Yossi Cohen: ଇରାନଠାରୁ ନ୍ୟୁକ୍ଲିୟର ସିକ୍ରେଟ୍ ଚୋରାଇଥିବା ମୋସାଦ ମୁଖ୍ୟଙ୍କଠାରୁ କେମିତି ବଞ୍ଚିବେ ଦିଲ୍ଲୀ ବିସ୍ଫୋରଣର ଅପରାଧୀ ?

ନୂଆଦିଲ୍ଲୀ: ଭାରତରେ ଇସ୍ରାଏଲ ଦୂତାବାସ ବାହାରେ ଆଇଇଡି ବ୍ଲାଷ୍ଟ ଦେଶ ସହ ଦୁନିଆକୁ ଦୋହଲାଇ ଦେଇଛି । ଭାରତରେ ଇସ୍ରାଏଲୀ ନାଗରିକ ସୁରକ୍ଷିତ ବୋଲି ତେଲ ଅଭିଭ୍ ଭରସା ବ୍ୟକ୍ତ କରିଛି । ଏହାଭିତରେ ପୁଣିଥରେ ଇସ୍ରାଏଲୀ ଗୁଇନ୍ଦା ଏଜେନ୍ସୀ ମୋସାଦ ଓ ଏହାର ମୁଖ୍ୟଙ୍କୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଚର୍ଚ୍ଚା ହେଉଛି ଯେ, ଆକ୍ରମଣ ପଛରେ ଯିଏ ବି ଥାଉ ନା କାହିଁକି ମୋସାଦ ହାତରୁ ବଂଚିବା ସେମାନଙ୍କ ପାଇଁ ଅସମ୍ଭବ ହୋଇ ପଡିବ । ସତ ହେଲା ବର୍ତ୍ତମାନ ସମୟରେ ମୋସାଦ ମୁଖ୍ୟ ୟୋସି କୋହାନ ଇଣ୍ଟେଲିଜେନ୍ସର ଦୁନିଆରେ ଏକ ଜଣାଶୁଣା ନାଁ । ଦୁନିଆରେ ତାଙ୍କ ଦବଦବା ଅଛି କହିଲେ ଭୁଲ ହେବନାହିଁ । ବିଦେଶୀ ମାଟିରେ କୋହେନ ଓ ତାଙ୍କ ଏଜେଣ୍ଟ ଅପରାଜେୟ ବୋଲି କୁହାଯାଏ ।

ୟୋସୀ କୋହେନ : ଇସ୍ରାଏଲର ଜେମ୍ସ ବଣ୍ଡ୍
ମୋସାଦ ମୁଖ୍ୟ ୟୋସି କୋହେନ କେତେ ପ୍ରଭାବଶାଳୀ ଏହା ଏଇଥିରୁ ଜଣା ପଡେ ଯେ, ଇସ୍ରାଏଲ ଓ ବାହାରିନ୍,ମିଳିତ ଆରବ ଏମିରଟ ଓ ସୁଦାନ ମଧ୍ୟରେ ଚାଲିଥିବା ବାର୍ତ୍ତା ପଛରେ ଥିଲେ କୋହେନ । କୋହେନ ଆରବ ଦୁନିଆର ବାକି ଗୁଇନ୍ଦା ଏଜେନ୍ସୀ ମୁଖ୍ୟଙ୍କ ସଂପର୍କରେ ଅଛନ୍ତି । କରୋନା ବିରୋଧରେ ତାଙ୍କ ରଣନୀତି ହିଁ ଇସ୍ରାଏଲକୁ ସୁରକ୍ଷିତ କରିଥିଲା । ମୋସାଦ ତାଙ୍କ ନେତୃତ୍ୱରେ କରୋନା ବିରୋଧରେ ଯୁଦ୍ଧସ୍ତରରେ କାର୍ଯ୍ୟ କରିଥିଲା । ମୋସାଦ ଭଳି ସଂଗଠନ ଯାହା ଆତଙ୍କବାଦୀଙ୍କ ବିରୋଧରେ କଭର୍ଟ ଯୁଦ୍ଧ ଲଢେ,ତାହା କରୋନା ବିରୋଧରେ କେମିତି ଯୁଦ୍ଧ ଲଢୁଥିଲା ? ଶୁଣିବାକୁ ଏହା ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ । କିନ୍ତୁ ଏହା ସତ । କରୋନା ପିକ୍ କାଳରେ ମୋସାଦ ହିଁ ଇସ୍ରାଏଲରେ ଆକ୍ରାମକ ଢଙ୍ଗରେ କଣ୍ଟାକ୍ଟ ଟ୍ରେସିଂ କରିଥିଲା । ଫଳରେ ବିଦେଶରୁ ଆସିଥିବା କରୋନା ସନ୍ଦିଗ୍ଧଙ୍କୁ ଠିକ୍ ସମୟରେ ଚିହ୍ନଟ କରାଯାଇ ପାରିଥିଲା ।
ତେହେରାନ ଶୋଇଥିଲା,ପରମାଣୁ ସିକ୍ରେଟ୍ ଚୋରି ହୋଇଗଲା  ।
କୋହେନଙ୍କ ନାମରେ ଅନେକ ରେକର୍ଡ ରହିଛି । ତେବେ ଯେଉଁଥିପାଇଁ ତାଙ୍କୁ ବିଶ୍ୱର ସବୁଠୁ ପ୍ରଭାବଶାଳୀ ଗୁଇନ୍ଦା ମୁଖ୍ୟ କୁହାଯାଏ ତାହା ହେଲା ଇରାନର ପରମାଣୁ ସିକ୍ରେଟ୍ ଚୋରି । କୋହେନ୍ ୨୦୧୮ରେ ତେହେରାନର ପରମାଣୁ ସିକ୍ରେଟ୍ ଚୋରି କରିବାରେ ସଫଳ ହୋଇଥିଲେ । ଏହି ମିଶନକୁ ନିଜେ କୋହେନ୍ ବନାଇଥିଲେ । ନିଜେ ଏହାର କ୍ରିୟାନ୍ୱୟନ କରିଥିଲେ ।


