ଆତଙ୍କବାଦର ଡ଼ର ଦେଖାଇ ଆମକୁ ଆଲୋଚନା ଟେବୁଲକୁ ଆଣିପାରିବନି, ପାକିସ୍ତାନକୁ ଜୟଶଙ୍କରଙ୍କ ସିଧା କଥା

ନୂଆଦିଲ୍ଲୀ:  ସାଇପ୍ରସ ଗସ୍ତରେ ଥିବା ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଆତଙ୍କବାଦକୁ ନେଇ ପାକିସ୍ତାନକୁ କଟୁ ସମାଲୋଚନା କରିଛନ୍ତି । ଏକ ସଭାକୁ ସମ୍ବୋଧିତ କରି ସେ ବିନା ପାକିସ୍ତାନର ନାମ ନେଇ କହିଛନ୍ତି ଯେ, ଆତଙ୍କବାଦର ଡ଼ର ଦେଖାଇ କେହି ଆମକୁ ଆଲୋଚନା ଟେବୁଲକୁ ଆସିବାକୁ ବାଧ୍ୟ କରିପାରିବେ ନାହିଁ ।

ଭାରତ ଓ ସାଇପ୍ରସ ମଧ୍ୟରେ କୂଟନୈତିକ ସମ୍ପର୍କର ୬୦ ବର୍ଷ ପୁରଣ ଅବସରରେ ଜୟଶଙ୍କର ସାଇପ୍ରସ ଗସ୍ତରେ ଅଛନ୍ତି । ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ନାଁ ନନେଇ ପାକିସ୍ତାନକୁ ଟାର୍ଗେଟ କରି କହିଛନ୍ତି ଯେ, ଆତଙ୍କବାଦକୁ ଅସ୍ତ୍ର କରି ଭାରତକୁ କେହି ମଧ୍ୟ ଆଲୋଚନା ଟେବୁଲରେ ବସେଇପାରିବ ନାହିଁ । ଏହାସହ ଚୀନ ସହିତ ଚାଲିଥିବା ଭାରତର ସୀମା ବିବାଦକୁ ନେଇ ଜୟଶଙ୍କର କହିଛନ୍ତି ଯେ, ଚୀନ ସହିତ ଆମର ସମ୍ପର୍କ ସ୍ବାଭାବିକ ନାହିଁ । ଏଲଏସିରେ  ଚୀନ କାର୍ଯ୍ୟକଳାପକୁ ବରଦାସ୍ତ କରାଯିବ ନାହିଁ । ଅରୁଣାଚଳ ପ୍ରଦେଶର ତୱାଙ୍ଗ ସୀମାରେ ଚୀନ ଏବଂ ଭାରତ ସୁରକ୍ଷା କର୍ମୀଙ୍କ ମଧ୍ୟରେ ହୋଇଥିବା ଆକ୍ରମଣକୁ ନେଇ ଜୟଶଙ୍କର କହିଛନ୍ତି ଯେ, ଭାରତ ସୀମାରେ ଅନେକ ଚ୍ୟାଲେଞ୍ଜ ରହିଛି । ଯାହା କରୋନା ସମୟରେ ଅଧିକ ବୃଦ୍ଧି ପାଇଛି।

ଭାରତ ଉପରେ ସବୁଠାରୁ ଅଧିକ ଆତଙ୍କବାଦୀ ଆକ୍ରମଣ ହୋଇଛି । ଏହାକୁ କୌଣସି ପ୍ରକାରର ଗ୍ରହଣ କରାଯିବ ନାହିଁ । ନିଜ ଦେଶର ସୁରକ୍ଷା ସହିତ  ଆମେ କୌଣସି ବୁଝାମଣା କରିପାରିବୁ ନାହିଁ । ଅନ୍ୟ କୌଣସି ଦେଶକୁ ଆତଙ୍କବାଦୀ ଆକ୍ରମଣରେ ଏତେ କ୍ଷତି ସହି ନାହାନ୍ତି ଯେତିକି ଭାରତକୁ ସହିଛି । ଆମେ ଆତଙ୍କବାଦୀଙ୍କୁ କେବେ ବି ସ୍ବୀକାର କରିବୁ ନାହିଁ  ଓ ସେମାନଙ୍କୁ କଡା ଜବାବ ଦେବୁ ବୋଲି ଜୟଶଙ୍କର କହିଛନ୍ତି ।

ସେପଟେ ପରୋକ୍ଷ ଭାବରେ ପାକିସ୍ତାନକୁ ଟାର୍ଗେଟ କରି ଜୟଶଙ୍କର କହିଛନ୍ତି ଯେ, ଆମେ ଆମ ପଡୋଶୀ ଦେଶମାନଙ୍କ ସହ ଭଲ ସମ୍ପର୍କ ରଖିବା ପାଇଁ ଚାହୁଁଛୁ । କିନ୍ତୁ ଏହାର ଅର୍ଥ ନୁହେଁ ଯେ, ଆତଙ୍କବାଦ ପ୍ରସଙ୍ଗରେ ଆମେ ଆପୋଷ ବୁଝାବଣା କରିଦେବୁ । ଏହା କେବେ ସମ୍ଭବ ହେବ ନାହିଁ । ଭାରତକୁ ଆଲୋଚନା ବୈଠକକୁ ଆସିବାକୁ ବାଧ୍ୟ କରିବା ପାଇଁ ଆତଙ୍କବାଦକୁ ଅସ୍ତ୍ର ଭାବରେ ବ୍ୟବହାର କରିବାକୁ ଦେବୁ ନାହିଁ ।

ଭାରତ ଏବଂ ସାଇପ୍ରସ ମଧ୍ୟରେ କୂଚନୈତିକ ସମ୍ପର୍କକୁ ୬୦ ବର୍ଷ ପୂର୍ତ୍ତି ଅବସରରେ ବୈଦେଶିକ ମନ୍ତ୍ରୀ ସାଇପ୍ରସ ଗସ୍ତରେ ଅଛନ୍ତି। ସେଠାରେ ସେ ସାଇପ୍ରସର ବୈଦେଶିକ ମନ୍ତ୍ରୀଙ୍କ ସହ ସାକ୍ଷାତ କରିଥିଲେ ଏବଂ ଦୁଇ ଦେଶ ମଧ୍ୟରେ କିଭଳି ସମନ୍ବୟ , ପ୍ରତିରକ୍ଷା ଏବଂ ସାମରିକ ଚୁକ୍ତି ରଖାଯାଇପାରିବ ସେନେଇ ଆଲୋଚନା କରିଥିଲେ ।