେସର ହେବିୱେଟ୍ ନେତା ଝାଡ଼ଖଣ୍ଡ ନିର୍ବାଚନ ପ୍ରଚାରରେ ଓଡିଶା ସରକାରଙ୍କ ବିଫଳତାକୁ ନେଇ ପ୍ରଚାର ଚଳାଇଛନ୍ତି । ପଚାରିଛନ୍ତି, କାହିଁକି ମହିଳାଙ୍କ ଉପରେ ଅତ୍ୟାଚାର ଓ ଶୋଷଣ ବଢୁଛି ? କାହିଁକି ଲୋକଙ୍କୁ ଖାଦ୍ୟ ସୁରକ୍ଷା ଆଇନରେ ସାମିଲ ନକରି ଆମ୍ବ ଟାକୁଆ ଖାଇବାକୁ ବାଧ୍ୟ କରିଛନ୍ତି ? ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣା ରାଜ୍ୟ ସରକାରଙ୍କ ଅସଲ ମୁଖା ଖୋଲି ଦେଇଛି । ମୁଖ୍ୟମନ୍ତ୍ରୀ ଏହାର ଜବାବ ଦିଅନ୍ତୁ ? ଅଭିଯୋଗର ଜବାବ ରଖିଛନ୍ତି ଆଇନମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ । ଝାଡଖଣ୍ଡରେ ବିଜେପି ଭଲ ପ୍ରଦର୍ଶନ କରିବ । କଂଗ୍ରେସ ଅଭିଯୋଗର କୌଣସି ପ୍ରଭାବ ପଡିବନି ବୋଲି ସେ କହିଛନ୍ତି ।

ଝାଡ଼ଖଣ୍ଡ ନିର୍ବାଚନରେ ୨୦ ଲକ୍ଷ ପ୍ରବାସୀ ଓଡ଼ିଆଙ୍କ ଭୋଟ ନିର୍ଣ୍ଣାୟକ ଭୂମିକା ନେବ । ଏଥିଲାଗି ୨ ଜାତୀୟ ଦଳ ଓଡିଶା ନେତାଙ୍କୁ ଏହି ଭୋଟ ହାତେଇବାକୁ ଦାୟିତ୍ୱ ଦେଇଛନ୍ତି । ୧୮ ପ୍ରତିଶତ ଓଡ଼ିଆ ଭୋଟରଙ୍କ ଦାୟିତ୍ବରେ ଥିବା ଓଡିଶାର ବିଜେପି ଓ କଂଗ୍ରେସ ନେତା ଝାଡଖଣ୍ଡରେ ବଳ କଷାକଷି ହୋଇଛନ୍ତି l ସଭା, ସମିତି କରି ଡୋର ଟୁ ଡୋର ବୁଲି ନିଜ ଦଳର ନେତାଙ୍କ ପାଇଁ ଭୋଟ ମାଗୁଛନ୍ତି । ଓଡ଼ିଶାରେ ଆମ୍ବ ଟାକୁଆ ଖାଇ ଲୋକେ ମରୁଥିବାବେଳେ ରାଜ୍ୟର ନେତା, ମନ୍ତ୍ରୀ ଯାଇ ଝାଡ଼ଖଣ୍ଡରେ ପ୍ରଚାର କରିବାକୁ ସମାଲୋଚନା କରିଛି ବିଜେଡି । ମନ୍ତ୍ରୀମାନେ ଏ ଦାୟିତ୍ଵ ନିଅନ୍ତୁ ବୋଲି କହିଛନ୍ତି ବିଜେଡି ନେତା ରାଜେନ୍ଦ୍ର ଢୋଲକିଆ ।

ଆସନ୍ତା ୧୩ ତାରିଖରେ ଝାଡ଼ଖଣ୍ଡରେ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ହେବ। ଭୋଟ ପାଖେଇ ଆସୁଥିବାରୁ ମୁଖ୍ୟମନ୍ତ୍ରୀ ସମେତ ବହୁ ବିଜେପି ନେତା ଝାଡ଼ଖଣ୍ଡରେ ପ୍ରଚାରକୁ ଆହୁରି ଜୋରଦାର କରିବେ । ଓଡ଼ିଶା କଂଗ୍ରେସର ମଙ୍ଗୁଆଳମାନେ ମଧ୍ୟ ପ୍ରଚାର କରୁଛନ୍ତି l