ସେହିଭଳି ଇରାନର ରେଭଲ୍ୟୁସନାରୀ ଗାର୍ଡ ମୁଖ୍ୟ ଜେନରାଲ କାସିମ ସୁଲେମାନି ଏବଂ ବରିଷ୍ଠ ଆଣବିକ ବୈଜ୍ଞାନିକ ମୋହସେନ ଫଖ୍ରିଜାଦେହଙ୍କ ହତ୍ୟା ପଛରେ ମଧ୍ୟ କୋହେନ ଥିଲେ । ଜେନରାଲ କାସିମ ଇସ୍ରାଏଲ ପାଇଁ ବିପଦ ଭାବେ ଉଭା ହେଉଥିଲେ । ତେଣୁ ମୋସାଦ ତାଙ୍କ ହତ୍ୟା ପାଇଁ ଷଡ଼ଯନ୍ତ୍ର କରିଥିଲା । ଇରାନର ପରମାଣୁ ବିଜ୍ଞାନୀ ମୋହସେନଙ୍କ ହତ୍ୟା ମଧ୍ୟ ମୋସାଦ କରିଥିବା କୁହାଯାଏ । ମୋହସେନ ଇରାନ ପରମାଣୁ କାର୍ଯ୍ୟକ୍ରମର ମୁଖ୍ୟ ବିନ୍ଧାଣୀ ଥିଲେ । ଇରାନ ପରମାଣୁ କାର୍ଯ୍ୟକ୍ରମ ଇସ୍ରାଏଲକୁ ଟାର୍ଗେଟ୍ କରି କରାଯାଉଥିବା ତେଲ ଅଭିଭ୍ ଅଭିଯୋଗ କରେ । ଇରାନୀ ପରମାଣୁ କାର୍ଯ୍ୟକ୍ରମକୁ ଡିରେଲ କରିବା ପାଇଁ ମୋହସେନଙ୍କୁ ଏକ ବ୍ୟସ୍ତବହୁଳ ସଡକରେ ଗୁଳି କରି ହତ୍ୟା କରାଯାଇଥିଲା । ହତ୍ୟାକାରୀ ରିମୋଟ କଣ୍ଟ୍ରୋଲ ମେସିନ ଗନ ଦ୍ୱାରା ଏହି କାଣ୍ଡ କରିଥିଲେ ।
ମୋସାଦ କ’ଣ ?
୧୩ ଡିସେମ୍ବର ୧୯୪୯ ମସିହାରେ ତତ୍କାଳୀନ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ଡେଭିଡ୍ ବେନ୍ ଗୁରିଏନଙ୍କ ପରାମର୍ଶରେ ମୋସାଦର ଗଠନ ହୋଇଥିଲା । ୧୯୫୧ ମସିହାରେ ଏହା ପ୍ରଧାନମନ୍ତ୍ରୀ ଅଫିସ ସହିତ ଯୋଡି ହୋଇଥିଲା । ମୋସାଦ ଇସ୍ରାଏଲୀ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଉତ୍ତରଦାୟୀ ରହିଥାଏ । ମୋସାଦର କାମ ହେଲା ଗୁପ୍ତ ସୂଚନା ଏକାଠି କରିବା ଯାହା ଇସ୍ରାଏଲୀ ସ୍ୱାର୍ଥ ଓ ହିତ ପାଇଁ ଜରୁରୀ । ତେବେ ଇସ୍ରାଏଲର