ଏଥର ହେବ କି ଛାତ୍ର ସଂସଦ ନିର୍ବାଚନ ?

1 min read

ଭୁବନେଶ୍ବର: ପୁଣି କଲେଜରେ ହେବ କି ଛାତ୍ର ସଂସଦ ନିର୍ବାଚନ ? ସରଗରମ ହେବ କି କ୍ୟାମ୍ପସ ପଲିଟିକ୍ସ । ଏନେଇ ରାଜ୍ୟ ସରକାର କରୁଛନ୍ତି ବିଚାର । ଅନେକ ଅପ୍ରୀତିକର କାରଣ ଯୋଗୁଁ ପୂର୍ବତନ ରାଜ୍ୟ ସରକାର ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିବାକୁ ବାଧ୍ୟ ହୋଇଥିଲେ । ରାଜ୍ୟ ସରକାରଙ୍କ ସକରାତ୍ମକ ଆଭିମୁଖ୍ୟ ଯୋଗୁଁ ଉଚ୍ଚ ଶିକ୍ଷାନୁଷ୍ଠାନ ମଧ୍ୟ ନିଜକୁ ପ୍ରସ୍ତୁତ କଲେଣି । ହେଲେ ରାଜ୍ୟ ସରକାର କି ନିଷ୍ପତ୍ତି ନେବେ ତା ଉପରେ ରହିଛି ସମସ୍ତଙ୍କ ନଜର ।

ଛାତ୍ର ସଂସଦ ନିର୍ବାଚନକୁ ନେଇ ତତ୍ପର ନୂଆ ସରକାର । ଉଚ୍ଚଶିକ୍ଷା ବିଭାଗ ମଧ୍ୟ ଏହାର ଗୁରୁତ୍ବ ଦେଉଛି । ଏହାର ଯଥାର୍ଥତାକୁ ଉପଲବ୍ଧ କରି ବିଚାର ବିମର୍ଷ ଆରମ୍ଭ କଲେଣି ରାଜ୍ୟ ସରକାର । ଏ ଦିଗରେ ଉଚ୍ଚଶିକ୍ଷା ବିଭାଗ ବିଭିନ୍ନ ଦିଗକୁ ନେଇ ତର୍ଜମା ଚଳାଇଛି । ହେଲେ ଏଯାଏଁ ଚୂଡ଼ାନ୍ତ ରୂପରେଖ କିଛି ଆସିନି । ଛାତ୍ର ସଂସଦ ନିର୍ବାଚନ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସକରାତ୍ମକ ମନୋଭାବ ଯୋଗୁଁ ପୁଣି ଥରେ ନିର୍ବାଚନ ପାଇଁ ଆଶା ସଞ୍ଚାର ହୋଇଛି । ଛାତ୍ର ସଂସଦ ନିର୍ବାଚନ କରିବାକୁ ଦାବି କରି ଆସୁଛନ୍ତି ବିଭିନ୍ନ ଛାତ୍ର ସଂଗଠନ । ଯାହାକୁ ଭିତ୍ତି କରି ମତାମତା ସଂଗ୍ରହ କରାଯାଉଛି । ହେଲେ ଶୈକ୍ଷିକ ବାତାବରଣ ବିଗୁଡୁଥିବାରୁ ୨୦୧୯ରୁ ବନ୍ଦ ରହିଥିଲା ନିର୍ବାଚନ ।  କଲେଜରେ ହିଂସାକାଣ୍ଡ ଘଟୁଥିବାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସାଇନ-ଏ-ଡାଏ ରହୁଥିଲା । ଏହାସହ ପାଠପଢାରେ ବାଧା ଉପୁଜୁଥିବାରୁ ତତ୍କାଳୀନ ସରକାର ବନ୍ଦ ରଖିଥିଲେ ଛାତ୍ର ସଂସଦ ନିର୍ବାଚନ । ଏପରିକି କୋଭିଡ ପାଇଁ ମଧ୍ୟ ପ୍ରଭାବିତ ହୋଇଥିଲା ଛାତ୍ର ସଂସଦ ନିର୍ବାଚନ । ହେଲେ ବର୍ତ୍ତମାନ ଏ ଦିଗରେ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।

ଦୁର୍ଗାପୂଜା ଛୁଟି ପୂର୍ବରୁ ଛାତ୍ର ସଂସଦ ନିର୍ବାଚନ କରିଥାନ୍ତି ରାଜ୍ୟ ସରକାର । କାରଣ ପୂଜା ଛୁଟି ଭିତରେ ନିର୍ବାଚନୀ ରାଗରୁଷା ଭୁଲି ଛୁଟି ପରେ ପୁଣି ପାଠପଢା ମୁଡକୁ ଆସି ଯାଇଥାନ୍ତି ଛାତ୍ରଛାତ୍ରୀ । ତେବେ ଜୁଲାଇ ଶେଷ ସୁଦ୍ଧା ଏ ସମ୍ପର୍କରେ ନିଷ୍ପତ୍ତି ନେବାର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଇଛି ।