ବଢୁଛି କର୍ଣ୍ଣାଟକ ସସପେନ୍ସ, ମୁଖ୍ୟମନ୍ତ୍ରୀ ଚୟନ ନେଇ ଦୋଛକିରେ ହାଇକମାଣ୍ଡ

ବେଙ୍ଗାଲୁରୁ: କର୍ଣ୍ଣାଟକ ସିଏମ ସସପେନ୍ସ ଜାରି । ହାଇକମାଣ୍ଡଙ୍କ ଡାକରାରେ ଦିଲ୍ଲୀ ପହଞ୍ଚୁଛନ୍ତି କର୍ଣ୍ଣାଟକ ପିସିସି ସଭାପତି ଡି କେ ଶିବକୁମାର । ସିଏମ ରେସରେ ସିଦ୍ଧରମୈୟା ଆଗରେ ରହିଥିବା ବେଳ ଆଜି ଦିଲ୍ଲୀରେ ପହଞ୍ଚି ଦଳର ସଭାପତିଙ୍କୁ ଭେଟିବେ ଡି କେ ଶିବକୁମାର । ଦିଲ୍ଲୀ ଯିବା ପୂର୍ବରୁ ଦଳ ପାଇଁ ସବୁବେଳେ ନିଷ୍ଠାର ସହ କାର୍ଯ୍ୟ କରିଛି ଓ ଆଗକୁ ମଧ୍ୟ କରିବି ବୋଲି କହିଛନ୍ତି ଶିବକୁମାର । ସେ ଆହୁରି କହିଛନ୍ତି, ରାହୁଲ ଗାନ୍ଧୀଙ୍କ ପଦଯାତ୍ରା ପାଇଁ କର୍ଣ୍ଣାଟକରେ କଂଗ୍ରେସକୁ ବଳ ମିଳିଲା । ମୁଁ ଯାହା କରିବାକୁ ପ୍ରତିଶ୍ରୁତି ଦେଇଥିଲି ତାହା ପୂରଣ କରିଛି । ଏବେ ସଭାପତି ଯାହା ନିଷ୍ପତ୍ତି ନେବେ ତାହା ମୋ ପାଇଁ ସ୍ବୀକାର୍ଯ୍ୟ । ଦଳ ହେଉଛି ମା’ ଭଳି । ଦଳକୁ ଧୋକା ଦେବିନି କି ବିଦ୍ରୋହ କରିବି ନାହିଁ ।

ଆଗାମୀ ଲୋକସଭା ନିର୍ବାଚନରେ ଦଳ ୨୦ ଆସନ କିପରି ବିଜୟୀ ହେବ, ତାହା ଆମ ପାଇଁ ବଡ଼ ଚ୍ୟାଲେଞ୍ଜ ବୋଲି କହିଛନ୍ତି ଶିବକୁମାର । ସେପଟେ ସିଦ୍ଧରମୈୟାଙ୍କ ସପୋର୍ଟରେ ଅଧିକ ବିଧାୟକ ରହିଥିବାରୁ ତାଙ୍କୁ ମୁଖ୍ୟମନ୍ତ୍ରୀ ଓ ଶିବକୁମାରଙ୍କୁ ଉପ ମୁଖ୍ୟମନ୍ତ୍ରୀ କରାଯାଇପାରେ ବୋଲି ଶୁଣାଯାଉଛି । ଏହାସହ ଡି କେ ଶିବକୁମାର ରାଜ୍ୟ କଂଗ୍ରେସ ସଭାପତି ପଦରେ ମଧ୍ୟ ରହିବେ ।