ବିଧାନସଭା ନିର୍ବାଚନ ପୂର୍ବରୁ ସରଗରମ ରାଜ୍ୟ ରାଜନୀତି । ରାୟଗଡ଼ା ଜିଲ୍ଲାରେ ବଢିବ କି ବିଧାନସଭା ଆସନ ସଂଖ୍ୟା ? ବଦଳିବ କି ରାଜନୈତିକ ସମୀକରଣ ? କିଏ ନେବେ ନେତୃତ୍ଵ ? ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଜିଲ୍ଲାରେ ୩ ଗୋଟି ନିର୍ବାଚନମଣ୍ଡଳି ରାୟଗଡା, ଗୁଣୁପୁର ଏବଂ ବିଷମକଟକରେ ୧୨ ଲକ୍ଷରୁ ଉର୍ଦ୍ଧ୍ଵ ଲୋକେ ବସବାସ କରୁଛନ୍ତି । ସେଥିମଧ୍ୟରୁ ୯ ଲକ୍ଷରୁ ଉର୍ଦ୍ଧ୍ଵ ଭୋଟର ଅଛନ୍ତି । ହେଲେ ସମସ୍ତ ଆସନ କେବଳ ଜନଜାତିଙ୍କ ପାଇଁ ସଂରକ୍ଷିତ ରହିଛି । ପୂର୍ବରୁ ଦୁଇ ଦୁଇ ଥର ସୀମା ନିର୍ଦ୍ଧାରଣ କରାଯାଇଛି । କିନ୍ତୁ ଜିଲ୍ଲାର ଆସନ ସଂଖ୍ୟା ବଦଳି ନାହିଁ । ଚଳିତ ଥର ଆସନ ସଂଖ୍ୟା ବଢିବ ବୋଲି ଆଶା ରଖିଛନ୍ତି ଜିଲ୍ଲାବାସୀ ।
ରାୟଗଡ଼ା ଜିଲ୍ଲାରେ ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ବିଧାନସଭା କ୍ଷେତ୍ରକୁ ସଙ୍କୁଚିତ କରି ଆସନ ସଂଖ୍ୟାକୁ ବୃଦ୍ଧି କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି l ଯଦି ଆସନ ସଂଖ୍ୟା ବଢ଼େ, ତେବେ ରାୟଗଡା ରାଜନୈତିକ ସମୀକରଣ କିଛି ନିଆରା ହୋଇପାରେ l ବର୍ଷ ବର୍ଷ ଧରି ସୁଯୋଗର ଅପେକ୍ଷାରେ ଥିବା ସାଧାରଣବର୍ଗ ନିଶ୍ଚିତ ଭାବେ ଲାଭବାନ ହୋଇପାରନ୍ତି । ରାୟଗଡା ପୌରପରିଷଦ, ରାୟଗଡା ସଦର ବ୍ଲକ ସହିତ କୋଲନରା ବ୍ଲକକୁ ମିଶାଇ ଯଦି ନୂଆ ନିର୍ବାଚନମଣ୍ଡଳି ହୁଏ ତେବେ ସେଠାରେ ସାଧରଣ ବର୍ଗଙ୍କ ସଂଖ୍ୟା ଅଧିକ । ତେଣୁ ଏହା ନିଶ୍ଚିତ ଭାବେ ସାଧାରଣ ବର୍ଗଙ୍କୁ ସକ୍ରିୟ ରାଜନୀତିକୁ ଆଗେଇ ନେବ । ସେହିଭଳି କାଶୀପୁର ଓ କଲ୍ୟାଣସିଂପୁର ଦୁଇ ବ୍ଲକକୁ ନେଇ ଆଉ ଗୋଟେ ନିର୍ବାଚନମଣ୍ଡଳି ହେଲେ ତାହା SC ବର୍ଗର ଲୋକଙ୍କ ପାଇଁ ସଂରକ୍ଷଣ ରହିପାରେ । ତେବେ ବହୁ ଆଦିବାସୀ ନେତାଙ୍କ କ୍ୟାରିଅରରେ ପୂର୍ଣ୍ଣଛେଦ ପଡିବା ନେଇ ଅନୁମାନ କରାଯାଉଛି । ରାୟଗଡା ଜିଲ୍ଲାରେ ମହିଳା ଭୋଟରଙ୍କ ସଂଖ୍ୟା ମଧ୍ୟ ଅଧିକ ରହିଛି । ଯଦି ଜିଲ୍ଲାରେ ଆସନ ସଂଖ୍ୟା ବୃଦ୍ଧି ପାଏ ତାହାଲେ କେଉଁ ଆସନ କେଉଁ ବର୍ଗଙ୍କ ପାଇଁ ସଂରକ୍ଷଣ ରହିବ ?

