ଆଗକୁ ରମଜାନ୍‌ : ସଂଘରୋଧ ଭାବେ ପାଳନ ହେବ ନମାଜ୍‌ ପାଠ ଓ ଇଫତାର ପାର୍ଟି

1 min read

ଭୁବନେଶ୍ୱର: ଆଗକୁ ଅଛି ଇସଲାମ୍‌ ଧର୍ମର ପବିତ୍ର ରମଜାନ୍‌ ମାସ । ଭୁବନେଶ୍ୱରରେ ରହିଛି ଛୋଟବଡ ମୋଟ ୧୨ଟି ମସଜିଦ୍‌ । ଲକଡାଉନ୍‌ କଟକଣା ସମୟରେ କିଭଳି ପାଳନ ହେବ ରମଜାନ୍‌ ? ଏଥିପାଇଁ ଏସିପି ଜୋନ୍‌-୧ଙ୍କ ଅଧ୍ୟକ୍ଷତାରେ କ୍ୟାପିଟାଲ ଥାନା ପରିସରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭୁବନେଶ୍ୱର ମୁସଲିମ୍‌ ସମ୍ପ୍ରଦାୟର ମୌଲାନା ଓ ମୌଲବୀଙ୍କ ସମେତ ବିଭିନ୍ନ ସାହିର ମୁରବୀ ଉପସ୍ଥିତ ଥିଲେ । ଲକ୍‌ଡାଉନ୍‌ ଯୋଗୁ ଏଥର ସଂଘରୋଧ ଭାବେ ପାଳନ ହେବ ନମାଜ୍‌ ପାଠ ଓ ଇଫତାର ପାର୍ଟି । ଲକଡାଉନ୍‌ ସମୟରେ କୈାଣସି ଧାର୍ମିକ ଅନୁଷ୍ଠାନରେ ସମୂହ ପ୍ରାର୍ଥନା କିମ୍ବା ନମାଜ ପାଠ ହେବ ନାହିଁ । ମସଜିଦରେ କେବଳ ଜଣେ ମୌଲବୀ ଏବଂ ୩ଜଣ ରହି ନମାଜ ପାଠ କରିପାରିବେ । ମସଜିଦରୁ ହିଁ ପ୍ରତିଦିନ ଆଜାନ୍ ପରେ ଉପବାସ ସମୟ ସମ୍ପର୍କରେ ଏବଂ ସାମାଜିକ ଦୂରତା ରକ୍ଷା ସମ୍ପର୍କରେ ଲୋକଙ୍କୁ ସଚେତନ କରାଯିବ ।

ତେବେ ପରିବାର ଲୋକଙ୍କ ବ୍ୟତୀତ ଅନ୍ୟ କେହି ଭିଡ଼ କରି ସାମୂହିକ ପ୍ରାର୍ଥନା ବା ନମାଜ ପାଠ କରିପାରିବେ ନାହିଁ । କୈାଣସି ମୌଲବୀ ଲୋକଙ୍କ ଘରକୁ ଯାଇ ନମାଜ ପାଠ କରାଇପାରିବେ ନାହିଁ । ଏହି ସମୟରେ କୈାଣସି ବ୍ୟକ୍ତି ସାହି କିମ୍ବା ବସ୍ତି ଭିତରେ ପ୍ରବେଶ କଲେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଜିନିଷ କିଣିବା ପାଇଁ କେହି ଯାନବାହନ ବ୍ୟବହାର କରିପାରିବେ ନାହିଁ । ନିକଟସ୍ଥ ଦୋକାନରୁ ସାଇକେଲ କିମ୍ବା ଚାଲିଚାଲି ଯାଇ ସଉଦା କିଣି ପାରିବେ । ଉପବାସ ପରେ ଆବଶ୍ୟକ ସାମଗ୍ରୀ କିଣିବା ପାଇଁ ଦୋକାନରେ ଭିଡ ଲଗାଇ ପାରିବେ ନାହିଁ । ବିନା କାରଣରେ କେହି ଘରୁ ବାହାରିପାରିବେ ନାହିଁ । ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ବେଳେ ସାମାଜିକ ଦୂରତା ରକ୍ଷା କରିବା ଉପରେ ଗୁରୁତ୍ୱ ଦିଆଯାଇଛି ।

Leave a Reply