କୌଣସି ଆଇନରେ ଏହାର ଉଦ୍ଦେଷ୍ୟ,ଭୂମିକା,ମିଶନ, କ୍ଷମତା ଓ ବଜେଟ୍ ବାବଦରେ କିଛି ମଧ୍ୟ ସୂଚନା ଦିଆଯାଇନାହିଁ । ମୋସାଦ ଦେଶର ସାମ୍ବିଧାନିକ ଆଇନ ବାହାରେ ରହିଛି । ତେଣୁ ଏହାକୁ ଡିପ୍ ଷ୍ଟେଟ୍ ବୋଲି କୁହାଯାଇଥାଏ । ଏହାର ମୁଖ୍ୟ କେବଳ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଉତ୍ତରଦାୟୀ ରହିଥାନ୍ତି । ଏହାର ମେଟସଦା ୟୁନିଟର କାମ ହେଉଛି ଇସ୍ରାଏଲର ଶତ୍ରୁଙ୍କ ଉପରେ ଆକ୍ରମଣ ।୧୯୬୦ରେ କୁଖ୍ୟାତ ନାଜି ଆଡଲଫ ଆଇସମ୍ୟାନର ଅପହରଣ ହେଉ କି ୧୯୭୨ରେ ମ୍ୟୁନିକ୍ ଅଲମ୍ପିକରେ ଇସ୍ରାଏଲୀ ଖେଳାଳୀଙ୍କ ହତ୍ୟାର ପ୍ରତିଶୋଧ । କୁହାଯାଏ,ମୋସାଦ କିଛି ଭୁଲେନା । ମୋସାଦ ଇସ୍ରାଏଲ ଓ ଇସ୍ରାଏଲୀଙ୍କ ବିରୋଧରେ ହୋଇଥିବା ସବୁ ଅପରାଧର ପ୍ରତିଶୋଧ ନିଏ । ୨୦୧୮ରେ ମୋସାଦର ଗୁଇନ୍ଦା ତେହେରାନରୁ ନ୍ୟୁକ୍ଲିୟର ସିକ୍ରେଟ୍ ଆଜାବୈଜାନ ରାସ୍ତା ଦେଇ ଚୋରାଇ ନେଇଥିଲେ । ଏତେ କାଣ୍ଡ ହେବା ସତ୍ୱେ ଇରାନ ସରକାର କିଛି ମଧ୍ୟ ଜାଣି ପାରିନଥିଲେ ।


ଦିଲ୍ଲୀରେ ମୋସାଦ ଅଧିକାରୀ ?
ଦିଲ୍ଲୀ ବ୍ଲାଷ୍ଟର ତଦନ୍ତ ପାଇଁ ଇସ୍ରାଏଲୀ ଏକ୍ସପର୍ଟ ପହଞ୍ଚି ସାରିଛନ୍ତି । ଏହି ଏକ୍ସପର୍ଟ ମୋସାଦର ହୋଇଥିବା କିଛି ଅସମ୍ଭବ ନୁହେଁ । ଏମିତିରେ ଭାରତୀୟ ଗୁଇନ୍ଦା ଏଜେନ୍ସୀ ର’ ଓ ମୋସାଦ ମଧ୍ୟରେ ସମ୍ପର୍କ ବେସ ଭଲ । ଏବେ ଇସ୍ରାଏଲୀ ଗୁଇନ୍ଦା ଏଜେନ୍ସୀ ବ୍ଲାଷ୍ଟ ପଛରେ ଥିବା ଆତଙ୍କବାଦୀଙ୍କୁ କେତେଦିନରେ ଧରିବ ତାହା ହେଉଛି ପ୍ରଶ୍ନ ।

Leave a Reply